ପ୍ରଥମାଷ୍ଟମୀରେ ଜ୍ୟେଷ୍ଟ ସନ୍ତାନ ମାନେ ନୂଆ ପିନ୍ଧିଲେ,ପିଠା ଖାଇଲେ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ): ବୁଧବାର ପାଳିତ ହୋଇଛି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହି ଦିନକୁ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଏ।। ଘରର ଜ୍ୟେଷ୍ଠ ସନ୍ତାନମାନଙ୍କ ପାଇଁ ସ୍ବତନ୍ତ୍ର ପୂଜା କରିବାର ପରମ୍ପରା ରହିଛି। ଜ୍ୟେଷ୍ଠ ସନ୍ତାନମାନେ ସକାଳୁ ଉଠି ଗାଧୋଇ ନବ ବସ୍ତ୍ର ପରିଧାନ କରିଥାଆନ୍ତି। ତାପରେ ତାଙ୍କୁ ପିଢାରେ ବସାଯାଇ ବନ୍ଦାପନା କରାଯାଇଥାଏ। ଜ୍ୟେଷ୍ଠ ସନ୍ତାନମାନଙ୍କର ଶୁଭ ମନାସୀ ଷଠୀ ଦେବୀ ଓ କୂଳ ଦେବତାଙ୍କ ନିକଟରେ ପୂଜା କରାଯାଇଥାଏ। ଜ୍ୟେଷ୍ଠ ସନ୍ତାନଙ୍କୁ ପଢୁଆଁ କରିବା ପାଇଁ ମାମୁଁ ଘରୁ ନୂତନ ବସ୍ତ୍ର ଆସିଥାଏ। ନୂଆ ବସ୍ତ୍ର ପିନ୍ଧି ବନ୍ଦାପନ ହୋଇ ସାରିବା ପରେ ହଳଦୀ ପତ୍ରରେ ତିଆରି ସ୍ବତନ୍ତ୍ର ଏଣ୍ଡୁରୀ ପିଠା ଖାଇ ଥାଆନ୍ତି।
ମାର୍ଗଶିର ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ।ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ ଓ କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ ।ଛେନା, ନଡ଼ିଆପୁର, ଗୁଡ଼, ଉଆପକ୍ଷିଆ ଚାଉଳ, ହଳଦୀ ପତ୍ର ଏବଂ ବିରିରେ ପିଠା ତିଆରି କରାଯାଏ। ହଳଦୀ ପତ୍ରର ମହମହ ବାସ୍ନାରେ ପିଠାରେ ସୁଆଦ ଅଧିକ ରୁଚିକର ଲାଗେ।


