ଜରାଜୀର୍ଣ୍ଣ ଅବସ୍ଥାରେ ନଅଙ୍କ ଦୁର୍ବିକ୍ଷର ମୁକସାକ୍ଷୀ ଗୋବରୀ କେନାଲ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):୧୮୬୬ ମସିହାର ନଅଙ୍କ ଦୁର୍ବିକ୍ଷର ମୁକସାକ୍ଷୀ ଥିବା ଗୋବରୀ କେନାଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କେନାଲଟିକୁ ସଫେଇ କରାଯାଉ ନାହିଁ କି ସଫାସୁତୁରା କରାଯାଉ ନାହିଁ। ସମୟ ଥିଲା ଏହି କେନାଲ ମାଧ୍ୟମରେ ରିଲିଫ ସାମଗ୍ରୀ ଆସି ନଅଙ୍କ ଦୁର୍ବିକ୍ଷ ସମୟରେ ଲୋକମାନଙ୍କୁ ପ୍ରଦାନ କରାଯାଇ ଲୋକଙ୍କ ଜୀବନ ବଞ୍ଚାଇ ଦିଆଯାଇଥିଲା। ଏହି କେନାଲଟି ଐତିହ୍ୟ ବହନ କରୁଛି। ହେଲେ ଏଥିପ୍ରତି କାହାରି ନଜର ନାହିଁ। ଜଳସେଚନ ବିଭାଗ ନାଁକୁ ମାତ୍ର କେତେବେଳେ କେଉଁଠାରେ କେନାଲ ସଫେଇ କାଗଜ କଲମରେ କରେ। ହେଲେ ସର୍ବଦା କେନାଲଟି ଦଳପୂର୍ଣ୍ଣ ହୋଇଥାଏ। ଏହି କେନାଲ ୧୨ଟି ପଞ୍ଚାୟତର ହଜାର ହଜାର ଚାଷୀଙ୍କ ଜୀବନ ରେଖା ପାଲଟିଛି। କାରଣ କେନାଲ କଡ଼ରେ ହଜାର ହଜାର ହେକ୍ଟର ଚାଷ ଜମି ରହିଛି। କିନ୍ତୁ କେନାଲ ଦଳଭର୍ତ୍ତି ହୋଇଥିବାରୁ ଜଳସେଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। କେନାଲ ଦଳଭର୍ତ୍ତି ହୋଇଥିବାରୁ ଉପରମୁଣ୍ଡରୁ ତଳ ମୁଣ୍ଡକୁ ପାଣି ଯାଇ ପାରୁନାହିଁ। ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇ ପାରୁନାହିଁ। ଐତିହ୍ୟ ସଂପନ୍ନ କେନାଲର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିଲ୍ଲା ସ୍ତରରେ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହା ଫଳରେ ଐତିହ୍ୟ ସଂପନ୍ନ କେନାଲଟି ନିଶ୍ଚିହ୍ନ ହେବାକୁ ବସିଲାଣି। ଏହି କେନାଲ ଜଗତପୁରରୁ ବାହାରିଥିବା ବେଳେ ଦାନପୁର ନିକଟରେ ଦୁଇ ଭାଗ ହୋଇଛି। ଗୋଟିଏ ମାର୍ଶଘାଇ କେନାଲ ଓ ଅନ୍ୟଟି ଗୋବରୀ କେନାଲ ଭାବେ ନାମିତ ହୋଇଛି। ଏହି କେନାଲ ଦାନପୁର, ବସପୁର, ଚକ୍ରୋଡ଼ା, ଭାଗବତପୁର, ଯମଧର, ଭରତପୁର, ଶ୍ୟାମସୁନ୍ଦରପୁର ପ୍ରମୁଖ ପଞ୍ଚାୟତ ଦେଇ କେନ୍ଦ୍ରାପଡ଼ା ସହରକୁ ଆସିଛି। କେନ୍ଦ୍ରାପଡ଼ା ସହର ଦେଇ କେନାଲଟି ଓସ୍ତପୁର, କଂସାର, ପୁରୁଷୋତ୍ତମପୁର ଓ ଆୟବା ପଞ୍ଚାୟତର ଗଣ୍ଡାକିଆ ପର୍ଯ୍ୟନ୍ତ ଯାଇଛି। କେନାଲର ଉଭୟ ପାଶ୍ୱର୍ରେ ହଜାର ହଜାର ହେକ୍ଟର ଚାଷ ଜମି ରହିଛି। ଏହି ଚାଷ ଜମିକୁ କେନାଲ ଜଳ ସେଚିତ କରିଥାଏ ବୋଲି କହିଛନ୍ତି କଂସାର ପଞ୍ଚାୟତର ସମାଜସେବୀ ପ୍ରଦ୍ୟୁମ୍ନ କୁମାର ଜେନା। ଶ୍ରୀ ଜେନା କହିଛନ୍ତି ଦିନ ଥିଲା ଏହି କେନାଲ ୧୨ରୁ ଅଧିକ ପଞ୍ଚାୟତର ଜୀବନ ରେଖା ଥିଲା। ସେହିପରି ନଅଙ୍କ ଦୁର୍ବିକ୍ଷ ସମୟରେ ଏହି କେନାଲଟି ବେଶ ସହାୟକ ହୋଇଥିଲା। ଏହି କେନାଲର ପୁନରୁଦ୍ଧାର କରାଯିବାର ଆବଶ୍ୟକତା ରହିଛି। କିନ୍ତୁ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଛି। ଜଳସେଚନ ବିଭାଗ କେତେବେଳେ କେମିତି କେନାଲର କେଉଁଠାରେ କିଛି କିଛି ଦଳ ସଫା କରେ। ହେଲେ ସଂପୂର୍ଣ୍ଣ ଦଳ ସଫା ହୁଏ ନାହିଁ। ପୂର୍ବରୁ ଏହି କେନାଲର ପାଣି ଲୋକେ ପିଉଥିଲେ। ସେହିପରି ଲୋକେ କେନାଲରେ ସ୍ନାନ କରୁଥିଲେ। ହେଲେ କିଛି ବର୍ଷ ହେବ କେନାଲର ରକ୍ଷଣା ବେକ୍ଷଣା ହେଲାନାହିଁ। ସେହିପରି କେନ୍ଦ୍ରାପଡ଼ା ସହର ଦେଇ କେନାଲ ଆସିଥିବାରୁ ଲୋକେ ନିଜର ପାଇଖାନା ଟାଙ୍କିର ପାଇପ କେନାଲ ମଧ୍ୟକୁ ଛାଡି ଦେଲେ। ଫଳରେ କେନାଲ ଜଳ ପ୍ରଦୂଷିତ ହେଲା। ତେଣୁ ଉଭୟ ପ୍ରଶାସନ ଓ ଜନସାଧାରଣ ଏଥିପ୍ରତି ସଚେତନ ହେବା ଉଚିତ। ଫଳରେ କେନାଲର ପୁନରୁଦ୍ଧାର ହୋଇପାରିବ। ଏହାସହ ଏହି କେନାଲ ଆମ ଉତ୍ତର ପୀଡିଙ୍କ ପାଇଁ ସଂରକ୍ଷିତ କରି ରଖାଯାଇ ପାରିବ। ଏ ନେଇ ସବୁ ସ୍ତରରେ ଉଦ୍ୟମ ହେବା ଉଚିତ ବୋଲି ସେ କହିଛନ୍ତି। ଓସ୍ତପୁର ଅଞ୍ଚଳର ବରିଷ୍ଠ ନାଗରିକ ଫକୀର ଚରଣ ଖଟୁଆ କହିଛନ୍ତି ଏହି କେନାଲର ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଆସୁଛି। ହେଲେ ଏହାର ସଠିକ ବିନିଯୋଗ ହେବା ଦରକାର। ସେ କହିଛନ୍ତି ଦିନ ଥିଲା ଗୋବରୀ କେନାଲ ପାଣି କାଚ କେନ୍ଦୁ ପରି ଦିଶୁଥିଲା। ଆମ ପିଲାଦିନେ ଏହି ପାଣିକୁ ଆମେ ବ୍ୟବହାର କରୁଥିଲୁ। ଏଥିରେ ସ୍ନାନ କରୁଥିଲୁ। ଉଭୟ ପାଶ୍ୱର୍ରେ ଥିବା ଗ୍ରାମବାସୀ ଏହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ଗାଇ ଗୋରୁମାନେ ଖରାଦିନେ ଏହି କେନାଲ ପାଣି ପିଇ ଶୋଷ ମେଣ୍ଟାଉଥିଲେ। ଏହି ପାଣି ଏତେ ନିର୍ମଳ ଥିଲା ଯେ କେନାଲରେ ଥିବା ମାଛ ଦେଖା ଯାଉଥିଲା। କେନାଲରେ ଗୋଟିଏ ହେଲେ ଦଳ କିମ୍ବା ଘାସ ନ ଥିଲା। ହେଲେ ପରବର୍ତ୍ତୀ ସମୟରେ ଏହାର ରକ୍ଷଣା ବେକ୍ଷଣା ନ ହେବାରୁ ଏହା ପ୍ରଦୂଷିତ ହେବାରେ ଲାଗିଲା। ଏବେ ଚାଷ ଜମିକୁ ଏହି ପାଣି ମାଡି ପାରୁ ନାହିଁ। କାରଣ କେନାଲ ଦଳଭର୍ତ୍ତି ହୋଇଯାଇଛି। ତେଣୁ ଏହାର ପୁନରୁଦ୍ଧାର କରିବା ସହ ଏକ ଐତିହ୍ୟ ବହନ କରୁଥିବା କେନାଲ ହୋଇଥିବାରୁ ଏହାକୁ ଆମ ଉତ୍ତର ପୀଢି ପାଇଁ ସଂରକ୍ଷିତ କରି ରଖାଯାଉ। ଏହାସହ ଏଥିରେ କଟକ ତାଳଦଣ୍ଡା କେନାଲ ଭଳି ଜଳକ୍ରୀଡ଼ା ସୁବିଧା କରାଯାଉ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜଳସେଚନ ଡିଭିଜନର ଯନ୍ତ୍ରୀ ଇଂ ଉମେଶ ସେଠୀ କୁହନ୍ତି କେନାଲ ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଗୋବରୀ କେନାଲର କିଛି ଅଂଶ କଂକ୍ରିଟ୍ ୱାଲ ହୋଇଛି। ବାକି ପୁନରୁଦ୍ଧାର କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ