ନୋଏଡା ମୃତ୍ୟୁ-ପ୍ରଶାସନିକ ଅବହେଳାର କାରଣ

ଦିଲ୍ଲୀ ନିକଟସ୍ଥ ନୋଏଡାର ସେକ୍ଟର ୧୫୦ରେ ଗତ ରବିବାର ଦିନ ରାତିରେ ଘନ କୁହୁଡି ମଧ୍ୟରେ ନିଜ କାର ଚଳାଇ ଘରକୁ ଫେରୁଥିବାବେଳେ ଜଣେ ୨୭ବର୍ଷ ବୟସ୍କ ଯୁବ ସଫ୍ଟଓୟାର ଇଂଜିନିୟର ଏକ ବିଶାଳ ନିର୍ମାଣଧୀନ କୋଠା ନିକଟରେ ଥିବା ପାଣି ଭର୍ତୀ ଏକ ଗଭୀର ଗାତରେ ପଡି ମୃତ୍ୟୁବରଣ କରିବା ଘଟଣା କେବଳ ଅତ୍ୟନ୍ତ ହୃଦୟ ବିଦାରକ ନୁହେଁ, ନଗର ପ୍ରଶାସନିକ କର୍ତୁପକ୍ଷଙ୍କ ଅବହେଳା ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କୁହାଯାଇପାରିବ। ତେବେ ଏଭଳି ଘଟଣା ଆମ ଦେଶରେ ନୂଆ ନୁହେଁ। ବାରମ୍ବାର ଏଭଳି ଘଟଣା ଘଟଣା ଘଟି ଜୀବନ ଯାଉଥିବା ସତ୍ୱେ ପ୍ରଶାସନିକ କର୍ତୃପକ୍ଷ ସେଥିରୁ କିଛି ଶିକ୍ଷା କରି ନପାରିବା ନିଶ୍ଚିତ ଭାବେ ଉଦ୍‌ବେଗଜନକ। କହିବା ବାହୁଲ୍ୟ ଯେ, ଦୁଇ ବର୍ଷ ପୂର୍ବେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ବର୍ଷା ପାଣି ଘର ଭିତରେ ପଶି ୩ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ସୁରଟରେ ନିଆଁଲାଗି ୨୨ଜଣ ଛାତ୍ର ଜୀବନ୍ତ ଦଗଧ୍ ହେବା, ମୁକୁଳା ଡ୍ରେନରେ ନିରୀହ ଲୋକଙ୍କ ଜୀବନ ଯିବା ଘଟଣା ଆମ ଦେଶରେ ବାରମ୍ବାର ଘଟୁଛି। କର୍ତୃପକ୍ଷଙ୍କର ଅବହେଳାରୁ ଘଟଣା ଘଟିବା ପରେ ତଦନ୍ତ ନିର୍ଦ୍ଦେଶ, ପିଡୀତଙ୍କ ପରିବାରକୁ ଅନୁକମ୍ପାମୂଳକ କ୍ଷତିପୂରଣ ବା ସହାୟତା, ଆଦି ଏବେ ଏକ ପରମ୍ପରାରେ ପରିଣତ ହୋଇଛି। କିନ୍ତୁ କର୍ତୃପକ୍ଷ ଏହାକୁ ସହଜରେ ଗ୍ରହଣ ନକରି ବରଂ ମୁହଁ ଭୁଡୁକି ଦେଖାଇଥାନ୍ତି। ଦୁର୍ଘଟଣା ପାଇଁ ଗାଡି ଚାଳକ କିମ୍ବା ପଥଚାରୀ ଦାୟୀ ବୋଲି ଦର୍ଶାଇଥାନ୍ତି। ଏହି ଦୁଃଖଦ ଘଟଣାରେ ପ୍ରାଥମିକ ପଦକ୍ଷେପ ସ୍ୱରୁପ ଦୁଇଟି ଇଷ୍ଟେଟ କମ୍ପାନୀ ବିରୁଦ୍ଧରେ ଏତଲା ଦାୟର କରାଯାଇଥିବାବେଳେ କର୍ତବ୍ୟରେ ଅବହେଳା ପାଇଁ ଜଣେ ଜୁନିୟର ଇଂଜିନିୟରଙ୍କୁ ନିଲମ୍ବିତ କରାଯାଇଛି। ଗତ ସୋମବାର ଦିନ ସରକାର ନୋଏଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କୁ ପଦରୁ ବହିସ୍କାର କରିଥିବାବେଳେ ଘଟଣାର ତଦନ୍ତ ପାଇଁ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍ (ଏସଆଇଟି) ଗଠନ କରି ପାଂଚ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନୋଏଡା ହେଉଛି ଦେଶରେ ଶିଳ୍ପାଚଂଳ ସହରର ଏକ ପ୍ରତୀକ। ଭାରତର ସହରାଚଂଳ ପ୍ରୋଜେକ୍ଟ ଭବିଷ୍ୟତର ଏକ ପ୍ରତୀକ। ୧୯୭୬ ମସିହାରେ ଜାତୀୟ ରାଜଧାନୀ ଦିଲ୍ଲୀ ନିକଟସ୍ଥ ଉତରପ୍ରଦେଶର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରୀଆଲ ଡେଲଭପମେଂଟ ଅଥରିଟି(ନୋଏଡା) ଏକ ଶିଳ୍ପାଚଂଳ ସହର ଭାବେ ସ୍ଥାପିତ ହୋଇଥିଲା। ଏହା ଏକ ପୌର ମହାନଗର ନିଗମ କିମ୍ବା ପୌର ସଂସ୍ଥା ନୁହେଁ। ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଉନ୍ନୟନ କର୍ତୃପକ୍ଷଙ୍କ ଦ୍ୱାରା ଏହା ପରିଚାଳିତ। ଦେଶରେ ଏକ ଅତ୍ୟାଧୁନିକ ଶିଳ୍ପାଚଂଳ ସହର ଭାବେ ପରିଚିତ ନୋଏଡା’ର ୨୦୨୫-୨୬ର ବାର୍ଷିକ ବଜେଟ ୮,୮୦୦କୋଟି ରହିଛି। ଏହା ସତ୍ୱେ ବୈଷୟିକ ତୃଟି ଏବଂ କର୍ତୃପକ୍ଷଙ୍କ ଅବହେଳା ଜନିତ ଦୁର୍ଘଟଣା ବାରମ୍ବାର ଘଟୁଛି। ୨୭ବର୍ଷ ବୟସ୍କ ଯୁବ ଇଂଜିନିୟର ମୃତ୍ୟୁ ପାଇଁ କିଏ ଦାୟୀ, ଏହା ହିଁ ଏବେ ପ୍ରଶ୍ନବାଚୀ। ଏକ ଉନ୍ନୟନ କର୍ତୃପକ୍ଷରେ କାହାକୁ ଉତର ଦାୟିତ୍ୱ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ନୋଏଡାକୁ ଏକ ମହାନଗର ନିଗମରେ ପରିଣତ କରିବା ପାଇଁ ସୁପ୍ରିମକୋର୍ଟ ଗତ ଅଗଷ୍ଟ ମାସରେ ପରାମର୍ଶ ଦେଇଥିଲେ ମଧ୍ୟ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହା ସତ୍ୟ ଯେ, ଆମ ଦେଶରେ ରାସ୍ତାଘାଟଠାରୁ ଆରମ୍ଭ କରି ଡ୍ରେନ ପର୍ଯ୍ୟନ୍ତ ସବୁ କିଛି ମରଣ ଯନ୍ତାରେ ପରିଣତ ହୋଇଥିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ମଧ୍ୟ ଏଥି ପ୍ରତି ସରକାର କିମ୍ବା ପ୍ରଶାସନ କେହି କର୍ଣ୍ଣପାତ କରନ୍ତି ନାହିଁ। ଫଳସ୍ୱରୁପ ପ୍ରତିବର୍ଷ ମୃତ୍ୟୁ ସଂଖ୍ୟା ବଢିଚାଲିଛି। ସତେ ଯେପରି କର୍ତୃପକ୍ଷ ବା ସରକାରଙ୍କ ପାଇଁ ନାଗରିକଙ୍କ ଜୀବନ ମୂଲ୍ୟହୀନ। କହିବା ବାହୁଲ୍ୟ ଯେ, ପୋଲିସ ନିର୍ଯ୍ୟାତନା, ବନ୍ୟା, ଅଗ୍ନିକାଣ୍ଡ, ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ନେଇ ପ୍ରତିବର୍ଷ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ପ୍ରକାଶିତ କରୁଥିବାବେଳେ ସରକାରୀ ଅବହେଳା ନେଇ ରିପୋର୍ଟରେ ପ୍ରକାଶ ପାଉନାହିଁ। ଏହି ରିପୋର୍ଟକୁ ଏନସିଆରବି ଗୁରୁତ୍ୱ ଦେବାର ସମୟ ଏବେ ଆସିଛି। ଅବହେଳା ପାଇଁ ଦାୟୀ ଅଫିସର, ବ୍ୟକ୍ତି ବିଶେଷଜ୍ଞ ନାମ ପ୍ରକାଶିତ ହେବା ଜରୁରୀ। ଯାହାକି ସେମାନଙ୍କୁ ସଚେତନ କରାଇବାରେ ସହାୟକ ହୋଇପାରିବ। ଏହା ମଧ୍ୟ ସତ୍ୟ ଯେ, ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ ନକରିବା ପର୍ଯ୍ୟନ୍ତ ଭାରତ କଦାପି ଯଥାର୍ଥ ବିକଶିତ ରାଷ୍ଟ୍ର ହୋଇପାରବି ନାହିଁ।

oppo_34

ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୭୯୭୮୬୬୬୪୦୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ