ମୌଳାଭଞ୍ଜା ଗ୍ରାମ ରାମାୟଣ ନାଟକ ମଞ୍ଚ ରେ ନଗ୍ନଦୃଶ୍ୟ ପରିବେଷଣ ଘଟଣା : ଥାନରେ ଲିଖିତ ଅଭିଯୋଗ କଲା ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ
ଦିଗପହଣ୍ଡି ,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ଗ୍ରାମରେ ପରିବେଷଣ ହେଉଥିବା ରାମାୟଣ ନାଟକରେ ଅଶ୍ଳୀଳ ପରମ୍ପରା ସମ୍ପର୍କିତ ଖବର ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ବୁଦ୍ଧିଜୀବୀ ଓ ବିଭିନ୍ନ ନାଟ୍ୟ ସଂସ୍ଥା ସମେତ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପାଇବା ସଙ୍ଗେ ସଙ୍ଗେ ଏହି ଘଟଣାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ସେହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଛି। ରାମାୟଣ ଓ ମହାଭାରତ ଧର୍ମଗ୍ରନ୍ଥ ଭାରତୀୟ ହିନ୍ଦୁ ଧର୍ମ ପରମ୍ପରା ଓ ଜୀବନ ଦର୍ଶନ ସହ ଜଡିତ। ପ୍ରଭୁ ରାମଚନ୍ଦ୍ର ଙ୍କୁ ମର୍ଯ୍ୟାଦା ପୁରୁଷ ଓ ସୀତାଙ୍କୁ ଦେବୀ ହିସାବରେ ଲୋକେ ମାନି ପୂଜା କରିଥାନ୍ତି।ଲୋକଙ୍କ ମନରେ ଅଧିକରୁ ଅଧିକ ଭକ୍ତି ଭାବନା ସୃଷ୍ଟି କରିବା ପାଇଁ ଅନେକ ନାଟ୍ୟ ଅନୁଷ୍ଠାନ ଗଢି ରାମାୟଣ କଥା ବସ୍ତୁ ଉପରେ ନାଟକ ପରିବେଷଣ କରିଥାନ୍ତି। କିନ୍ତୁ ମୌଳାଭଞ୍ଜା ଗ୍ରାମର ପରିବେଷଣ ହୋଇଥିବା ନାଟକରେ ବେଦମତୀ ହରଣ ଓ ସୀତା ଚୋରି ର ନଗ୍ନ ଦୃଶ୍ୟ ଅଶ୍ଳୀଳତାର ଚରମ ସୀମାରେ ପହଂଚି ଯାଇଥିଲା। ଏଭଳି ଦୃଶ୍ୟ ଲୋକଲୋଚନ ଆସିବା ପରେ ଲୋକଙ୍କ ମଧ୍ୟରେ ଥିବା ଧର୍ମୀୟ ଭାବନାକୁ କୁଠାରଘାତ କରିବା ସହ ରଙ୍ଗମଞ୍ଚ ରେ ଆଇଟମ ଗାର୍ଲ ଙ୍କ ଅଧା ଲଙ୍ଗଳା ଦୃଶ୍ୟ ଯୁବ ସମାଜକୁ ପଥ ଭ୍ରଷ୍ଟ କରିବା ସଦୃଶ୍ୟ ହେଲା ବୋଲି ସଂଘ ପକ୍ଷରୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି। ।ଏଣୁ ମୌଳାଭଞ୍ଜା ଗ୍ରାମରେ ଚିକିଲି ଓ ଜିଉରା ଗ୍ରାମର ଦୁଇ ନାଟ୍ୟ ଅନୁଷ୍ଠାନ ର ନିର୍ଦ୍ଦେଶକ (ମାଷ୍ଟର), ରାବଣ ଚରିତ୍ର ରେ ଅଭିନୟ କରୁଥିବା କଳାକାର ଓ ଗ୍ରାମର ପ୍ରମୁଖ ଆୟୋଜକ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନାଟ୍ୟ ସଂଘ ର ସଭାପତି ରାଜଗୋପାଳ ପାଢ଼ୀ ପୁଲିସ ନିକଟରେ ଦାବୀ କରିଛନ୍ତି।ଏତଲାକୁ ଗ୍ରହଣ କରି ଆଇଆଇସି ଙ୍କ ଅନୁପସ୍ଥିତିରେ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଥାନା ମାମଲା ନଂ.୪୧୯/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସଂଘ କର୍ମକର୍ତ୍ତାଙ୍କୁ ପ୍ରତିଶୃତି ଦେଇଥିବା ଅଭିଯୋଗକାରି ନାଟ୍ୟ ସଂଘ କର୍ମକର୍ତ୍ତା ମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି।ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ପରେଶ ଚନ୍ଦ୍ର ରଥ ଅଭିଯୋଗକାରୀ ଙ୍କ ଏଭଳି ପଦକ୍ଷେପକୁ ସମର୍ଥନ ଜଣାଇବା ସହ ନାଟ୍ୟ ଅନୁଷ୍ଠାନ ଗୁଡିକ ରେ ଏଭଳି ଅପସଂସ୍କୃତି ଉପରେ ଲଗାମ ଲଗାଯାଉ ବୋଲି ଦାବୀ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଂଘ ର ଅନ୍ୟ କର୍ମକର୍ତା ସୁଶାନ୍ତ ପଟ୍ଟନାୟକ, ସପ୍ନେଶ୍ଵର ପ୍ରଧାନ,ଅରୁଣ କୁମାର ପଣ୍ଡା ପ୍ରମୁଖ କର୍ମକର୍ତ୍ତା ଏତଲା ଦେବା ସମୟରେ ଉପସ୍ଥିତ ଥିଲେ।ଏଭଳି ଘଟଣା ସମ୍ପର୍କରେ ସେମାନେ ଅବଗତ ଅଛନ୍ତି, ଏହା ଉପରେ ଅନୁସନ୍ଧାନ ଚାଲିଛି ବୋଲି ଦିଗପହଣ୍ଡି ଭାରପ୍ରାପ୍ତ ଆଇ. ଆଇ. ସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।


