ଓଡ଼ିଆ ଭାଷା ଆନ୍ଦୋଳନର ଏନ୍ତୁଡିଶାଳ ଘୁମୁସର

ବୁଗୁଡା, (ଅନୀଲ କୁମାର ମହାରଣା) : ସେପ୍ଟେମ୍ବର ୧୧ ତାରିଖ ଦିନ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ମହାସମାରୋହର ପ୍ରଥମ ଘୁମୁସର ଦିବସ ଅନୁଷ୍ଠିତ ହୋଇଯାଇଛି। ମା ବ୍ୟାଘ୍ରଦେବୀ  ପୀଠରୁ ମଶାଲ ଅଣାଯାଇ ସହର ପରିକ୍ରମା କରି ଘୁମୁସର ଦିବସ ପାଳନକୁ  ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଭଞ୍ଜନଗର ବିଧାୟକ  ପ୍ରଦୁମ୍ନ କୁମାର ନାୟକ ଉଦଘାଟନ କରି ଏହି ସମ୍ମିଳନୀକୁ ସାହିତ୍ୟିକ ଓ ଐତିହାସିକ କୁମ୍ଭ ବୋଲି ସମ୍ବୋଧନ କରିଥିଲେ। ଏହି ସମ୍ମିଳନୀରେ ବରିଷ୍ଠ ଆଡଭୋକେଟ ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ। ୧୮୭୦ ମସିହାର ସେପ୍ଟେମ୍ବର ମାସ ୧୧ ତାରିଖରେ ସର୍ବ ପ୍ରଥମ ଓଡ଼ିଆ ଭାଷା ଆନ୍ଦୋଳନ ଆରମ୍ଭ ହୋଇଥିଲା ଭଞ୍ଜନଗରର ତତ୍କାଳୀନ ନାମ ରସଲକୋଣ୍ଡା ର ଠାକୁରାଣୀ ପଡ଼ିଆରେ। ସେହି ଦିବସର ସ୍ମୃତିରେ ଐତିହାସିକ ଘୁମୁସର ଦିବସ ପାଳନ ଆମ୍ଭର, ଏହି ମାଟିର ଗର୍ବ ବୋଲି ସମ୍ମାନୀତ ଅତିଥି ସୋରଡା ବିଧାୟକ ନୀଳମଣୀ ବିଷୋୟୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଦ୍ଵିତୀୟ ଅଧିବେଶନରେ ଅବସରପ୍ରାପ୍ତ ପ୍ରିନ୍ସପାଲ ବାଲ୍ମୀକି ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଡା ଶାନ୍ତନୁ ରଥ ସଂଯୋଜନ କରି ଘୁମୁସର ଇତିହାସ ଏତେ ବିଚିତ୍ର ଓ ବିରଳ ଯେଉଁଠି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବୀର ଚକରା ବିଷୋୟୀ ଓ ଘୁମୁସରୀ ଗୋବଂଶ  ବିଭିନ୍ନ ବିବିଧତା ଉପରେ ସରକାରଙ୍କ ସ୍ୱତନ୍ତ୍ର ଯୋଜନାର ଆବଶ୍ୟକତାକୁ ଗୁରୁତ୍ବ ପ୍ରଦାନ କରିଥିଲେ।ଘୁମୁସରରେ ଭଞ୍ଜରାଜ ବଂଶ ହଜାର ବର୍ଷରୁ ଉର୍ଦ୍ଧ୍ବ ସମୟ ଶାସନ କରିବା ପୃଥିବୀ ଇତିହାସରେ ପ୍ରଥମ ବୋଲି ମତ ରଖିଥିଲେ। ଘୁମୁସର ଗୋବଂଶ ବିଷୟରେ ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ଓ ଡକ୍ଟର ଶିବ ପ୍ରସାଦ ଅଧିକାରୀ, ଘୁମୁସରକୁ ଶ୍ରୀକର ଭଞ୍ଜଙ୍କ ଅବଦାନ ବିଷୟରେ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର, ଘୁମୁସରର ସାମରିକ କଳା  ସଂସ୍କୃତି ବିଷୟରେ ଡକ୍ଟର ବାୟାମନ ଚର୍ଚ୍ଚି, ଓଡ଼ିଶା ପ୍ରଦେଶ ଗଠନରେ ଘୁମୁସରର ଭୂମିକା ବିଷୟରେ ଡକ୍ଟର ଅନନ୍ତ ରାମ କୌଣ୍ଡିନ୍ୟ, କୁଲାଡ଼ଗଡ଼ ଜଗନ୍ନାଥ ମନ୍ଦିରର ଭାସ୍କର୍ଯ୍ୟ ବିଷୟରେ ଡକ୍ଟର ବ୍ରଜ କିଶୋର ପାଢ଼ୀ, ଘୁମୁସରରେ ବୌଦ୍ଧ ଧର୍ମର ପ୍ରଭାବ ବିଷୟରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଘୁମୁସର ମନ୍ଦିର ମାନଙ୍କରେ  କାଷ୍ଟ କାରୁକାର୍ଯ୍ୟ ବିଷୟରେ ଡକ୍ଟର ସ୍ଥିତଧି ରଥ ପ୍ରମୁଖଙ୍କ  ଗବେଷଣାତ୍ମକ ତଥ୍ଯ ପ୍ରଦାନ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଥିଲା। ଘୁମୁସର ଗୌରବ ଉପାଧିରେ ଆଇଏଏସ ବବିତା ରାଣୀ  ସ୍ଵାଇଁ, ବାବା ସତ୍ୟାନନ୍ଦ ମହାରାଜ, କବି ପ୍ରଶାନ୍ତ ମହାନ୍ତି ଓ ଇଂ ଯାମିନୀକାନ୍ତ ଦାସ ଙ୍କୁ  ସମ୍ମାନିତ କରାଯାଇଥିଲା। ଭାରତ ଲୀଳା, ଦାସକାଠିଆ, ଘୋଡାନାଚ, ଓଡ଼ିଶୀ ନୃତ୍ୟ ,କଣ୍ଢେଇ ନାଚ, ଭଞ୍ଜ ସଂଗୀତରେ  ଭଞ୍ଜନଗର ସାଂସ୍କୃତିକ ଜାଗରଣ ପରିବେଷଣ କରିଥିଲେ। ଘୁମୁସର ଲେଖିକା ସଂଘ ପକ୍ଷରୁ ଡକ୍ଟର ନଳିନୀ ପ୍ରଭା ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଘୁମୁସର ବିକାଶ ପରିଷଦର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ   ଧନ୍ୟବାଦ ଅର୍ପଣ କରିଥିଲେ। ସୁଶାନ୍ତ ପାତ୍ର, ଦେବାଶିଷ ସାହୁ, ମୁରଲୀଧର ପଣ୍ଡା, ଶୂଳପାଣୀ ଶତପଥି , ରବୀନ୍ଦ୍ର ସାମନ୍ତ  ଓ ବିଭିନ୍ନ ସଂଗଠନର ସାହାଯ୍ଯ ଓ ସହଯୋଗରେ ଘୁମୁସର ଦିବସ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ