ହାଇୱା ମାଡ଼ିଯାଇ ୩ ମୃତ ୪୦ ଲକ୍ଷ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି – ଆସିକା ୩୨୬ ନଂ.ଜାତୀୟ ରାଜପଥ ର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟ ରେ ବୁଧବାର ରାତି ପ୍ରାୟ ୮ ଟାରେ ଏକ ହାଇୱା ଟ୍ରକ୍ (ନଂ.ଓଡି ୦୫ ଏଫ୍ – ୯୦୦୧) ମାଡ଼ି ଯିବାରୁ ଦିଗପହଣ୍ଡି ର ୩ ଜଣ ବାଇକ ଆରୋହୀ ଏମ. ଅଶ୍ଵିନୀ କୁମାର ଦୋରା, କେ. ବାଳକୃଷ୍ଣ ରେଡ୍ଡୀ ଏବଂ ପନ୍ଦରା ସାହି ର ସରୋଜ କୁମାର ବେହେରା ଓରଫ କାଳିଆ ମୃତ୍ୟୁବରଣ କରିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ମୃତଦେହ ବ୍ୟବଚ୍ଛେଦ ପରେ ଅପରାହ୍ନ ପ୍ରାୟ ୪ ଟାରେ ଦିଗପହଣ୍ଡିରେ ପହଞ୍ଚିବା ପରେ ସ୍ଥାନୀୟ ପୁଞ୍ଜିକଂୟା ଚାରି ଛକରେ ପରିବାର ଓ ସମ୍ପର୍କୀୟ ଲୋକଙ୍କ ଉପସ୍ଥିତିରେ ବହୁ ସଂଖ୍ୟକ ଯୁବକ ଛକର ୩ ଦିଗରେ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଦିଗପହଣ୍ଡି – ଚିକିଟି,ଦିଗପହଣ୍ଡି – ଆସିକା ଦିଗପହଣ୍ଡି – ରାୟଗଡ଼ା ଏବଂ ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟରାସ୍ତା ରେ ଗାଡ଼ି ମୋଟର ଚଳାଚଳ ବନ୍ଦ ଥିଲା। ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ, ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କ ସହ ଆଲୋଚନା କରିଥିଲେ।ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଥିବା ନେଇ ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଆନ୍ଦୋଳନକାରୀ ମାନେ ଗଞ୍ଜାମ ଜିଲାପାଳ କିମ୍ବା ଉପଜିଲାପାଳ ଘଟଣାସ୍ଥଳକୁ ଆସି ୪୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଘୋଷଣା କଲେ ହିଁ ରାସ୍ତା ଅବରୋଧ ପ୍ରତ୍ୟାହୃତ ହେବ ବୋଲି ଅଟଳ ରହିଛନ୍ତି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି।ରିପୋର୍ଟ ଲେଖାହେବା ସୁଦ୍ଧା ଆନ୍ଦୋଳନ ଚାଲୁ ରହିଥିବା ଜଣାପଡିଛି।ବ୍ରହ୍ମପୁର – ଭାୟା ଦିଗପହଣ୍ଡି ଦେଇ ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ମାଲକାନଗିରି ସମେତ ଛତିଶଗଡ, ମଧ୍ୟପ୍ରଦେଶ ଓ ଆନ୍ଧ୍ର ଯାଉଥିବା ଗାଡ଼ି ମଟର ଅଟକି ରହିଥିବା ରୁ ଯାତାୟାତରେ ସମସ୍ୟା ହୋଇଥିଲା.