ଅସ୍ତରଙ୍ଗ ଦେବୀନଦୀରେ କମୁଛି ମତ୍ସ୍ୟ ଉତ୍ପାଦନ
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ )-୧୩/୧୧:-ଜୈବ ବିବିଧତା ଦିନକୁ ଦିନ ନଷ୍ଟ ହେବାରୁ ବିପଦ ଆଡକୁ ମୁହାଁଉଛି ଦେବୀ ନଦୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ସ୍ଥାନୀୟ ମସ୍ଚ୍ୟଜୀବି ଙ୍କ ଭାତହାଣ୍ଡି ଦେବୀ ନଦୀର ଜଳରାଶି ପ୍ରଦୂଷିତ ହେବାରେ ଲାଗିଲାଣି। ଫଳରେ ଦେବୀ ନଦୀରେ ଜନ୍ମନେଉଥିବା ମାଛ ଜାଆଁଳ କ୍ରମଶଃ କମି ଆସୁଛି। ୧୦ବର୍ଷ ତଳେ ଦେବୀ ନଦୀରୁ ଧରା ହେଉଥିବା ମାଛ, କଙ୍କଡା ଓ ଚିଙ୍ଗୁଡ଼ିର ପରିମାଣ ୭୦ଭାଗ କମିଯାଇଥିବାରୁ ମସ୍ଚ୍ୟଜୀବି ପରିବାର କୌଳିକ ବୃତ୍ତି ଛାଡି ଏବେ ବାହାର ରାଜ୍ୟମୁହାଁ ହୋଇ ବାହାରେ କାମ କରୁଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନଗର, ଆଳସାହି, ଛୁରିଆନା ପଂଚାୟତ ର ସହନ, ସୁଦିକେଶର, ଡ଼ାଳୁଅକଣି, ପାଟଳଦା ପଂଚାୟତ ର ବଡ଼ନାନପଡା, ନୂଆଗଡ, ଝାଡ଼ଲିଙ୍ଗ ଅଞ୍ଚଳ ପାଖାପାଖି ୧୨ହଜାର ରୁ ଉର୍ଦ୍ଧ ମସ୍ଚ୍ୟଜୀବି ଦେବୀ ନଦୀଉପରେ ନିର୍ଭର କରି ସେମାନଙ୍କ ଜୀବନ ଜୀବିକା ନିର୍ବାହ କରି ଆସୁଛନ୍ତି। ବ୍ୟାଙ୍କ ଓ ମସ୍ଚ୍ୟ ସମବାୟ ସମିତିଠାରୁ ଲକ୍ଷ ଲକ୍ଷ ଟଙ୍କା ଋଣନେଇ ଜାଲ, ଇଂଜିନ ଟାପା ଓ ଡ଼ଙ୍ଗା କିଣି ସେମାନେ ଦେବୀ ନଦୀ ଓ ନିକଟବର୍ତ୍ତୀ ଅଞ୍ଚଳରେ ମାଛ ଧରିଥାନ୍ତି। ଅସ୍ତରଙ୍ଗ ଦେବୀ ନଦୀରେ ମସ୍ଚ୍ୟ ଉତ୍ପାଦନ ଦିନକୁ ଦିନ କମିବା ପରେ ସେମାନେ କୌଳିକ ବୃତ୍ତିକୁ ଛାଡି ଦାଦନ ମୁହାଁ ହେବାରେ ଲାଗିଛନ୍ତି।ମସ୍ଚ୍ୟଜୀବି ଦେବୀ ନଦୀରେ ଡ଼ଙ୍ଗା ଓ ଜାଲ ସହାୟତା ରେ ମାଛ ଧରିବା ପାଈଁ ଦିନରାତି ଏକ କରି ଦେଉଥିବା ବେଳେ ସେମାନଙ୍କ ପରିଶ୍ରମ ତୁଳନାରେ ଯଥେଷ୍ଟ କମ୍ ପରିମାଣର ମାଛ ଜାଲରେ ପଡୁଛି। ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି। ମସ୍ଚ୍ୟଜୀବି ଙ୍କ ସାମାଜିକ, ସାଂସ୍କୃତିକ , ଅର୍ଥନୈତିକ ସ୍ୱରୋଜଗାର ଏହି ଦେବୀ ନଦୀ ସହିତ ଜଡିତ। ସମୟ କ୍ରମେ ଅଣମସ୍ଚ୍ୟଜୀବି ମଧ୍ୟ ଦେବୀ ନଦୀକୁ ପଶିବା ଦ୍ୱାରା ମସ୍ଚ୍ୟଜୀବି ଙ୍କ ସହ ପ୍ରତିଯୋଗିତା ତୀବ୍ରତର ହେବାକୁ ଲାଗୁଛି। ଛୋଟ ଜାଲ, ଫାସ, ରିଂ ଜାଲ,ଡ଼ଙ୍ଗାର ବହୁଳ ବ୍ୟବହାର ମାଛଧରା ଆଦି ଯୋଗୁଁ ମସ୍ଚ୍ୟ ସମ୍ପଦ ହ୍ରାସ ପାଇବାରେ ଲାଗିଲାଣି। ଦେବୀ ନଦୀ ଅଞ୍ଚଳରେ ଏକର ଏକର ବ୍ୟାପ୍ତ ଜାଲ ବିଛାଇ ବିସ୍ତୃତ ଅଞ୍ଚଳରେ ଚିଙ୍ଗୁଡ଼ି ଚାଷ କରାଯାଉଛି। ଏହାଦ୍ୱାରା ମସ୍ଚ୍ୟଜୀବି ରୋଜଗାର ହରାଇବା ସହ ମସ୍ଚ୍ୟ ଉତ୍ପାଦନ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହୋଇଛି। ଦେବୀ ନଦୀ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅଣ ମସ୍ଚ୍ୟଜୀବି ଦେବୀ ନଦୀ ରୁ ପମ୍ପଯୋଗେ ଲୁଣା ପାଣି ନେଇ ଚିଙ୍ଗୁଡ଼ି ଚାଷ କରିବା ଫଳରେ ରାସାୟନିକ ଦ୍ରବ୍ୟ ପ୍ରଭାବରୁ ଦେବୀ ନଦୀରେ ଦଳ ଜାତୀୟ ଗୁଳ୍ମ ହ୍ରାସ ପାଉଛି। ଫଳରେ ମାଛ ଓ କଙ୍କଡାର ଖାଦ୍ୟ ପରିମାଣ କମିଯିବା ସହ ମାଛ ଯାଆଁଳା ନଷ୍ଟ ହେଉଛି। ଏହା ସହ ମୁହାଁଣ ମୁହଁ ପୋତି ହେବା ଯୋଗୁଁ ମାଛ ବଂଶ ହ୍ରାସ ପାଉଥିବା ସ୍ଥାନୀୟ ମସ୍ଚ୍ୟଜୀବି ପ୍ରକାଶ କରିଛନ୍ତି। ଋଣ କରିଥିବା ମସ୍ଚ୍ୟଜୀବି ପରିବାର ଚଳାଇବା କଷ୍ଟକର ହୋଇ ପଡିଛି। ପରିବାର ପ୍ରତିପୋଷଣ ପାଈଁ ଅସ୍ତରଙ୍ଗ ଅଞ୍ଚଳ ମସ୍ଚ୍ୟଜୀବି ତାମିଲନାଡୁ, ସୁରଟ, କୋଲକାତା, ଗୋଆ, ଚେନ୍ନାଇ, କେରଳ ପ୍ରଭୂତି ବାହାର ରାଜ୍ୟକୁ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି। ଦେବୀ ନଦୀଉପରେ ନିର୍ଭର କରୁଥିବା ମସ୍ଚ୍ୟଜୀବି ଙ୍କୁ ମାଛ ଚାଷ ପାଈଁ ପ୍ରଶିକ୍ଷଣ ଦେବା ସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ମସ୍ଚ୍ୟଜୀବି ଦାବୀ କରିଛନ୍ତି।


