ଫକୀରମୋହନଙ୍କ ୧୮୪ତମ ଜୟନ୍ତୀ ପାଳିତ

ବାଲେଶ୍ୱର, (ଓ୍ବାଇଏନଏସ): କଥା ସମ୍ରାଟ ଫକୀରମୋହନ ସେନାପତିଙ୍କ ୧୮୪ତମ ଜୟନ୍ତୀ ଓ ବ୍ୟାସକବି ନଗର ବିକାଶ ପରିଷଦର ୩୪ତମ ବାର୍ଷିକ ଉତ୍ସବ ପବିତ୍ର ମକର ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଯାଇଛି। ଦିବସବ୍ୟାପୀ କାର୍ଯ୍ୟକ୍ରମରେ ବାଲେଶ୍ୱରର ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଫକୀରମୋହନଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ବର୍ତ୍ତମାନର ସମାଜରେ ପାରିବାରିକ ସାମାଜିକ ସଂପର୍କ କଳୁଷିତ ହୋଇଚାଲିଥିବାବେଳେ ବ୍ୟାସକବି ନଗରର ବାସିନ୍ଦାମାନେ ଦୀର୍ଘ ୩୫ବର୍ଷ ଧରି ଏହି ପରିଷଦ ମାଧ୍ୟମରେ ଐକ୍ୟବଦ୍ଧ ଭାବେ ସ୍ଥାନୀୟ ଅଞ୍ଚଳର ବିକାଶ ସହ ବର୍ଷତମାମ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ ଚେତନାର ବିକାଶ ପାଇଁ କାର୍ଯ୍ୟକ୍ରମାନ ଗ୍ରହଣ କରି ଚାଲିଛନ୍ତି ବୋଲି ବିଧାୟକ ଶ୍ରୀ ଦତ୍ତ ମତ ପ୍ରଦାନ କରିଥିଲେ। ବାଲେଶ୍ୱରର ପୌରାଧ୍ୟକ୍ଷା ସବିତା ସାହୁ ସମ୍ମାନିତ ଅତିଥିଭାବେ ନିଜର ବକ୍ତବ୍ୟରେ ସ୍ଥାନୀୟ ଅଞ୍ଚଳର ସମସ୍ତ ବିକାଶମୂଳକକର୍ଯ୍ୟରେ ବ୍ୟାସକବି ନଗର ବାସିନ୍ଦାମାନଙ୍କ ସହଯୋଗକୁ ଉଚ୍ଚପ୍ରଶଂସା କରିଥିଲେ। ମୁଖ୍ୟବକ୍ତାଭାବେ ବରିଷ୍ଠ ସାହିତ୍ୟିକ ଡକ୍ଟର କୁଞ୍ଜ ବିହାରୀ ଧଳ ଯୋଗଦେଇ ଫକୀରମୋହନଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ତାଙ୍କୁ ଜଣେ ସମାଜ ସଂସ୍କାରକ ଓ ଓଡ଼ିଆ ଭାଷାଭିତ୍ତିକ ରାଜ୍ୟ ଗଠନର ବିନ୍ଧାଣୀ ବୋଲି ମତ ପ୍ରଦାନ କରିଥିଲେ। ପରିଷଦର ବରିଷ୍ଠ ସଦସ୍ୟମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥିମାନେ ସଂବର୍ଦ୍ଧିତ କରିଥିଲେ। ସମାଜସେବାପାଇଁ ଉପେନ୍ଦ୍ରନାଥ ଖୁଣ୍ଟିଆ ଓ ଆଇନଜୀବୀ ଜ୍ୟୋତ୍ସ୍ନା ମହାନ୍ତିଙ୍କୁ ଏବଂ ସ୍ଥାନୀୟ ଅଞ୍ଚଳରେ ସଫେଇ କାର୍ଯ୍ୟରେ ନିଯୁକ୍ତ ଦୁଇଜଣ ସଫେଇ ଶ୍ରମିକ ଭଗବତୀ କାହାଳିଆ ଓ ବାପି ନାୟକଙ୍କୁ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଗତ ରାସ ପୂର୍ଣ୍ଣିମା ଅବସରରେ ମୁରୁଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ମହିଳା ଓ କିଶୋରୀମାନଙ୍କୁ ପ୍ରମାଣପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା। ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ଦିଆଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁମାନଙ୍କ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗିତା ହୋଇଥିଲା।
ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରଭାତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଜିତେନ୍ଦ୍ର କୁମାର ଉପାଧ୍ୟାୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅଖିଳ କୁମାର ଦାସ ଅତିଥିମାନଙ୍କ ପରିଚୟ ଓ ମନୋଜ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସାଧାରଣ ସମ୍ପାଦକ ବିନୋଦ ବିହାରୀ ପଣ୍ଡା ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ଅଶୋକ ଦାଶ ଆୟବ୍ୟୟର ବିବରଣୀ ପାଠ କରିଥିଲେ। ବରିଷ୍ଠ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସହସ୍ରାଧିକ ବାସିନ୍ଦା ମିଳିତଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥିଭାବେ ଉଦ୍‌ଘାଟନ କରିଥିଲେ। ସ୍ଥାନୀୟ କଳାକାରମାନେ ନୃତ୍ୟ ଓ ସଙ୍ଗୀତରେ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ପରିଷଦର ସଭାପତି ସଞ୍ଜୟ କୁମାର ଚୌଧୁରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସର୍ବଶ୍ରୀ ଡମ୍ବରୁଧର ପ୍ରଧାନ, ଭଗବାନ ମହନୀ, ଅକ୍ଷୟ କୁମାର ତ୍ରିପାଠୀ, ରଜତ ପରିଡ଼ା, ରାଜକିଶୋର ରାଉତ, ମୁକୁନ୍ଦ ମୁରାରୀ ଦାସ, ସୁଧିର ଦାସ, ସୁବ୍ରତ ଦାଶ ଓ ଆଦିତ୍ୟ ମହାନ୍ତି ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ