ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ପୌରପାଳିକା ଟାଉନ ହଲରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୯୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୭୬ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୧୯ ଟି ସାମୂହିକ ଅଭିଯୋଗ ରହିଥିଲା। ଅଭିଯୋଗ ଗୁଡିକ ମଧ୍ୟରେ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଅବକାରୀ, ଶିକ୍ଷା, ମଙ୍ଗଳ ବିଭାଗ, ସମାଜ ମଙ୍ଗଳ ବିଭାଗ ବ୍ୟତୀତ ବ୍ୟାଙ୍କ ସଂକ୍ରାନ୍ତିୟ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୩ ଜଣଙ୍କୁ ୫୦ ହଜାର ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୫ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ପଞ୍ଜିକୃତ ହେଇଥିବା ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ରଘୁରାମ ଆର. ଆୟାର ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତିଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଯନ୍ତ୍ରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକର ଶୁଣାଣିରେ ସହାୟତା କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା ସୋମବାର ଅର୍ଥାତ ୮ ତାରିଖରେ ଆଳି ବ୍ଲକ କାର୍ଯ୍ୟାଳୟ, ୧୫ ତାରିଖରେ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ଓ ୨୨ ତାରିଖରେ ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।