ପଲ୍ଲୀଶ୍ରୀ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପାରିଶ୍ରମିକ ନମିଳିବା  ପ୍ରତିବାଦରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଗତ ୨୩ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପରେ ପାରିଶ୍ରମିକ ନପାଇବାରୁ ସଂପୃକ୍ତ ଦଳର ମୁଖ୍ୟ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ଝାଡେଶ୍ୱରୀ ସଙ୍କୀର୍ତ୍ତନ ମଣ୍ଡଳିର ଦଳପତି ୭୦ବର୍ଷ ବୟସର ପରମେଶ୍ୱର ମଲ୍ଲିକ ପଲ୍ଲୀଶ୍ରୀ ମେଳାରେ ସଙ୍କୀର୍ତ୍ତନ ପରିବେଷଣ କରିବା ନିମନ୍ତେ ଦରଖାସ୍ତ କରିଥିଲେ । ତାଙ୍କୁ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ଟେଲିଫୋନ ଯୋଗେ ଗତ ୨୩ତାରିଖ ଅପରାହ୍ନରେ ଦଳ ସହିତ ଆସି ସଙ୍କୀର୍ତ୍ତନ ପରିବେଷଣ କରିବାକୁ କହିଥିଲେ । ସେହି ଅନୁଯାଇ ପରମେଶ୍ୱର ତାଙ୍କ ଦଳର ୨୨ଜଣଙ୍କ ସହିତ ନିର୍ଦ୍ଧାରିତ ସମୟରେ ପଲ୍ଲୀଶ୍ରୀ ମେଳାରେ ପହଁଚି ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ପକ୍ଷରୁ ସେଠାରେ ଥିବା  କର୍ମଚାରୀ ଅଲେଖ ଚନ୍ଦ୍ର ଦାସଙ୍କୁ  ସାକ୍ଷାତ କରି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କିନ୍ତୁ କାର୍ଯ୍ୟକ୍ରମ ପରିବେଷଣ ପରେ ତାଙ୍କୁ କିମ୍ବା ତାଙ୍କ ଦଳର କଳାକାରମାନଙ୍କୁ ପ୍ରମାଣପତ୍ର କିମ୍ବା ଜଳଖିଆ ସେଠାରେ ଦିଆଯାଇନଥିଲା । ସେମାନଙ୍କ ପାରିଶ୍ରମିକ ମାଗିବାରୁ ତାହା ମଧ୍ୟ ଦିଆଯାଇନଥିବା ପରମେଶ୍ୱର ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଜଣାଇବାରେ ସେ କିଛି ନବୁଝିବାରୁ ପରମେଶ୍ୱର ବାଧ୍ୟ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ