ତରାଗୋକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବୀ ନେଇ ବୈଠକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ତରାଗୋକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବୀରେ ସୋମବାର ବନ୍ତ ବ୍ଲକ ତରାଗୋ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋବିନ୍ଦପୁର ସମିତି ସଭ୍ୟା ନିଳିମା ଖଟୁଆ, ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ମଲ୍ଲିକ, ପ୍ରଶାନ୍ତ କୁମାର ଖଟୁଆ, ଶ୍ରୀକାନ୍ତ ଦାଶ, କୂଳମଣି ଦାଶ, ମାନସ ରଞ୍ଜନ ଦାଶ, ଅଜୟ କୁମାର ରାଉତ, ବନମାଳୀ ପ୍ରଧାନ, ଗୌରାଙ୍ଗ ଚରଣ ରାଉତ, ମନୋଜ କୁମାର ରାଉତ, ନନ୍ଦ କିଶୋର ବାରିକ, ଶଶୀକାନ୍ତ ସାହୁଙ୍କ ସମେତ ବହୁ ତରାଗୋ, ସୁନାଗଢିଆ, ଚାରିଘରିଆ, ଗଭିଗଢିଆ, ପଙ୍ଗୀରା ଆଦି ଗ୍ରାମର ବହୁ ବୁଦ୍ଧିଜୀବି, ସମାଜସେବୀ ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । ଏବେ ରାଜ୍ୟ ସରକାର ପଞ୍ଚାୟତ ପୁନଃର୍ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗୋଟିଏ ନୂତନ ଗ୍ରାମ ପଞ୍ଚାୟତ ଗଠନ ପାଇଁ ୨୫ ଶହ ଭୋଟରର ଆବଶ୍ୟକତା ରହିଛି । ସେହି ନିୟମ ଅନୁଯାୟୀ ତରାଗୋ ଏକ ନୂତନ ଗ୍ରାମ ପଞ୍ଚାୟତ ହୋଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ତରାଗୋ ରାଜସ୍ୱ ଗ୍ରାମ ୩ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ଏହାର ପାଶ୍ୱର୍ବର୍ତ୍ତୀ ଅନ୍ୟ ୪ ୱାର୍ଡ ମଧ୍ୟରେ ସୁନାଗଢିଆ, ଚାରିଘରିଆ, ଗଭିଗଢିଆ, ପଙ୍ଗୀରା ଗ୍ରାମ ରହିଛି । ଏସମସ୍ତ ୭ଟି ୱାର୍ଡରେ ଭୋଟର ସଂଖ୍ୟା ୪ ହଜାରରୁ ଅଧିକ ରହିଛି । ଅପରପକ୍ଷେ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ତରାଗୋ ୩କିମି ଏବଂ ସୁନାଗଢିଆ, ଚାରିଘରିଆ ୪କିମି, ଗଭିଗଢିଆ, ପଙ୍ଗୀରା ୫ କିମି ଦୂରରେ ଅବସ୍ଥିତ । ଫଳରେ ଏସମସ୍ତ ୱାର୍ଡର ଲୋକ ମାନେ କୌଣସି କାର୍ଯ୍ୟରେ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ବାର୍ଦ୍ଧକ୍ୟ ଭତ୍ତା ପାଇଁ ହିତାଧିକାରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ୭ଟି ୱାର୍ଡର ମଧ୍ୟସ୍ଥଳ ତରାଗୋକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦେବା ପାଇଁ ବୈଠକରେ ଦାବୀ ହୋଇଥିଲା । ଏଥିନେଇ ଉପରୋକ୍ତ ୭ ୱାର୍ଡର ଅଧିବାସୀ ମାନେ ବିଧାୟକ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଦାବୀ ଜଣାଇବେ ବୋଲି ନିଷ୍ପତ୍ତି ହୋଇଥିଲା ।