ଆସନ୍ତା ୨୯ରୁ ୱେବ୍‌ସାଇଟ୍‌ରେ ମିଳିବ ଓଟିଇଟି ପରୀକ୍ଷା ଅସ୍ଥାୟୀ ଉତ୍ତର ‘କି’

କଟକ, (ଓ୍ବାଇଏନଏସ): ଡିସେମ୍ବର ୧୭ ତାରିଖରେ ଅନୁଷ୍ଠିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୫ର ଅସ୍ଥାୟୀ ଉତ୍ତର ‘କି’ ବିଏସ୍ଇଓଡ଼ିଶା ଡଟ୍ ଏସି ଡଟ୍ ଇନ୍ ୱେବ୍‌ସାଇଟ୍‌ରେ ଆସନ୍ତା ୨୯ ତାରିଖରୁ ଉପଲବ୍ଧ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାର୍ଥୀ ଉତ୍ତରରେ କୌଣସି ଅସ୍ପଷ୍ଟତା ବା ଦ୍ୱନ୍ଦ୍ୱ ଅନୁଭବ କରୁଥିଲେ ତାହାକୁ ଚାଲେଞ୍ଜ କରିପାରିବେ । ପ୍ରାର୍ଥୀମାନେ (ବିଏସ୍ଇଓଡ଼ିଶା ଡଟ୍ ଏସି ଡଟ୍ ଇନ୍) ୱେବ୍‌ସାଇଟ୍ ଖୋଲି ‘ଉତ୍ତର କି’ରେ ଦିଆଯାଇଥିବା ଉତ୍ତର ବିରୋଧରେ ଅନଲାଇନ୍‌ରେ ଚାଲେଞ୍ଜ କରିପାରିବେ । ପ୍ରତି ଉତ୍ତରକୁ ଚାଲେଞ୍ଜ କରିବା ପାଇଁ ୫୦୦ ଟଙ୍କା ଦେବାକୁ ପଡ଼ିବ । ପ୍ରାର୍ଥୀ ଚାଲେଞ୍ଜ ସହିତ ପ୍ରମାଣିକ ଦଲିଲ ଅପଲୋଡ୍ କରିପାରିବେ ଯାହା ପରିଷଦର ପ୍ରଶ୍ନ ବିଶ୍ଲେଷଣ କମିଟି ଦ୍ୱାରା ପରୀକ୍ଷଣ ଓ ବିଶ୍ଲେଷଣ କରାଯିବ । ଚାଲେଞ୍ଜ ହୋଇଥିବା ଉତ୍ତରଗୁଡ଼ିକର ବିସ୍ତୃତ ବିଶ୍ଲେଷଣ ପରେ ଓଟିଇଟି-୨୦୨୫ର ଅନ୍ତିମ ‘ଉତ୍ତର କି’ପ୍ରକାଶ କରାଯିବ । ପରୀକ୍ଷା ଫଳାଫଳ ଉକ୍ତ କମିଟି ନିର୍ଦ୍ଧାରିତ ଅନ୍ତିମ ‘ଉତ୍ତର କି’ ଅନୁଯାୟୀ ପ୍ରକ୍ରିୟାକରଣ କରାଯିବ । ପ୍ରଶ୍ନ ବିଶ୍ଲେଷଣ କମିଟିର ନିଷ୍ପତ୍ତି ଅନ୍ତିମ ହେବ ଏବଂ ପ୍ରାର୍ଥୀମାନଙ୍କ ପାଇଁ ଏହାକୁ ମାନିବା ବାଧ୍ୟତାମୂଳକ କରାଯାଇଛି । ‘ଉତ୍ତର କି’ ଚାଲେଞ୍ଜର ଅନ୍‌ଲାଇନ୍ ଲିଙ୍କ୍ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଜାନୁଆରୀ ମାସ ୪ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଲବ୍ଧ ରହିବ । ପ୍ରାର୍ଥୀମାନେ ଫି’ ଜମା କରି ଅନଲାଇନ୍ ଆବେଦନ ଫର୍ମ ଜାନୁଆରୀ ୪ ତାରିଖ ମଧ୍ୟରାତ୍ରି ଯାଏ ଦାଖଲ କରିପାରିବେ । ଏହି ତାରିଖରେ କୌଣସି ପରିବର୍ତ୍ତନ କରାଯିବ ନାହିଁ କିମ୍ବା ସମୟ ବଢ଼ାଯିବ ନାହିଁ । ଚାଲେଞ୍ଜ ଆବେଦନ କେବଳ ଅନଲାଇନ୍ରେ ଗ୍ରହଣ କରାଯିବ । ଇ-ମେଲ୍/ଡାକ ବିତରଣ/ବ୍ୟକ୍ତିଗତ ବିତରଣ ଆଦି ଅନ୍ୟ କୌଣସି ମାଧ୍ୟମରେ ଦାଖଲ କରାଯାଇଥିବା ଆବେଦନ ଗ୍ରହଣ କରାଯିବ ନାହିଁ । ଚାଲେଞ୍ଜ ଗ୍ରହଣ ହେଲେ ପ୍ରତି ଉତ୍ତରର ପୂର୍ଣ୍ଣ ରାଶି ଅନଲାଇନ୍ ଟ୍ରାନ୍ସଫର ମାଧ୍ୟମରେ ପ୍ରାର୍ଥୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ