କଟକ ଜିଲ୍ଲାର ୨୧ଟି ଜନଜାତି ବହୁଳ ଗ୍ରାମର ଗ୍ରାମସଭାରେ ଗ୍ରାମ କାର୍ଯ୍ୟଖସଡ଼ା ଅନୁମୋଦିତ
କଟକ, (ଓ୍ବାଇଏନଏସ): ବିକଶିତ ଭାରତ ଗଠନ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ଅନୂସୁଚିତ ଜନଜାତି ଗ୍ରାମଗୁଡିକରେ ସମସ୍ତ ସୁବିଧା ପହଞ୍ଚାଇବା ସହ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ ସମ୍ପନ୍ନ କରାଯାଉଛି । ସରକାରୀ କର୍ମଚାରୀଙ୍କ ମଧ୍ୟରେ ସେବା, ସମର୍ପଣ ଓ ସଙ୍କଳ୍ପ ମନୋଭାବ ସୃଷ୍ଟି କରି କର୍ମ ସମ୍ପାଦନ କରିବା ହେଉଛି ଆଦି କର୍ମଯୋଗୀ ଅଭିଯାନର ମୂଳ ଲକ୍ଷ୍ୟ | ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ତରଫରୁ ଧରତି ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନରେ କଟକ ଜିଲ୍ଲାର ୪ ଗୋଟି ବ୍ଲକର ମୋଟ ୧୫ ଗୋଟି ପଞ୍ଚାୟତର ସମୁଦାୟ ୨୧ଟି ଜନଜାତି ବହୁଳ ଗ୍ରାମକୁ ଆଦି କର୍ମଯୋଗୀ ଅଭିଯାନରେ ସାମିଲ କରାଯାଇଛି । ବାରଙ୍ଗ ବ୍ଲକର ଚକ୍ରଧରପୁର, ଆଠଗଡ଼ ବ୍ଲକର ସୌରିଆ, ଗୋବାରା, ଦମ୍ପତିପୁର, ରାହାଙ୍ଗୋଳ, ଖଣ୍ଡୁଆଳି, ରାଧାକୃଷ୍ଣପୁର, ମାଧପୁର, ଟାଙ୍ଗୀ – ଚୌଦ୍ଵାର ବ୍ଲକର କୋଚିଲାନୁଆଗାଁ, ରାମଚନ୍ଦ୍ରପୁର, ଆମ୍ବିଲିଝରି, ବଡ଼କୁଶୁନପୁର, କରଞ୍ଜି, ମାଛପଙ୍ଗି, ଚନ୍ଦନପୁର, କୁସପଡା, ବଡପୋଖରି, ଅଭୟପୁର, ବଡମ୍ବା ବ୍ଲକର ମୁଲିଆବାଙ୍କ, ବୁଢ଼ାପଙ୍କ, ଖଳିବାଟି ଗ୍ରାମ ଗୁଡ଼ିକ ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଅଟନ୍ତି । ଆଦି କର୍ମଯୋଗୀ ଅଭିଯାନ ମାଧ୍ୟମରେ ପ୍ରତ୍ୟକ ଗ୍ରାମରୁ ଅତି କମ୍ ରେ ୨୦ଜଣ ଆଦି ସାଥୀ ଓ ୧୦ଜଣ ଆଦି ସହଯୋଗୀ ଚୟନ କରି ନିଜ ଅଂଚଳର ବିକାଶର ବାହକ ହେବା ସହ ବିକଶିତ ଭାରତ ଅଂଶିଦାରୀ ହେବାର ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ଶ୍ରୀ ଦତ୍ତତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି | ଧରିତି ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନରେ ଗ୍ରାମର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ବିଭାଗର ସହମତିରେ ପ୍ରତ୍ୟେକ ଗ୍ରାମ ପାଇଁ ଏକ Village Vision Plan ଓ Village Action Plan (ଗ୍ରାମ କାର୍ଯ୍ୟ ଖସଡ଼ା) ପ୍ରସ୍ତୁତି କରାଯିବା ସହ ଅକ୍ଟୋବର ୨ ତାରିଖରେ ପଞ୍ଚାୟତର ଗ୍ରାମସଭାରେ ଗ୍ରାମର Village Action Plan (ଗ୍ରାମ କାର୍ଯ୍ୟ ଖସଡ଼ା) ଅନୁମୋଦନ କରାଯାଇଅଛି। ଏହି ଅଭିଯାନ ଅଧୀନରେ ଜାତୀୟ ରକ୍ତହୀନତା ଦୂରୀକରଣ, ବୃତ୍ତି ପ୍ରଦାନ, ପି-ଏମ କିଶାନ, ପି ଏମ ପୋଷଣ ଆଦି ଅନ୍ତର୍ଭୁକ୍ତ । ୧୭ ସେପ୍ଟେମ୍ବର ୨୦୨୫ ରୁ ୨୭ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଏହିସବୁ ଗ୍ରାମଗୁଡିକରେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ କରିବା ସହ ନୂତନ ଆଧାର କାର୍ଡ ତିଆରି କରିବା, ଆଧାର update କରିବା, ବ୍ୟାଙ୍କ ଖାତା ଖୋଲିବା, ଆୟୁଷ୍ମାନ ଭାରତ କାର୍ଡ ଯୋଗାଇ ଦେବା ଆଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଆଦି ସେବା ପର୍ବ ପାଳନ କରାଯାଇଥିଲା। ଏଥିସହ ବିଦ୍ୟାଳୟ, ଅଙ୍ଗନୱାଡ଼ି, ଗ୍ରାମପଞ୍ଚାଯତ ତଥା ଗ୍ରାମ ସ୍ତରରେ ସ୍ବାସ୍ଥ୍ୟ ଓ ପରିମଳ, ଚିତ୍ରାଙ୍କନ, କୌତୁକ ପୋଷାକ, ବକ୍ତୃତା, ମୃତ୍ତିକା ହସ୍ତ କଳା, ନୃତ୍ୟ ପରିବେଷଣ, ବୃକ୍ଷରୋପଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।