ପ୍ରଭୁ ଧବଳେଶ୍ଵର ଓ ବଡ଼ ଓଷା
ସନ୍ତୋଷ କୁମାର ଦାଶ
କାର୍ତ୍ତିକ ମାସ ଶେଷ ପାଞ୍ଚ ଦିନ ଭୀଷ୍ମ ପଞ୍ଚକ ମଧ୍ୟରେ ପାଳିତ ହୋଇଥାଏ ବଡଓଷା । ସବୁ ଓଷା ଭିତରେ ଏହା ବଡ ବୋଲି ଏହାର ନାମ ବଡ଼ ଓଷା ହୋଇଛି ବୋଲି କୁହାଯାଏ। ବଡ ଓଷାର ମହିମା ପୁରାଣରେ ବର୍ଣ୍ଣିତ । ଏକଦା ପ୍ରଭୁ ଶିବ ଙ୍କ ଦର୍ଶନ ପାଇଁ ନାରଦ ମୁନି କୈଳାସ ରେ ପହଞ୍ଚି ଥିଲେ । ମହାଦେବଙ୍କ ଦର୍ଶନ ହେଲା । ଭକ୍ତମାନଙ୍କ ଦୁଃଖ ଦୁର୍ଦଶା ସଂପର୍କରେ ନାରଦ ମହାଦେବଙ୍କୁ ଅବଗତ କରାଇଲେ । ଭକ୍ତଙ୍କ ଦୁଃଖ ଦୂର ହେବାର ଉପାୟ ପାଇଁ ପ୍ରାର୍ଥନା କଲେ । କାର୍ତ୍ତିକ ଶୁଳ୍କ ଚତୁର୍ଦ୍ଦଶୀରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ ମହାଦେବ କହିଲେ । ସେହି ଦିନଠାରୁ ମର୍ତ୍ତବାସୀ ନିଷ୍ଠାର ସହ ବଡ ଓଷା ପାଳନ କରି ଆସୁଛନ୍ତି । ବଡ ଓଷାର ମୁଖ୍ୟ ପୀଠ ପ୍ରଭୁ ଶ୍ରୀ ଶ୍ରୀ ବାବା ଧବଳଶ୍ୱେର । ଏହି ଓଷାରେ ଗଜଭୋଗ ଠାକୁରଙ୍କୁ ଅର୍ପଣ କରାଯାଏ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ଏହି ଭୋଗ ଲାଗି ହୁଏ। ଚତୁର୍ଦ୍ଦଶୀ ତିଥିର ସକାଳେ ଭକ୍ତମାନେ ଗଜଭୋଗ ପାଆନ୍ତି।ଏହି ଭୋଗର ମଧ୍ୟ ସ୍ୱତନ୍ତ୍ରତା ରହିଛି। ଠାକୁର କଳା ବଳଦକୁ ଧଳା କରିଥିବାରୁ ଗଜ ଭୋଗର ଭିତର କଳା ଓ ବାହାର ଧଳା ହୋଇଥାଏ।ଧଳା ରଙ୍ଗର ଚାଉଳ ଚୁନାରେ ତିଆରି ହୋଇଥିବାରୁ ଏହା ଧଳା ଦେଖାଯାଏ। କିନ୍ତୁ ଭିତରେ ମୁଗ ଓ ଗୁଡ଼ରେ ତିଆରି ପୁର ଦିଆଯାଇ ଥାଏ। ତେଣୁ ଭିତର କଳା ଦିଶେ। ଗଜଭୋଗ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ପିଠା। ଏହାର ଉପରି ଭାଗ ବଳଦର ଶିଙ୍ଗ ପରି ଗୋଜିଆ ହୋଇଥାଏ।ଲୋକକଥା ଅନୁଯାୟୀ, ଥରେ ଜଣେ ଚୋର ଗୋଟିଏ କଳା ବଳଦ ଚୋରି କରି ଆଣିଥିଲା। ଏ କଥା ଜାଣି ପାରି ଗାଁ ଲୋକ ମାନେ ଚୋରକୁ ଧରିବାକୁ ଗୋଡେଇଥିଲେ। ଚୋରଟି ବା ଆଉ କଣ କରିପାରିବ। ଧରାପଡ଼ି ମାଡ଼ ଖାଇବା ଭୟରେ ସେ ଲୁଚି ଯାଇଥିଲା ମହାନଦୀର ପାଣି ଘେରି ରହିଥିବା ଏକ ଦ୍ୱୀପ ସଦୃଶ ସ୍ଥାନରେ। ସେହି ସ୍ଥାନଟି ସେତେ ବେଳେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା।ଲୋକମାନେ ଚୋରକୁ ଜଗି ରହିଥିଲେ। ଧରା ପଡିଗଲେ ଲୋକଙ୍କ ହାତରେ ଜୀବନ ଯିବାର ଭୟ ଚୋରକୁ ଘାରୁଥିଲା। ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା। ଚୋର ତା’ର ଜୀବନ ବଞ୍ଚାଇ ଦେବାକୁ ଭଗବାନଙ୍କୁ ଡାକୁଥାଏ। ଏହି ସମୟରେ ଭଗବାନ ଶିବ ଜଣେ ସନ୍ୟାସୀ ବେଶରେ ଗାଁ ଲୋକଙ୍କ ଆଗରେ ଉଭା ହେଲେ। ଲୋକମାନଙ୍କୁ ସେ ସେମାନଙ୍କ ରାଗିବାର କାରଣ ପଚାରିଲେ। ଲୋକମାନେ କହିଲେ, ଆମର ଗୋଟିଏ କଳା ବଳଦ ଚୋରି ହୋଇଯାଇଛି। ଚୋର ଏଇଠି କୋଉଠି ଲୁଚିଛି, ଆମେ ତାକୁ ଜଗି ରହିଛୁ।ଏ କଥା ଶୁଣି ସନ୍ୟାସୀ ରୂପରେ ଥିବା ଭଗବାନ ଶିବ କହିଲେ, ଏଠି ତ କଳା ବଳଦ ନାହିଁ। ଦୂରରେ ଏକ ବଳଦ ଚରୁଛି କିନ୍ତୁ ତାର ରଙ୍ଗ ତ ଧଳା। ଲୋକମାନେ ମଧ୍ୟ ଦେଖିଲେ, ସତରେ କିଛି ଦୂରରେ ଗୋଟିଏ ଧଳା ବଳଦ ଚରୁଥିଲା। ଏହାପରେ ଲୋକମାନେ ବୁଝିଗଲେ। ଚୋରି ହୋଇଥିବା ବଳଦ ଏହା ନୁହେଁ। ଚୋର ବି ବାହାରି ଆସିଲା। ସେଠାରୁ ସନ୍ୟାସୀ ଜଣକ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଗଲେ। ଚୋର ଭୟରେ କିନ୍ତୁ ଥରୁଥାଏ। ସାହସ ଜୁଟାଇ ଚୋର ଲୋକଙ୍କୁ ସବୁ କଥା କହିଲା। ଚୋର କହିଲା ଯେ, ସେ କଳା ବଳଦ ଚୋରି କରି ଆଣିଥିଲା। କିନ୍ତୁ ଭଗବାନ ଶିବ ତା’ର ଆକୁଳ ନିବେଦନ ଶୁଣି କଳା ବଳଦକୁ ଧଳା କରିଦେଇଛନ୍ତି । ସେହିଦିନ ଠାରୁ ଲୋକମାନେ ଏହି ପୀଠରେ ଭଗବାନ ଶିବଙ୍କୁ ବାବା ଧବଳେଶ୍ୱର ଙ୍କ ନାମ ରେ ପୂଜା କଲେ। ଆଉ ପୀଠଟି ଧବଳେଶ୍ୱର ପୀଠ ନାମରେ ଖ୍ୟାତ ହେଲା। ସବୁଆଡ଼େ ପ୍ରଚାରିତ ହେବାକୁ ଲାଗିଲା ବାବା ଧବଳେଶ୍ୱରଙ୍କ ମହିମା। ପଦ୍ମପୁରାଣ ରୁ ଜଣାଯାଏ ଯେ, ବ୍ରହ୍ମା ଙ୍କ ଅଭିଶାପ ରୁ ମୁକ୍ତି ପାଇବା ପାଇଁ ଦେବରାଜ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ । ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ । ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜା କରୁଥିଲେ । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ । ଫଳରେ ବାହ୍ୟଶତ୍ରୁଙ୍କ ଦ୍ବାରା ପରାଜିତ ହୋଇ ତାଙ୍କୁ ରାଜ୍ୟ ହରାଇବାକୁ ପଡିଲା । ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ । ସେହି ବଣ ରେ ଜଣେ ଶିବପୂଜକ ସନ୍ୟାସୀ ବାସକରୁଥିଲେ । ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ । ରାଜା ସେହି ଫୁଲ ଗୁଡ଼ିକୁ ସନ୍ୟାସୀ ଙ୍କ ଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ । ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା । ତାଙ୍କର ଦୁଃଖ ବଢ଼ି ଚାଲିଲା । ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ । ଶିବଭକ୍ତ ଙ୍କ ଅଭିଶାପ ରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ । ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ପ୍ରଭୁ ଧବଳେଶ୍ବର ଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ । ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ । କ୍ରତୁ ରୋଗମୁକ୍ତ ହେବା ସହିତ ନିଜ ରାଜ୍ୟ ଫେରି ପାଇଲେ। ରାଜା କ୍ରତୁ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ବ କଲେ । ବାବା ଧବଳେଶ୍ଵର ଙ୍କ ପାଖରେ ବଡଓଷା ଦିନ ରୀତି ନୀତି ଅନୁଯାୟୀ ମଧ୍ୟରାତ୍ର ରେ ସ୍ନାନ ନୀତି ପରେ ଗଜ ଭୋଗ ଲାଗି ହୁଏ। ଏହା ପରେ ବଡ ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଶ୍ରୀ ଧବଳେଶ୍ୱର । ରାଜ୍ୟ ର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଦିନ ପ୍ରଭୁ ଧବଳେଶ୍ବର ଙ୍କୁ ପୂଜା କରା ଯାଇଥାଏ। ବିଭିନ୍ନ ଦେବ ଦେବୀ ପୀଠ ମାନଙ୍କରେ ଏକ ଗୁଆ କୁ ପ୍ରଭୁ ଧବଳେଶ୍ବର ଭାବେ ସ୍ଥାପନା କରାଯାଇ ତାଙ୍କ ସମ୍ମୁଖ ରେ କାର୍ତ୍ତିକ ବ୍ରତ ଧାରୀ, ଓଷା ପାଳନ କରୁଥିବା ଶ୍ରଦ୍ଧାଳୁ ଓ ବିଭିନ୍ନ ପରିବାର ଙ୍କ ପକ୍ଷରୁ କଦଳୀ ଶିରିଣୀ , ଚୁଡ଼ା ଘଷା,
ବିଭିନ୍ନ ପ୍ରକାରର ପିଠା ଭୋଗ ଲାଗି କରା ଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ପ୍ରାତଃ ରେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ନଦୀ, ପୁଷ୍କରିଣୀ, ଜଳାଶ୍ରୟ ମାନଙ୍କ ରେ ବୁଡ଼ ପକାଇ, ଡ଼ଙ୍ଗା ଭସାଇ ଆସି ସ୍ଥାପନା ହୋଇଥିବା ପ୍ରଭୁ ଧବଳେଶ୍ବର ଙ୍କୁ ଦର୍ଶନ କରିବା ସହିତ ପ୍ରଭୁ ଙ୍କ ପାଖରେ ଲାଗି ହୋଇଥିବା ଭୋଗ ଖାଇଥାନ୍ତି।
ଶେଷ ହୋଇଥାଏ କାର୍ତ୍ତିକ ମାସ ର ଓଷା,ବ୍ରତ। ଓଁ ନମଃ ଶିବାୟଃ।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮


