ସାଇବର ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ.
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ପୋଲିସ୍ ପ୍ରଶାସନ ତରଫରୁ ଛତ୍ରପୁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପ୍ରକୋଷ୍ଠରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକାରୀ ସୀମା ସ୍ୱାଇଁ, ଉପଖଣ୍ଡ ପୋଲିସ୍ ଅଧିକାରୀ ଚନ୍ଦନ କୁମାର ଘଡେଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ସାଇବର ଅଧିକାରୀ କିରଣ କୁମାର ସ୍ୱାଇଁ ଉପସ୍ଥିତ ରହି ସାଇବର ଠକ କଣ ଓ କିପରି ହୁଏ ତାହା ବିସ୍ତୃତ ଭାବେ ଆଲୋକପାତ କରିଥିଲେ l ସାଇବର ଠକାମି ଠାରୁ ନିଜକୁ କିପରି ଦୂରେଇ ରଖିପାରିବା ଏବଂ ଏହି ଠକଙ୍କ ଠାରୁ ନିଜ ସଞ୍ଚିତ ଧନରାଶି ସୁରକ୍ଷିତ ରଖିବା ପାଇଁ ସଚେତନତାର ମାର୍ଗ ବିଭିନ୍ନ ଉଦାହରଣ ସହ ପ୍ରାଞ୍ଜଳ ଭାବେ ବୁଝାଇଥିଲେ l ଭୁଲ ବଶତଃ ସାଇବର ଠକାମୀର ଶିକାର ହେଲେ ତୁରନ୍ତ ୧୯୩୦ କିମ୍ବା ୧୦୪୫ ନଂ କିମ୍ବା www.cyber.gov.in କୁ ତୁରନ୍ତ ଜଣାଇବା ପାଇଁ ଉପଦେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ସୁରେନ୍ଦ୍ରନାଥ ପାଢ଼ୀ, କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ପାଢ଼ୀ, ସମ୍ପାଦକ ସୋମନାଥ ସାହୁ, ଉପସଭାପତି ପ୍ରଶାନ୍ତ କୁମାର ଶତପଥୀ, ସହ ସମ୍ପାଦକ ସନ୍ତୋଷ କୁମାର ବଡ଼ତ୍ୟା, କୋଷାଧକ୍ଷ ଜି. ପାପା ରାଓ ପୋଲିସ୍ ଅଧିକାରୀଙ୍କ ସହ ମଂଚାସୀନ ହୋଇଥିଲେ l ଉପଦେଷ୍ଟା ନରସିଂହ ଅଚାରୀ ପ୍ରାରମ୍ଭିକ ସୂଚନା ଦେଇଥିଲେ I ଉପସଭାପତି ପ୍ରଶାନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ l ସଭାପତି ସୁରେନ୍ଦ୍ରନାଥ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l

 
             
						 
						 
						 
						 
						 
						
