ସାଠିବାଙ୍କୁଡାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା
ଆରଡ଼ି,( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତ ସ୍ଥିତ ସାଠିବାଙ୍କୁଡା ଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ସୋମବାର ଠାରୁ ଆରମ୍ଭ ହୋଇଛି ଓ ଏହା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ପୂର୍ବାହ୍ନରେ ଗାଁର ଯୁବକ ମାନେ ପୂଣ୍ୟତୋୟା ବୈତରଣୀ ନଦୀରେ କଳସ ବୁଡାଇ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ସନ୍ଧ୍ୟାରେ ପୁରୋହିତଙ୍କ ଦ୍ବାରା ମା’ ଗଜଲକ୍ଷ୍ମୀଙ୍କୁ ଆବାହନ କରାଯାଇ ପୂଜା ଆରମ୍ଭ କରାଯାଇଥିଲା । ଘୃତାହୁତି ସହ ମା’ଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା । ମଙ୍ଗଳବାରରୁ ଗୁରୁବାର ଯାଏ ଯାଏ ପ୍ରତିଟି ସନ୍ଧ୍ୟାରେ ପ୍ରବଚନ, ଭଜନ ପରିବେଷଣ ସହ ପାଲା ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିବ । ଶୁକ୍ରବାର ମଧ୍ୟାହ୍ନରେ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ମାନଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯିବ । ସେଦିନ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ କରାଯାଇ ମା’ଙ୍କୁ ବିସର୍ଜନ କରାଯାଇ ନିକଟସ୍ଥ ବୈତରଣୀ ନଦୀରେ ବିଦାୟ ଦିଆଯିବ । ମା’ଙ୍କର ଏହି ପୂଜା ୧୨ ବର୍ଷ ଧରି ଚାଲିଛି ଓ ମା’ଙ୍କ ଦୟାରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପନ ହେଉଛି ବୋଲି ମା’ଗଜଲକ୍ଷ୍ମୀ କମିଟିର ସଦସ୍ୟ ମାନେ କହିଛନ୍ତି |