ରାଷ୍ଟ୍ର ପାଇଁ ୯୦ ଦିନ ବ୍ୟାପୀ ମଧ୍ୟସ୍ଥତା କାର୍ଯ୍ୟକ୍ରମ ଆରମ୍ଭ
କଟକ, (ଓ୍ବାଇଏନଏସ): ଜାତୀୟ ଆଇନ ସେବା ପ୍ରାଧିକରଣ, ମଧ୍ୟସ୍ଥତା ଏବଂ ସମାଧାନ ପ୍ରକଳ୍ପ କମିଟି ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ ୯୦ ଦିନ ବ୍ୟାପୀ ମଧ୍ୟସ୍ଥତା କାର୍ଯ୍ୟକ୍ରମ ପୁନଃ ଆରମ୍ଭ ହୋଇଅଛି । ଆଜିଠାରୁ ସମସ୍ତ କଟକ ଜିଲ୍ଲା କୋର୍ଟ ତଥା ସମସ୍ତ ତାଲୁକ କୋର୍ଟ ପରିସରରେ ଏହି କାର୍ଯ୍ୟକର୍ମ ଅନୁଷ୍ଠିତ ହେଉଛି । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଦାଲତରେ ଦୀର୍ଘ ସମୟ ଧରି ଚାଲିଥିବା ମାମଲାଗୁଡିକୁ ମଧ୍ୟସ୍ଥତା ମାଧ୍ୟମରେ ସହଜ, ଦୃତ ସମ୍ମତିମୂଳକ ଭାବେ ସମାଧାନ କରିବା । ଏହା ମାଧ୍ୟମରେ ମକଦ୍ଦମାର ସଂଖ୍ୟା କମିବା ସହିତ ସମୟ, ଧନ ଓ ମାନସିକ ଚାପର ହ୍ରାସ ହେବ । ମଧ୍ୟସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ କୋର୍ଟରେ ବିଚାରଧୀନ ଥିବା ସମସ୍ତ ଘରୋଇ ହିଂସା, ଦୁର୍ଘଟଣା ଜନିତ ମକଦ୍ଦମା, ଚେକ ବାଉଂସ କେସ, ରଫାଯୋଗ୍ୟ ଫୌଜଦାରୀ, ବାଣିଜ୍ୟିକ ମକଦ୍ଦମା, ସେବା ମାମଲା, ସମସ୍ତ ଦେୱାନୀ ମକଦ୍ଦମାର ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯିବ । ଆଇନ ଲଢ଼େଇ ପରିବର୍ତ୍ତେ ସମ୍ମତିରେ ସମାଧାନ ପାଇଁ ସାଧାରଣ ଜନତାଙ୍କୁ ଏହି ଅଭିଯାନର ଲାଭ ନେବାକୁ ଆହ୍ବାନ କରାଯାଉଛି ।


