ଚାଉଳ ବୋଝେଇ ଟ୍ରକ ଧକ୍କାରେ ଚାଲିଗଲା ଜିମ ପ୍ରଶିକ୍ଷକଙ୍କ ଜୀବନ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ ର ଆମ୍ବଗଡ଼ିଆ ଛକ ନିକଟରେ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ଜିମ୍ ପ୍ରଶିକ୍ଷକଙ୍କ ଜୀବନ ଯାଇଛି। ଘଷିପୁରା ଥାନା ସୈଲଙ୍ଗ ଗ୍ରାମର ସୁରଜ କୁମାର ବିଶ୍ବାଳ ଛେନାପଦି ଛକକୁ ଜିମ ପ୍ରଶିକ୍ଷଣ ଦେବାକୁ ସବୁଦିନ ଭଳି ଆଜି ସକାଳେ ବାଇକ୍ ଯୋଗେ ଆସୁଥିଲେ। ଆମ୍ବଗଡ଼ିଆ ଛକ ନିକଟରେ ସମ୍ମୁଖରୁ ଯାଉଥିବା ଓଆର- ଡି-୮୩୦୮ ନମ୍ବର ବିଶିଷ୍ଟ ଚାଉଳ ବୋଝେଇ ଟ୍ରକ ତାଙ୍କୁ ଧକା ଦେଇ କିଛି ବାଟ ଘୋଷାରି ନେଇଥିଲା। ସେତେବେଳେ ସେହି ରାସ୍ତା ଦେଇ ଯାଉଥିବା ଆନନ୍ଦପୁର ବିଧାୟକ ଓ ସ୍ଥାନୀୟ ଲୋକମାନେ ତୁରନ୍ତ ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଡ଼କାଇ ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ନିଆ ଯାଇଥିବା ବେଳେ ତାଙ୍କର ଅଵସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଜିମ ସେଣ୍ଟର୍ ପିଲା ମାନେ ଓ ପରିବାର ଲୋକେ କ୍ଷତି ପୂରଣ ଦାବିରେ ଆମ୍ବଗଡ଼ିଆ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ସୁରଜ ଜଣେ ବହୁତ ଗରିବ ଘରର ଯୁବକ ହୋଇଥିବା ବେଳେ ବହୁ କଷ୍ଟରେ ପରିବାର ଚଳାଉଥିଲେ। ତେଣୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବି କରିଥିଲେ ଜିମ ସେଣ୍ଟର ପ୍ରଶିକ୍ଷାର୍ଥୀ ମାନେ। ଏହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇ ଥିଲା। ଆନନ୍ଦପୁର ପୋଲିସ ପହଞ୍ଚି ବୁଝା ସୁଝା କରିବା ପରେ ରାସ୍ତାରୋକ ହଟିଥିଲା।


