ମକର ମେଳା ପାଇଁ ଟି-ସେତୁ ଉପରେ ଯାନବାହନ ଚଳାଚଳ ନିଷେଧ
କଟକ, (ଓ୍ବାଇଏନଏସ): ମକର ସଂକ୍ରାନ୍ତି ଅବସରରେ କଟକ ଜିଲ୍ଳା ବଡମ୍ବା ତହସିଲ ଅନ୍ତର୍ଗତ ସିଂହନାଥ ପୀଠରେ ଅନୁଷ୍ଠିତ ହେବାକୁ ଥିବା ମକର ମେଳା ପାଇଁ ଟି-ସେତୁ ଉପରେ ଯାନବାହନ ଚଳାଚଳ ନିଷେଧ କରାଯାଇଛି । ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସିଂହନାଥ ପୀଠରେ ମକର ମେଳା ଅନୁଷ୍ଠିତ ହେବ । ମେଳା ଅବସରରେ ଜନସାଧାରଣଙ୍କ ସୁରକ୍ଷା, ସୁବିଧା ଓ ସୁଚାରୂ ରୁପେ ଭିଡ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଗତ ୨୪ ତାରିଖରେ ବଡମ୍ବା ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଟି ସେତୁ ଉପରେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସକାଳ ୭ ଘଟିକାଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ସମ୍ପୁର୍ଣ୍ଣ ନିଷେଧ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ମକର ମେଳା ସମୟରେ ଟି ସେତୁ ଉପରେ ପ୍ରବଳ ଜନ ସମାବେଶ ତଥା ଭକ୍ତଙ୍କ ଯିବାଆସିବାକୁ ଦୃଷ୍ଟିରେ ରଖି ଦୁର୍ଘଟଣା ରୋକିବା ଓ ଯାତାୟତରେ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଛି ।


