ନିଜ ଦେଶୀ ବନ୍ଧୁକରେ ବାରୂଦ ଭର୍ତ୍ତି କରୁଥିବା ବେଳେ ଗୁଳି ଫୁଟି ଯୁବକ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ନିଜ ଦେଶୀ ବନ୍ଧୁକରେ ବାରୂଦ ଭର୍ତ୍ତି କରିଥିବା ବେଳେ ଅସାବଧାନତା ଯୋଗୁଁ ହଠାତ  ନିଜ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ଘଟଣାଟି ଘଟିଛି ଗଜପତି ଜିଲ୍ଲାର ସେରଙ୍ଗ ଥାନା ଭୁବନୀ ପଞ୍ଚାୟତ ଅନ୍ତର୍ଗତ ସିତ୍ରୀଗୁଡା ଗ୍ରାମରେ। ମୃତକ ଜଣକ ହେଲେ ୩୫ ବର୍ଷୀୟ ବିରସାନ ଗମାଙ୍ଗ। ସୂଚନାଅନୁଯାୟୀ, ମୃତ ବ୍ୟକ୍ତି ଜଣକ ଗୋଟିଏ ଘରେ ଏକଲା ଥିଲେ , ପରିବାରର ବୃଦ୍ଧ ବାପା ମା ଓ ସ୍ତ୍ରୀ ଛୁଆ ନିକଟସ୍ଥ ଅନ୍ୟ ଏକ ଘରେ ରହିଥିଲେ। ମୃତ ବ୍ୟକ୍ତି ଜଣକ ଦେଶୀ ବନ୍ଧୁକରେ ବାରୁଦ ଭର୍ତ୍ତି କରୁଥିବା ସମୟରେ ଅସାବଧାନତା ଯୋଗୁଁ ହଠାତ୍ ଗୁଳି ଫୁଟି ଯୁବକର ଛାତିରେ ବାଜିଥିଲା, ବଡ଼ ଧରଣର ଶବ୍ଦ ଶୁଣି ପରିବାର ଲୋକେ ଉକ୍ତ ଘରକୁ ଯାଇ ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡ଼ିଥିଲା। ଘଟଣା ସମ୍ପର୍କରେ ସେରଙ୍ଗ ଥାନାରେ ଅବଗତ କରିଥିଲେ ପରିବାର ଲୋକେ। ପୋଲିସ ଏସଡିପିଓ ମାଧବ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ମୃତ ଶରୀରର ଡାହାଣ ଗୋଡ଼ ହାତ ଓ ଭିନ୍ନଭିନ୍ନ ସ୍ଥାନରେ ବାରୁଦ ଚିହ୍ନ ରହିଥିବାରୁ ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିବା ସମୟରେ ଅସାବଧାନତା ବଶତଃ ଏଭଳି ଘଟଣା ଘଟିଥିବା ପ୍ରାଥମିକ ସ୍ତରରେ ଅନୁମାନ କରା ଯାଉଥିବା ପୋଲିସ ସୂଚନା ଦେଇଛନ୍ତି। ପୋଲିସ ମୃତ ଶରୀରକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ ହେଲା ପରେ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି. ଶୋକାକୂଳ ପରିବେଶରେ ସିତ୍ରୀଗୁଡା ଗ୍ରାମରେ ଶବ ସତ୍କାର ହୋଇଯାଇଛି. ଅନ୍ୟପକ୍ଷରେ ଏନେଇ ସେରଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚାଲୁ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ