ବାଲିଯାତ୍ରା ଅବସରରେ ବଂଟନ ନିମନ୍ତେ କାର୍ଯ୍ୟକ୍ଷମ ହେଲା ପୁସ୍ତକ ସଂଗ୍ରହ କେନ୍ଦ୍ର
କଟକ (ଓ୍ବାଇଏନଏସ): ଜ୍ଞାନର ପରିସୀମା ପରିବ୍ୟାପ୍ତ ହେଉ । ସମସ୍ତଙ୍କ ମଧ୍ୟରେ ପୁସ୍ତକ ପଠନର ଆଗ୍ରହ ବଢୁ ଓ ଏହା ଜାରି ରହୁ । ଓଡ଼ିଆ ଭାଷା, ସାହିତ୍ୟ ଓ କାଳଜୟୀ ପୁସ୍ତକଗୁଡିକ ବିଷୟରେ ସମସ୍ତେ, ବିଶେଷକରି ଯୁବପିଢି ଜାଣନ୍ତୁ ଏହି ଉଦ୍ଦେଶ୍ୟ ନେଇ ଐତିହାସିକ ବାଲିଯାତ୍ରା କଟକ ଉପଲକ୍ଷେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି “ପୁସ୍ତକ ସଂଗ୍ରହ କେନ୍ଦ୍ର” । କଟକ ସହରର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମେତ ନେତାଜୀ ସ୍ମାରକୀ, କଟକ ମହାନଗର ନିଗମ ନିକଟସ୍ଥ କଲ୍ୟାଣ ମଣ୍ଡପ ଓ ବାରବାଟୀ ପ୍ୟାଲେସଠାରେ ପୁସ୍ତକ ସଂଗ୍ରହ କେନ୍ଦ୍ର ଖୋଲାଯାଇଥିବାବେଳେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ତହସିଲ ତଥା କିଛି ସ୍କୁଲମାନଙ୍କରେ ମଧ୍ୟ ଏହି କେନ୍ଦ୍ର ଖୋଲାଯାଇଛି । ପୁସ୍ତକ ସଂଗ୍ରହ କେନ୍ଦ୍ରଗୁଡିକରେ ପୁସ୍ତକ ଦାନ ନିମନ୍ତେ ଲୋକମାନଙ୍କର ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି । ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ପାଠକୀୟତା ବୃଦ୍ଧି ପୂର୍ବକ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ ସାଧାରଣ ପାଠକମାନଙ୍କୁ ବାଲିଯାତ୍ରା ସମୟରେ ଓଡ଼ିଆ ସାହିତ୍ୟ ଓ ଭାଷା ଆଦୃତିରେ ସାମିଲ ପୂର୍ବକ ବିନା ମୂଲ୍ୟରେ ବଂଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ମହତ ଉଦ୍ଦେଶ୍ୟ ପାଇଁ ପୁସ୍ତକ ଦାନ କରୁଥିବା ଦାତାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସାପତ୍ର ମଧ୍ୟ ପ୍ରଦାନ କରାଯାଉଛି । ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ଖୋଲାଯାଇଥିବା ପୁସ୍ତକ ଗ୍ରହଣ ଶିବିରରେ ପୁସ୍ତକ ଦାନ କରି ଏହି ଅଭିଯାନ ଓଡ଼ିଆ ପାଠକମାନଙ୍କୁ ସହାୟକ ହୋଇପାରିବ ବୋଲି କହିଛନ୍ତି । ପ୍ରକାଶ ଥାଉକି ଏହି କେନ୍ଦ୍ରରେ ମଧ୍ୟ ଆଜି ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଳାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, କିଛି ପୁସ୍ତକ ପ୍ରକାଶନ ସଂସ୍ଥା ଏବଂ ସର୍ବୋପରି ଜଣେ ଅପସରପ୍ରାପ୍ତ ୭୫ ବର୍ଷ ବୟସ୍କ ଅସୁସ୍ଥ ମହିଳା ଶ୍ରୀମତୀ ରେବତୀ ଦାସ ଆନନ୍ଦର ସହ ପୁସ୍ତକ ଦାନ କରି ଏହି ମହତ୍ କାର୍ଯ୍ୟରେ ନିଜର ଯୋଗଦାନ ରଖିଛନ୍ତିି । ଯୁବପିଢି ଏଭଳି ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ପୁସ୍ତକ ପଠନ ପ୍ରତି ଅଧିକ ଆତ୍କୃଷ୍ଟ ହେବା ଆଶା କରାଯାଉଛି । ବାଲିଯାତ୍ରାରେ ବହୁ ସଂଖ୍ୟାରେ ଜନସମାଗମ ହେଉଥିବାରୁ ପୁସ୍ତକ ବଂଟନ କରି ଲୋକଙ୍କ ମଧ୍ୟରେ ପଠନ ପ୍ରତି ଆଗ୍ରହ ସୃଷ୍ଟି କରାଯାଇପାରିବ ବୋଲି ସେ କହିଛନ୍ତି । ଆଜି ସୁଦ୍ଧା ବିଭିନ୍ନ କେନ୍ଦ୍ରରୁ ୫ ହଜାରରୁ ଅଧିକ ପୁସ୍ତକ ସଂଗ୍ରହ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆଗ୍ରହୀ ପାଠକମାନଙ୍କୁ ବାଲିଯାତ୍ରା ଅବସରରେ ୧ ଲକ୍ଷ ପୁସ୍ତକ ବଂଟନର ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ସୁପ୍ରଚେଷ୍ଟାରେ ପୁସ୍ତକ କ୍ରୟ କରି ମଧ୍ୟ ଉଦ୍ଦେଶ୍ୟ ସାଧନ କରାଯିବ । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଟପୋ ଏବଂ ବାଙ୍କୀ ଉପଜିଲ୍ଳାପାଳ ଶ୍ରୀ ପ୍ରଣବ କୁମାର ବେହେରାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ରୂପାୟନ କରାଯାଉଛି ।


