୨୦୨୬ରେ ନୂଆ ରୂପ ନେବ ଓଡ଼ିଶା ନୌବାଣିଜ୍ୟ
କଟକ, (ଓ୍ବାଇଏନଏସ): ପ୍ରାଚୀନ କଳିଙ୍ଗରେ ସାଧବପୁଅମାନେ କେମିତି କରୁଥିଲେ ନୌବାଣିଜ୍ୟ? ବିଶାଳ ସମୁଦ୍ର ପଥରେ କେମିତି ବୋଇତରେ ସାତଦରିଆ ପାର୍ ହେଉଥିଲେ? କୌଣସି ପ୍ରକାର ଯନ୍ତ୍ରଚାଳିତ ବ୍ୟବସ୍ଥାର ସାହାରା ନନେଇ ଓଡ଼ିଶା ମାଟିରୁ ସାଧବ ପୁଅମାନେ ବାଣିଜ୍ୟ କରିବାକୁ କିଭଳି ଯାଉଥିଲେ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶକୁ? ଏସବୁ କଥା ବହିରେ ପଢ଼ିଥିବା ଆଜିର ପିଢିଙ୍କୁ ଯଦି ଅତୀତର ଏହି ଦୃଶ୍ୟପଟକୁ ପୁଣି ଆଖିରେ ଦେଖିବାକୁ ସୁଯୋଗ ମିଳେ ତେବେ ସ୍ୱପ୍ନ ସତ ହେବା ଭଳି ଲାଗିବ । ତାହା ହିଁ ହେବ । ୨୦୨୬ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଇତିହାସକୁ ପୁଣି ଥରେ ଆଖି ସାମ୍ନାକୁ ଆଣିବ ‘ଆଇଏନ୍ଏସ୍ଭି କୌନ୍ଦିନ୍ୟ’ ।ସିଲେଇ କୌଶଳ ଦ୍ୱାରା ପାରମ୍ପରିକ ଶୈଳୀରେ ନିର୍ମିତ ଏହି ଜାହଜ ‘ଆଇଏନ୍ଏସ୍ଭି କୌନ୍ଦିନ୍ୟ’ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଓଡ଼ିଶାରୁ ବାଲି ଦେଶକୁ ଯାତ୍ରା କରିବ ବୋଲି ଜାହାଜର ନିର୍ମାତା ତଥା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟି ସଦସ୍ୟ ସଞ୍ଜୀବ ସାନ୍ୟାଲ୍ କହିଛନ୍ତି । ଜାତୀୟ ସ୍ତରର ଏକ ଚର୍ଚ୍ଚିତ ପଡ୍କାଷ୍ଟ୍ରେ ବସି ସଞ୍ଜୀବ ଏଭଳି ମତ ଦେବା ପରେ ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନିକଟରେ ଏହି ଜାହାଜ ଗୁଜରାଟର ପୋରବନ୍ଦରରୁ ଓମାନ୍ର ମସ୍କଟ ପର୍ଯ୍ୟନ୍ତ ଏକ ଐତିହାସିକ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରା ଭାରତୀୟ ନାବିକମାନଙ୍କ ଦ୍ୱାରା ନିଆଯାଇଥିବା ଶହ ଶହ ବର୍ଷର ପୁରୁଣା ସମୁଦ୍ର ପଥକୁ ପୁନର୍ବାର ଅନୁସରଣ କରି, ଭାରତ ଏବଂ ଓମାନ ମଧ୍ୟରେ ଐତିହାସିକ ସାମୁଦ୍ରିକ ସଂଯୋଗକୁ ପ୍ରତିଷ୍ଠା କରିବ । ଓମାନ୍ରୁ ଫେରିବା ପରେ ଦ୍ୱିତୀୟ ଯୋଜନା ଓଡ଼ିଶାକୁ ନେଇ ରହିଛି । ଓଡ଼ିଶାରୁ ଦକ୍ଷିଣପୂର୍ବ ଏସିଆର ବାଲି ପର୍ଯ୍ୟନ୍ତ ଯାତ୍ରା କରିବ ଆଇଏନ୍ଏସ୍ଭି କୌନ୍ଦିନ୍ୟ । ଓଡ଼ିଶାର ନୈବାଣିଜ୍ୟ ଇତିହାସ ଅତ୍ୟନ୍ତ ଗୌରବମୟ । ଏହି ସାମୁଦ୍ରିକ ବାଣିଜ୍ୟ ଖ୍ରୀଷ୍ଟପୂର୍ବ ୩୫୦ ବର୍ଷରୁ ଆରମ୍ଭ ହୋଇଥିବା ପ୍ରମାଣିତ ତଥ୍ୟରୁ ସୂଚନା ମିଳେ । କଳିଙ୍ଗର ବଣିକମାନେ (ସାଧବମାନେ) ବଙ୍ଗୋପସାଗର ପାର୍ ହୋଇ ଦକ୍ଷିଣ-ପୂର୍ବ ଏସିଆ ଯେମିତି ବାଲି, ଜାଭା, ସୁମାତ୍ରା, କାମ୍ୱୋଡିଆ, ଭିଏତନାମ ସହିତ ଶ୍ରୀଲଙ୍କା, ଚୀନ ଏବଂ ଆଫ୍ରିକା ସହିତ ବାଣିଜ୍ୟ କରୁଥିବାର ଜଣାଯାଏ । ଓଡ଼ିଶାର ନୌବାଣିଜ୍ୟ ଇତିହାସର ପୃଷ୍ଠାରୁ ଏ ସମସ୍ତ ତଥ୍ୟ ମିଳୁଥିବା ବେଳେ ଏହି ସ୍ୱର୍ଣ୍ଣିମ ଇତିହାସକୁ ମନେ ପକାଇବାକୁ ଐତିହାସିକ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଓଡ଼ିଶା ସହିତ ଦକ୍ଷିଣପୂର୍ବ ଏସିଆ ଅନ୍ତର୍ଭୁକ୍ତ ଦେଶଗୁଡ଼ିକର ନୌବାଣିଜ୍ୟ ସମ୍ପର୍କକୁ ନେଇ ଅନେକ କାର୍ଯ୍ୟକ୍ରମ କରାଯାଇଛି । ୨୦୨୪ ବାଲିଯାତ୍ରାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ବାଲିଯାତ୍ରାକୁ ନିମନ୍ତ୍ରଣ କରାଯାଇଥିବା ବେଳେ ୨୦୨୫ ବାଲିଯାତ୍ରାରେ ଇଣ୍ଡୋନେସିଆକୁ ‘ନେସନ୍ ପାର୍ଟନର୍’ ଭାବେ ସମ୍ମାନ ପ୍ରଦାନ କରାଯାଇଥିଲା । ଏବେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟି ସଦସ୍ୟ ସଞ୍ଜୀବ ସାନ୍ୟାଲ୍ଡଙ୍କ ଏହି ଟିପ୍ପଣୀ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।


