ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲସ୍ଥିତ ରାଇସମିଲ ନିକଟରେ ଥିବା କେନାଲ ପରିସରରୁ ପୋଲିସ ଦ୍ୱାରା ଜଣେ ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି l ମୃତ ମହିଳା ଜଣକ ମୁନିଗୁଡା ରାଜୀବପଡାର ପାର୍ବତୀ କୁଲେସିକା (୪୮) ବୋଲି ଜଣାପଡିଛି l ସୂଚନା ଯେ ପୋଲିସ ମହିଳାଙ୍କ ଗଳିତ ମୃତ ଦେହ ପଡ଼ିଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଘାଟଣ ସ୍ଥଳକୁ ଆଡସିନାଲ୍ ଏସପି ସ୍ୱସ୍ତିକ ପଣ୍ଡା, ମୁନିଗୁଡା ଏସଡିପିଓ ସନ୍ତୋଷିନୀ ଓରାମ, ଥାନା ଅଧିକାରି ସୌଦାମିନୀ ବେହେରା, ଏସଆଇ ବିକାଶ ଦେବନାଥ ଓ ହୋମଗାର୍ଡ ପ୍ଲାଟୁନ କମାଣ୍ଡର ସନ୍ତୋଷ ପାଢ଼ୀ ପ୍ରମୁଖଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ ଜାରି କରିଥିଲେ l ପ୍ରାଥମିକ ତଦନ୍ତ ବେଳେ ମୃତ ମହିଳା ଜଣକ ମୁନିଗୁଡା ରାଜିବପଡାର ଲଇଷଣ କୁଲେସିକାଙ୍କ ସ୍ତ୍ରୀ ପାର୍ବତୀ କୁଲେସିକା ବୋଲି ଜଣାପଡିଥିଲା l ତେବେ ବର୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଚାରି ଦିନ ହେବ ସ୍ତ୍ରୀ ପାର୍ବତୀ ଭଉଣୀ ଘରକୁ ଯିବି ବୋଲି କହି ଯାଇଥିବା ନେଇ ସ୍ୱାମୀ ଲଇଷଣ ଥାନାରେ ପ୍ରକାଶ କରିଥିଲେ l ପୋଲିସ ମୃତ ମହିଳାଙ୍କ ସ୍ବାମୀକୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି l