ଦିବ୍ୟାଙ୍ଗ ଝିଅକୁ ଦୁଷ୍ମର୍ମ ମାମଲାର ସଫଳ ତଦନ୍ତ:ସମ୍ମାନିତ ହେଲେ ପୋଲିସ ଅଧିକାରୀ ଓ ଆସିକା ଏପିପି

ଆସିକା  (ୱାଇଏନ୍‍ଏସ୍‍) : ଗତ ୨୦୨୪ ମସିହା ଜୁଲାଇ ମାସ ୧୩ ତାରିଖରେ ଆସିକା ଥାନାରେ ରୁଜୁ ହୋଇଥିବା ଜନୈକା ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ ଓ ତାଙ୍କ ବାପାଙ୍କୁ ହତ୍ୟା ଏବଂ ମାଆଙ୍କୁ ହତ୍ୟା ଉଦ୍ୟମ ମାମଲାର ଉପଯୁକ୍ତ ତଦନ୍ତ ନୀରିକ୍ଷଣ ଓ ପରିଚାଳନା କରାଯିବା ଫଳରେ ଦୋଷୀକୁ ଦଣ୍ଡ ମିଳିବା ସହ ପିଡୀତାଙ୍କୁ ନ୍ୟାୟ ମିଳିପାରିଛି । ଯାହାକୁ ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ନିରୀକ୍ଷଣ ଅଧିକାରୀ ରୂପେ ତତ୍କାଳୀନ ଗଞ୍ଜାମ ଏସ୍‍ପି ଜଗମୋହନ ମୀନା, ଘଟଣାର ତଦନ୍ତକାରୀ ଅଧିକାରୀ ଆସିକା ଥାନାର ତତ୍କାଳୀନ ଏସ୍‍ଆଇ ଅମ୍ବିକା ବେଣିଆ ଓ ମାମଲା ପରିଚାଳନା କରିଥିବା ଏପିପି (ସରକାରୀ ଓକିଲ) ଜି.ସୂର୍ଯ୍ୟପ୍ରକାଶ ରାଓଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡିଛି । ସରକାରୀ ଓକିଲ (ଏପିପି) ଜି.ସୂର୍ଯ୍ୟପ୍ରକାଶ ରାଓଙ୍କୁ ପ୍ରଶଂସା ପତ୍ର ପ୍ରଦାନ ସାଙ୍ଗକୁ ୫ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି । ରାଜ୍ୟ ପୋଲିସ ଅପରାଧ ନିୟନ୍ତ୍ରଣ ବିଭାଗ ଆନୁକୂଲ୍ୟରେ ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କର୍ମଶାଳାରେ ପୋଲିସ ଅଧିକାରୀ ଓ ଆସିକା ଏପିପି ସୂର୍ଯ୍ୟପ୍ରକାଶ ରାଓଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ୍‍ ବାହାଦୁର୍‍ ଖୁରାନିଆ ସମ୍ମାନିତ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ଡିଜିପି ରେଣୁକା ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସର ଡଃ ମିତାଲି ଚିନାରା, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରଫେସର ସୁମନଦାଶ୍‍ ଭଟ୍ଟମିଶ୍ର, ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍‍.ସାଇନି, କ୍ରାଇମ୍‍ବ୍ରାଞ୍ଚ ଆଇଜି ଡଃ ସାର୍ଥକ ଷଡଙ୍ଗୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଗତ ୧୯୯୫ ମସିହାରୁ ଓକିଲାତି ଭଳି ମହାନ୍‍ ପେଷାକୁ ଆଦରି ନେଇ ଏହି ବୃତ୍ତିକୁ ସୁଚାରୁ ରୂପେ ସଂପାଦନ କରି ସମଗ୍ର ଆସିକା କାହିଁକି ଗଞ୍ଜାମ ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ଜି.ସୂର୍ଯ୍ୟପ୍ରକାଶ ରାଓ ନିଜର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ରାଜ୍ୟସ୍ତରୀୟ କର୍ମଶାଳାରେ ସମ୍ମାନିତ ହେବା ନିଶ୍ଚିତ ଭାବେ ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଗତ ୨୦୧୨ ମସିହାରୁ ସରକାରୀ ଓକିଲ ଭାବେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁ ରୂପେ ସଂପାଦନ କରିଆସିଥିବା ବରିଷ୍ଠ ଆଇନଜୀବୀ ଜି.ସୂର୍ଯ୍ୟପ୍ରକାଶ ରାଓ ରାଜ୍ୟସ୍ତରୀୟ କର୍ମଶାଳାରେ ସମ୍ମାନିତ ହେବା ପରେ ତାଙ୍କୁ ଆସିକା ଓକିଲ ସଂଘର ସଭାପତି ଅଜିତ କୁମାର ଚୌଧୁରୀ, ସଂପାଦକ ନାରାୟଣ ମୁନି, ଉପସଭାପତି ଛବିଳରାମ ମିଶ୍ର, ଯୁଗ୍ମ ସଂପାଦକ ମାନସ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରାଘବ କୁମାର ନାହାକ, ଲାଇବ୍ରେରୀ ସଂପାଦକ ସନ୍ତୋଷ କୁମାର ମିଶ୍ର, ଆସିକା ଏନ୍‍ଏସିର ପୂର୍ବତନ ନଗରପାଳିକା ମଧୁସ୍ମିତା ପୋଲାଇ, ପୂର୍ବତନ କାଉନସିଲର ଏମ୍‍.ତାରିଣୀ ସେନାପତି, ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ପଣ୍ଡା, ସୁରେନ୍ଦ୍ର ନାଥ ପଣ୍ଡା, ପି.ଶିବଶଙ୍କର ପାତ୍ର, ରୁଦ୍ର ପ୍ରସାଦ ମହାପାତ୍ର, ଗଙ୍ଗାଧର ନାୟକ, ଶିବଶଙ୍କର ମହାନ୍ତି, ଦିଲୀପ କୁମାର ପାଣିଗ୍ରାହୀ, ଦ୍ୱାରିକାନାଥ ପରିଡା, ପୂର୍ଣ୍ଣଚନ୍ଦ୍ର ନାୟକ, କେ.ବ୍ରହ୍ମାନନ୍ଦ ରାଓ, ସୁଧାଂଶୁ କୁମାର ପାଣିଗ୍ରାହୀ, ମହେଶ୍ୱର ବେହେରା, ପ୍ରିୟାଂଶୁ ଶେଖର ପରିଡା, ଅଜିତ୍‍ କୁମାର ମୁନି, ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜିବୀ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ