ସାର ପାଈଁ ରାତିରୁ ଲମ୍ବା ଧାଡି ଉଜୁଡିବ କି ଫସଲ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଉତ୍କଟ ସାର ସଙ୍କଟ ଦେଖାଦେଇଛି। ଚାଷୀ କଳାବଜାରୀ ରେ ଚଢା ଦରରେ କିଣିବାକୁ ବାଧ୍ୟ୍ୟ ହେଉଛନ୍ତି। କୃଷି ବିଭାଗ ସବୁ ଜାଣି ନିଦା ବିଷ୍ଣୁ ପାଲଟିଛି।
ୟୁରିଆ ବସ୍ତାର ସରକାରୀ ଧାର୍ଯ୍ୟ ମୂଲ୍ୟ ୨୬୬ଟଙ୍କା ୫୦ପଇସା ଥିବା ବେଳେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ବିଭିନ୍ନ ସ୍ଥାନରେ ୭ଶହ ରୁ ୯ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। କୃଷି ବିଭାଗ ସମବାୟ ସମିତି କୁ ବିହନ ଓ ସାର ବିତରଣ ଦାୟିତ୍ୱ ଦେଈ ନିଜକୁ ଦାୟିତ୍ୱ ମୁକ୍ତ କରିଥିବା ବେଳେ କିନ୍ତୁ ଅସ୍ତରଙ୍ଗ ବ୍ଲକରେ ଥିବା ୧୦ଗୋଟି ପ୍ୟାକ୍ସ ମଧ୍ୟରୁ କେବଳ କେନ୍ଦ୍ରାପଟି ସେବା ସମବାୟ ରେ ସାର ମିଳୁଛି। ଯାହାକି ସମୁଦ୍ର କୁ ଶଙ୍ଖେ ଭଳି, ରାତି ରୁ ଲମ୍ବା ଧାଡି ପରେ ସାର ନ ପାଈଁ ନିରାଶ ରେ ଫେରୁଛନ୍ତି ଚାଷୀ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ସମୁଦାୟ ୧୦ଟି ପଞ୍ଜିକୃତ ସମବାୟ ସମିତି ଥିବା ବେଳେ ସବୁଠି ଚାଷୀଙ୍କୁ ମିଳୁନି ସାର। କେବଳ ଋଣ ପ୍ରଦାନ ଓ ମଣ୍ଡି କରିବାରେ ସୀମିତ ରହିଛି ସମବାୟ ସମିତି ଦାୟିତ୍ୱ। ଅଧିକାଂଶ ସମିତିର ନିଜ୍ଵସ ଭିତ୍ତିଭୂମି ନଥିବା ବେଳେ ବର୍ଷ ବର୍ଷ ଧରି ଲାଇସେନ୍ସ ନବୀକରଣ ମଧ୍ୟ କରୁନଥିବା ଜଣାପଡିଛି।
ଅପରପକ୍ଷେ ସମବାୟ ସମିତି ସମ୍ପାଦକ ମାନେ ଲାଇସେନ୍ସ ପ୍ରକ୍ରିୟାର ଜଟିଳତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି। କାରଣ ସମୁଦାୟ ସମବାୟ ଗୁଡିକ ବିହନ, ସାର ବିକ୍ରୟ ଲାଇସେନ୍ସ ଆଣିବାକୁ ହେଲେ ବିଏସସି ପ୍ରମାଣପତ୍ର ବାଧ୍ୟତା ମୂଳକ ବୋଲି ସରକାରୀ ନିର୍ଦ୍ଧେଶ ରହିଛି। ଯାହା ଯୋଗାଡ଼ କରିବା ସମବାୟ ସମିତି ପାଈଁ କାଠିକର ପାଠ ହୋଇଛି। ଯେଉଁ ମାନେ ବି ଲାଇସେନ୍ସ ନବୀକରଣ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ପିଏସଓ ମେସିନ ମିଳିବାରେ ଅହେତୁକ ବିଳମ୍ବ ହୋଇଛି।
ଅସ୍ତରଙ୍ଗ ବ୍ଲକ ଅଂଚଳ ଜନ ସାଧାରଣ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ୬ହଜାର ହେକ୍ଟର ରୁ ଅଧିକ ଅଂଚଳରେ ଧାନ ଚାଷ ହୋଇଛି। କିନ୍ତୁ ଚାଷୀ ଙ୍କୁ ସାର ଯୋଗାଇବାକୁ ଅସ୍ତରଙ୍ଗ ବ୍ଲକର ଏକ ମାତ୍ର ସେବା ସମବାୟ ସମିତି କେନ୍ଦ୍ରାପଟି ଲାଇସେନ୍ସ ଥିବାରୁ ପାଞ୍ଚ ଟି ପର୍ଯ୍ୟାୟ ରେ ସମୁଦାୟ ୧୧୨୮ ବସ୍ତା ସାର ଆଣିଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ୧୨୦ବସ୍ତା, ଦ୍ୱିତୀୟ ପର୍ଯ୍ୟାୟ ରେ ୧୩୦ବସ୍ତା, ତୃତୀୟ ପର୍ଯ୍ୟାୟ ରେ ୧୭୦ବସ୍ତା, ଚତୁର୍ଥ ପର୍ଯ୍ୟାୟ ରେ ୨୪୨ବସ୍ତା ଓ ପଞ୍ଚମ ପର୍ଯ୍ୟାୟ ରେ ୪୬୬ଟି ବସ୍ତା ସାର ଆସିଥିବା ସମ୍ପାଦକ ସୂଚନା ଦେଇଛନ୍ତି। କିନ୍ତୁ ସେବା ସମବାୟ ଥିବା କର୍ମଚାରୀ ପ୍ରିୟା ପ୍ରୀତି ପୋଷଣ ନୀତି ଆପଣାଇ ନିଜସ୍ୱ ଲୋକଙ୍କୁ ସାର ଯୋଗାଇବା ସହ ଅନିୟମିତତା ମାଧ୍ୟ୍ୟମରେ ବଣ୍ଟନ କରୁଛନ୍ତି ବୋଲି ଚାଷୀ ଦିଲ୍ଲୀପ ପରିଡା ଅଭିଯୋଗ କରିଛନ୍ତି। କିନ୍ତୁ ସାର ପାଇବା ପାଈଁ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଶତାଧିକ ଚାଷୀ ସାର ନେବା ପାଈଁ ରାତି ୩ ରୁ ଲମ୍ବା ଧାଡି ରେ ଠିଆ ହୋଇ ରହିବା ପରେ କେଉଁ ଚାଷୀ ସାର ଗୋଟେ ବସ୍ତା ପାଉଥିବା ବେଳେ ଅନେକ ଚାଷୀ ଧାଡି ଠିଆ ହୋଇ ମଧ୍ୟ ନିରାଶ ରେ ଘରକୁ ଫେରୁଥିବା ଜଣା ପଡିଛି।କିନ୍ତୁ ରାତି ୩ ରୁ ଲମ୍ବା ଧାଡି ରହିବା ଶହ ଅନେକ ସମୟରେ ଚାଷୀ ଙ୍କ ମଧ୍ୟରେ ସାର ପାଇବାକୁ ନେଇ ଗଣ୍ଡଗୋଳ ହେଉଥିଲେ ମଧ୍ୟ ଏରିଆ ଅଫିସର ଦେଖା ନାହିଁ। ଯାହା ଫଳରେ ଭିଡ଼ ନିୟନ୍ତ୍ରଣ ପାଈଁ କାକଟପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲେ। ହେଲେ ପ୍ୟାକ୍ସ କୁ ପର୍ଯ୍ୟାପ୍ତ ପରିମାଣର ସାର ଆସୁନଥିବାରୁ ଆବଶ୍ୟକ ମୁତାବକ ସାର ଚାଷୀ ଙ୍କୁ ଯୋଗାଇ ଦିଆଯାଇ ପାରୁନି। ଯେତିକି ଆସୁଛି ସମୁଦ୍ର କୁ ଶଙ୍ଖେ ହୋଇଥିବାବେଳେ କିଛି ମାତ୍ରାରେ କର୍ମଚାରୀ ଗୁଆ ଦିଆ ବନ୍ଧୁ ଭାବି କିଛି ଦେଇଦେଉଛନ୍ତି। ଅନ୍ୟ ପଟେ ଅଳ୍ପ କିଛି ବସ୍ତା କୁ ଭାଗବାଣ୍ଟି ଚାଷୀ ଙ୍କୁ ପ୍ୟାକ୍ସ କର୍ମଚାରୀ ସାର ପ୍ରଦାନ କରୁଛନ୍ତି। ଯାହା ଦ୍ୱାରା ସାର ପାଈଁ ଠେଲା ପେଲା ମାର ପିଟ ସ୍ଥିତି ସୃଷ୍ଟି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ