ଶିଶୁ ମନ୍ଦିର ରଜତ ଜୟନ୍ତୀ ପାଇଁ ବ୍ୟାପକ ପ୍ରସ୍ତୁତି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ର ପ୍ରମୁଖ ଶିକ୍ଷାନୁଷ୍ଠାନ ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ରଜତ ଜୟନ୍ତୀ ବ୍ୟାପକ ପ୍ରସ୍ତୁତି ଚାଲିଛି। ବିଦ୍ୟାମନ୍ଦିର ପ୍ରତିଷ୍ଠା ର ୨୫ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୨୨ ରୁ ୩ ଦିନ ବ୍ୟାପି ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ଅପରାହ୍ନରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ବିଦ୍ୟାମନ୍ଦିର ପରିଚାଳନା ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ବିଷୋୟୀ ଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀରେ ସମ୍ପାଦକ ପ୍ରହଲ୍ଲାଦ ଡାକୁଆ , କୋଷାଧ୍ୟକ୍ଷ ଶ୍ରୀହର୍ଷ ପଣ୍ଡା , ଉପସଭାପତି ଦେବବ୍ରତ ସାହୁ , ଉପଦେଷ୍ଟା ଏସ୍ . ଶ୍ୟାମସୁନ୍ଦର ରେଡ୍ଡୀ , ରଜତ ଜୟନ୍ତୀ ସମାରୋହ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ , ପ୍ରଧାନାଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ , ଭଗବତୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ରଜତ ଜୟନ୍ତୀ ଅବସରରେ ବିଦ୍ୟାମନ୍ଦିର ପକ୍ଷରୁ ଆୟୋଜିତ ହେବାକୁ ଥିବା କଳସ ଯାତ୍ରା , ଗାୟତ୍ରୀ ଯଜ୍ଞ , ସାଧୁସନ୍ଥ ଙ୍କ ସମ୍ମିଳନୀ କାର୍ଯ୍ୟକ୍ରମରେ ରାଜ୍ୟ ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା , ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯୋଗଦେବା ନିମନ୍ତେ ସମ୍ମତ୍ତି ପ୍ରଦାନ କରିଥିବା ବିଦ୍ୟାମନ୍ଦିର କାର୍ଯ୍ୟକର୍ତ୍ତା ବୃନ୍ଦ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ କିଭଳି ଶାନ୍ତି ଶୃଙ୍ଖଳାରେ ସମାପନ ହେବ ସେ ନେଇ ସମସ୍ତ ଅଞ୍ଚଳବାସୀ ଏବଂ ଅଭିଭାବକ ବୃନ୍ଦ ଙ୍କ ସହଯୋଗ କାମନା କରାଯାଇଥିଲା ।


