ଜାଗା ମିଶନ ଯୋଜନାରେ ସହରୀ ଭୂମିହୀନଙ୍କୁ ପଟ୍ଟା ବଂଟନ

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ବାଲେଶ୍ୱର ପୌରପାଳିକା ତରଫରୁ ସ୍ୱତନ୍ତ୍ର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ୧୮ଟି ବସ୍ତି ଅଂଚଳର ସହରୀ ଆର୍ଥିକ ଦୁର୍ବଳ ଶ୍ରେଣୀ ଭୂମିହୀନମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ଏଥିରେ ୩୪୦ଜଣଙ୍କୁ ଅନ୍ୟୁନ ୩୨୨ ବର୍ଗ ଫୁଟ୍ ପରିମିତ ଜାଗା ପଟ୍ଟା ଘରଡିହ ମାଗଣାରେ ପ୍ରଦାନ କରାଯାଇଛି । ଏହି କ୍ରମରେ ଆବଶ୍ୟକତା ଅନୁଯାୟୀ ବଡ ପରିବାର ଅତି ବେଶୀରେ ୪୮୪ ବର୍ଗଫୁଟ ଜାଗା ନେଇପାରିବେ । କିନ୍ତୁ ତାଙ୍କୁ ବଳକା ୧୬୨ ବର୍ଗ ଫୁଟ ଜାଗାର ସ୍ଥାନୀୟ ବେଞ୍ଚମାର୍କ ଭେଲ୍ୟୁଏସନର ୨୫ ପ୍ରତିଶତ ଅର୍ଥ ପଇଠ କରିବାକୁ ପଡିବ । ଯେଉଁମାନେ ଅଧିକ ଜାଗା ନେଇଛନ୍ତି ସେମାନେ ହିସାବ ଅନୁଯାୟୀ ଅର୍ଥ ଦାଖଲ କରିଥିବା ଜଣାପଡିଛି । ଏହା ୨୦ ତାରିଖ ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ, ରାଜ୍ୟ ସରକାରଙ୍କ ତରଫରୁ ଆସିଥିବା ପର୍ଯ୍ୟବେକ୍ଷକ ସୁଭାଷ ଚନ୍ଦ୍ର ନାଥ ଶର୍ମା, ତହସିଲଦାର ଶତ୍ରୁଘ୍ନ ସେଠୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ସଭାରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ନିର୍ବାହୀ ଅଧିକାରୀ କାହ୍ନୁଚରଣ ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଅତିଥିମାନେ ଏହା ଏକ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଏବଂ ଏହା ଦ୍ୱାରା ବସ୍ତି ଅଂଚଳରେ ଅନିଶ୍ଚିତତା ମଧ୍ୟରେ ରହୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକେ ସ୍ଥାୟୀ ଗୃହ ନିର୍ମାଣ କ୍ଷେତ୍ରରେ ସୁବିଧା ପାଇପାରିବେ ବୋଲି କହିଥିଲେ । ଏହା ଓଡ଼ିଶା ବସ୍ତି ବାସିନ୍ଦା ଆଇନ-୨୦୧୭ ପ୍ରକାରେ କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ଦୀର୍ଘଦିନ ଧରି ସର୍ଭେ କାର୍ଯ୍ୟ ଚାଲୁ ରହିଥିଲା । ଏଫ୍ଆଇଡିଆର ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରରୁ ଦ୍ୱାର ବୁଲି ଏହି ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଓରସାକ୍ର ସହଯୋଗରେ ଡ୍ରୋନ୍ ମାଧ୍ୟମରେ ବସ୍ତିର ପ୍ରକୃତ ସ୍ଥିତି ଉପରେ ଅଧିକ ଅନୁଧ୍ୟାନ କରାଯିବା ପରେ ସେ ଜାଗାକୁ ନେଇ ଅଭିଯୋଗ ଶୁଣାଣୀ କରାଯାଇଥିଲା । ଯେଉଁ ଜାଗାକୁ ଗରିବ ଲୋକଙ୍କ ମଧ୍ୟରେ ବଂଟା ଯାଇ ପଟ୍ଟା ପ୍ରଦାନ କରାଯାଇଛି ତାହା ନିର୍ବିବାଦୀୟ ଜମି ହୋଇଥିବା ପ୍ରକାଶ । ପ୍ରଥମ ପର୍ଯ୍ୟାୟରେ ୪୧୫ଜଣଙ୍କୁ ଏଭଳି ପଟ୍ଟା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ