ସ୍ମାର୍ଟ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ
ନାଉଗାଁ,(ଓ୍ବାଇଏନଏସ): ସ୍କୁଲ ପରି ଏବେ ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନେ ପାଇବେ ସ୍ମାର୍ଟ କ୍ଲାସର ସୁବିଧା। ଚାରି କାନ୍ଥ ଭିତରେ ମିଳିବ ଅତ୍ୟାଧୁନିକ ଜ୍ଞାନ କୌଶଳ। ସ୍ମାର୍ଟ ଯୁଗରେ ଅଙ୍ଗନୱାଡିକୁ ବି ସ୍ମାର୍ଟ କରିବାର ପ୍ରୟାସ କରିଛନ୍ତି ରାଜ୍ୟର ଅଗ୍ରଣୀ ସାମଜିକ ଅନୁଷ୍ଠାନ ସର୍ବୋତ୍ତମ ସୋସିଆଲ ଅର୍ଗନାଇଜେସନ ଓ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା। ଏହି ପରିପ୍ରେକ୍ଷୀରେ ରଘୁନାଥପୁର ବ୍ଲକର ଦୁଇଟି ଓ ତିର୍ତୋଲ ଓ ନାଉଗାଁ ବ୍ଲକରେ ଦୁଇ ଟି ସ୍ମାର୍ଟ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂପୁର ଜିଲ୍ଲାର ମହିଳା ଓ ଶିଶୁ କଲ୍ୟାଣ ଅଧିକାରୀ ବିଷ୍ଣୁପ୍ରୀୟା ସେଠୀ, ଆଞ୍ଚଳିକ ଶାଖା ପରିଚାଳକ ବିଜୟ କୁମାର ବେହେରା, ତିନୋଟି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତୃପ୍ତମୟୀ ମହାନ୍ତି, ଆସୁମଣି ସୋରେନ, ଓ ବାସନ୍ତୀ ମାଇଁ, ତିର୍ତୋଲ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ରମାକାନ୍ତ ଭୂଇଁଆ ଓ ନାଉଗାଁ ଶାଖା ପରିଚାଳକ ଶଶାଙ୍କ ଜେନା ଯୋଗ ଦେଇଥିଲେ। ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନର ସମ୍ପାଦିକା ଶ୍ରାବଣୀ ରାୟ ଓ ଉପଦେଷ୍ଟା ପ୍ରଦୀପ କୁମାର ଲେଙ୍କା, ଅଞ୍ଜଳି ବେହେରା ଓ ଭାରତ ଜ୍ୟୋତି ରାୟ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କେନ୍ଦ୍ରରେ ବିଭିନ୍ନ ଖେଳ ମାଧ୍ୟମରେ ପାଠ ପଢିବେ ଦେଶର ଭବିଷ୍ୟତ। ଚାରିକାନ୍ଥ ଭିତରେ ବସି ଆଉ ବିରକ୍ତି ହେବେନି କୁନି କୁନି ପିଲା। କାନ୍ଥରେ ରଙ୍ଗ ବେରଙ୍ଗର ଛବି ସାଙ୍ଗକୁ ସ୍ମାର୍ଟ ଟିଭିରେ ପାଠ ପଢ଼ିବାର ସୁଯୋଗ ପାଇବେ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ। ପ୍ରତ୍ୟେକ ପରିବାରରେ ପିଲାମାନଙ୍କ ପାଇଁ କାଳ ହୋଇଛି ମୋବଇଲ ଫୋନ। ଯାହାକି ଆଗାମୀ ଦିନ ପାଇଁ ଆଣିପାରେ ଅନେକ ବିପଦ। ଏହାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯଇଛି ସ୍ମାର୍ଟ ଅଙ୍ଗନୱାଡି। ମୋବାଇଲ ଫୋନ୍ ଠାରୁ ଦୂରତା ବଜାୟ ରଖି ସ୍ମାର୍ଟ ଟିଭିରେ ପାଇବେ ମୋବାଇଲ ସୁବିଧା। ଏଥିସହ ସ୍ୱଛତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇ ଆକ୍ୱାଗାର୍ଡ ଦ୍ୱାରା ମିଳିବ ସ୍ୱଚ୍ଛ ପିଇବା ପାଣିର ସୁବିଧା। ଅନ୍ୟପକ୍ଷରେ ପିଲାମାନଙ୍କୁ ଆକୃଷ୍ଟ କରିବ ଏହି ସ୍ମାର୍ଟ ବ୍ୟବସ୍ଥା । ଫଳରେ ପିଲାମାନେ କେନ୍ଦ୍ରକୁ ଆସିବାକୁ ବି ମନ ବଳାଇବେ। କେବଳ ସେତିକି ନୁହେଁ ଅତ୍ୟାଧୁନିକ ଖେଳନା ମାଧ୍ୟମରେ ମନୋରଞ୍ଜନ ସାଙ୍ଗକୁ ଏକାଧିକ ପଶୁ ପକ୍ଷୀଙ୍କୁ ଜାଣିବାର ସୁଯୋଗ ପାଇବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଭଳି ପ୍ରୟାସକୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଛନ୍ତି।

 
             
						 
						 
						 
						 
						 
						
