ଅନ୍ତୋର୍ଦୟ ଗୃହ ଯୋଜନାରେ ଅନିୟମିତତା ଅଭିଯୋଗ

ହାଟଡିହି (ଓ୍ବାଇଏନଏସ) :  ହାଟଡିହି ବ୍ଲକରେ ଅନ୍ତୋର୍ଦୟ ଗୃହ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି।  ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଘର ଯୋଗାଇ ଦିଆ ଯାଇଛି।  ସରକାରୀ କର୍ମଚାରୀ ହୋଇ ସରକାରଙ୍କ ଯୋଜନାରେ ଉଠାଉଛନ୍ତି ଭରପୁର ଫାଇଦା। ନିଜ ନାମରେ ବିଜୁ ପକ୍କାଘର ନେଇଥିବା ବେଳେ ମାଙ୍କ ନାମରେ ହାତେଇଛନ୍ତି ଅନ୍ତୋଦୟ ଗୃହ ଯୋଜନାରେ ଘର । ରାଜ୍ୟରେ ଚାଲି ଥିବା ସରକାରଙ୍କ ଏହି ଯୋଜନା ବିଭିନ୍ନ ଗୃହ ଯୋଜନାରୁ ବାଦ ପଡ଼ିଥିବା ବ୍ୟକ୍ତି,  ପ୍ରାକୃତିକ ବିପର୍ଯ୍ୟୟର ଭାଙ୍ଗି ଯାଇଥିବା ଘର, ବିଭିନ୍ନ ପ୍ରକଳ୍ପ ପାଇଁ ବିସ୍ଥାପିତ ପ୍ରଜା,ଘରର ମୁଖ୍ୟ ରୋଜଗାରକ୍ଷମ ଲୋକ ଭିନ୍ନକ୍ଷମ କିମ୍ବା ବିଧବା ହୋଇଥିଲେ ସେହିଭଳି ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବ୍ଲକରେ ଚାକିରୀ କରିଥିବା କର୍ମଚାରୀ ଜଣକ ପୂର୍ବରୁ ଏକ ବିଜୁ ପକ୍କା ଘର ପାଇଥିବା ବେଳେ ଏବେ ତାଙ୍କ ମା ‘ଙ୍କ ନାମରେ ହାତେଇଛନ୍ତି ଅନ୍ତୋଦୟ ଗୃହ ଯୋଜନାରେ ଘର। ଏହିଭଳି ଘଟଣା ଦେଖୁବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ପନ୍ଦାଡୋ ଗ୍ରାମ ପଞ୍ଚାୟତରେ। କର୍ମଚାରୀ ଜଣକ ହାଟଡିହି ବ୍ଲକର ରୁରାଲ ହଉସିଂରେ  କାର୍ଯ୍ୟ କରୁଥିବା ବେଳେ ପୂର୍ବରୁ ନିଜ ନାମରେ ବିଜୁ ପକ୍କା ଘର ଯୋଜନାରେ ଘର ନେଇଥିବା ବେଳେ କିପରି ପୁନର୍ବାର ନିଜ ମାଙ୍କ ନାମରେ ଅନ୍ତୋଦୟ ଗୃହ ଯୋଜନା ରେ ଘର ହାତେଇଛନ୍ତି ତାହା ବିଭାଗ ର ସ୍ଵଚ୍ଛତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିଭଳି ଘୋଟାଲା କୁ ବିଭାଗୀୟ ବିପିସି ଓ ମଣ୍ଡଳ ଅଧିକାରୀ ଜାଣିପାରିଲେ ନାହିଁ କିପରି, ନା ଜାଣି ଶୁଣି ନିଜ କର୍ମଚାରୀ ବୋଲି ରହିଗଲେ  ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଏହି ଅଯୋଗ୍ୟ ହିତାଧୁକାରୀଙ୍କ ଠାରୁ  ଟଙ୍କା ଫେରସ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସରପଞ୍ଚ ଯୋଗ୍ୟ ବ୍ୟକ୍ତି ବୋଲି ରିପୋର୍ଟ ଦେବା ପରେ ଯାଇ ତାଙ୍କୁ ଏହି ଯୋଜନାରେ ସାମିଲ କରା ଯାଇଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ