ଏକକ ବିଶ୍ବବିଦ୍ୟାଳୟରେ ସପ୍ତାହବ୍ୟାପୀ ଶୈକ୍ଷିକ ବିକାଶ କାର୍ଯକ୍ରମ
ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ସପ୍ତାହ ବ୍ୟାପୀ ଶୈକ୍ଷିକ ବିକାଶ କାର୍ଯକ୍ରମ ଉଦଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ଦ୍ଵାରା ପ୍ରାୟୋଜିତ ‘ ଭାରତୀୟ ଜ୍ଞାନ ପରମ୍ପରା ଓ ଜାତୀୟ ଶିକ୍ଷାନୀତି: ଭାରତୀୟ ପରମ୍ପରାର ଉତ୍ସ ଅନୁସନ୍ଧାନ ନିମନ୍ତେ ସାମଗ୍ରିକ ଦୃଷ୍ଟିଭଙ୍ଗୀ ‘ ଶୀର୍ଷକ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପ ଅର୍ପଣ ତଥା ବୃକ୍ଷରେ ଜଳସିଞ୍ଚନ ପୂର୍ବକ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ନିଜ ବକ୍ତବ୍ୟରେ ଅଧ୍ୟାପନା ପଦ୍ଧତିରେ ପରିବର୍ତ୍ତନ ମାଧ୍ୟମରେ ଜାତୀୟ ଶିକ୍ଷାନୀତିକୁ ସଫଳ କରିବା ନିମନ୍ତେ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରଫେସର ମୁକୁଟମଣି ତ୍ରିପାଠୀ ନିଜ ବକ୍ତବ୍ୟରେ ଶିକ୍ଷାବ୍ୟବସ୍ଥାକୁ ଶିକ୍ଷକ – ଛାତ୍ର ଅନୁକୂଳ କରିବା ସହ ସ୍ନାତକ ସ୍ତରରେ ଗବେଷଣା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ ତଥା ନିଜ ଅଞ୍ଚଳର ପ୍ରମୁଖ ପ୍ରତିଭା ମାନଙ୍କ ସଂପର୍କରେ ଅବଗତ ହେବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ସମ୍ମାନିତ ଅତିଥି ପ୍ରଫେସର ଗୌରୀଶଙ୍କର ତ୍ରିପାଠୀ ପଦାର୍ଥ ବିଜ୍ଞାନ ଓ ଦର୍ଶନଶାସ୍ତ୍ର ମଧ୍ୟରେ ସମ୍ପର୍କ ନିରୂପଣ କରି ବିଜ୍ଞାନର ଉତ୍ସ ଦର୍ଶନ ମଧ୍ୟରେ ନିହିତ ରହିଛି ବୋଲି ମତ ଦେଇଥିଲେ। ନିଜ ଉଦଘାଟନୀ ଅଭିଭାଷଣରେ କୁଳପତି ପ୍ରଫେସର ଦାଶ ଯୁବମାନସକୁ ସଂଗଠିତ କରୁଥିବା ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇବା ଜାତୀୟ ଶିକ୍ଷାନୀତିର ଲକ୍ଷ୍ୟ ହେବା ଉଚିତ୍ ବୋଲି ମତଦେଇ ପ୍ରତ୍ୟେକ ଛାତ୍ର ଭାରତୀୟ ଜ୍ଞାନ ପରମ୍ପରାର ମୂଳଉତ୍ସକୁ ଜାଣିବା ନିମନ୍ତେ ଆହ୍ବାନ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଅତିଥିମାନଙ୍କୁ ସ୍ଵାଗତ କରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆବାହକ ଡ. ଯତିନ୍ କୁମାର ବିଷୋୟୀ ‘ ଭାରତୀୟ ଜ୍ଞାନ ପରମ୍ପରା ‘ ର ମହତ୍ତ୍ଵ ଓ ଗୁରୁତ୍ଵ ସମର୍କରେ ସୂଚନା ଦେଇଥିଲେ। ଅଧ୍ୟାପକ ଡ. ବିଭୂତି ପ୍ରସାଦ ବାରିକ ଅତିଥି ପରିଚୟ ଦେବାସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଡ. ଯଜ୍ଞଦତ୍ତ ନାୟକ ଓ ଅଧ୍ୟାପକ ପିଙ୍କୁ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରୁ ଶତାଧିକ ଅଧ୍ୟାପକ ଅଧ୍ୟପିକା ଯୋଗଦାନ କରିଛନ୍ତି ଓ ପ୍ରଖ୍ୟାତ ଶିକ୍ଷାବିତ୍ ମାନେ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି। କୁଳସଚିବ ଶ୍ରୀମତୀ ପାର୍ବତୀମଞ୍ଜରୀ ମହାଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହେଉଅଛି l


