ପାଣି ପାଇଁ ପାଇପ୍ ବିଛାଇବା ଆଳରେ ଉଜୁଡ଼ିଲା ଗାଁ ରାସ୍ତା: ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

କୋକସରା,(ଗଣେଶ କୁମାର ଭାଟି): ସରକାର ପ୍ରତି ଘରେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ କୋକସରା ବ୍ଲକ୍ ମୋଟେର ପଞ୍ଚାୟତ ଖୋଟଲୁଗୁଡ଼ାରେ ଏକ ବହୁମୁଖୀ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏଥିପାଇଁ ବ୍ଲକ୍‌ର ୨୨ଟି ପଞ୍ଚାୟତର ପ୍ରତ୍ୟେକ ଗଳି କନ୍ଦିରେ ପାଇପ୍ ଲାଇନ୍ ବିଛା ଯାଇଛି । ଏହି ପାଇପ୍ ଲାଇନ୍ ବିଛାଯିବା ପାଇଁ ଗାଁର ମୁଖ୍ୟରାସ୍ତା ତଥା ଗଳି ରାସ୍ତା ସବୁକୁ ଜେସିବି ମେସିନ୍ ସାହାଯ୍ୟରେ ଭାଙ୍ଗି ରୁଞ୍ଜି ପାଣି ପାଇପ୍ ପେତା ଯାଇଛି । ପାଣି ପାଇପ୍ ପୋତା ଯାଇଥିବା ସ୍ଥାନରେ ଆଉ କୌଣସି ପ୍ରକାର ମରାମତି କରାଯାଇ ନାହିଁ । ଯାହା ଫଳରେ ମେଟାଲ୍ ଗେଟି ସବୁ ଉଠିଯାଇ ଯାତାୟତରେ ବାଧା ସୃଷ୍ଟି ହେଉଛି । ଅଧିକାଂଶ ସମୟରେ ଲୋକେ ଯାତାୟତ ବେଳେ ଝୁଣ୍ଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ବର୍ଷା ଦିନେ ତ ଲୋକଙ୍କ ଦୁଃଖ ଆହୁରି ଦ୍ଵିଗୁଣିତ ହୋଇଥାଏ । ତେବେ ନିର୍ମାଣ ବିଭାଗ କୋଟି କୋଟି ଟଙ୍କାର ସରକାରୀ ରାସ୍ତାକୁ ନଷ୍ଟ କରି ନୀରବ ରହିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଚର୍ଚ୍ଚା ହେଉଛି । ଯେହେତୁ ଗାଁରେ ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ପ୍ରଶାସନ ଆଗରେ କେତେ ନେହୁରା ଏବଂ ସଂଘର୍ଷ କରିଥାନ୍ତି। ତାହା ଗ୍ରାମବାସୀ ହିଁ ଅଙ୍ଗେ ନିଭାଇଛନ୍ତି । ପୁଣି ପକ୍କା ରାସ୍ତା ନଥିବାରୁ କେତେ ଦୁଃଖ କଷ୍ଟରେ ଜୀବନଯାପନ କରିଛନ୍ତି ତାହା ସହଜରେ ଗ୍ରହଣ କରିହୁଏ ନାହିଁ । ଏହି ପରିପ୍ରେକ୍ଷୀରେ ଗାଁରେ ଥିବା ନୂତନ ଓ ପୁରାତନ ରାସ୍ତା ସବୁକୁ ପାଣି ପାଇପ୍ ବିଛାଇବା ଆଳରେ ଖଣ୍ଡ ବିଖଣ୍ଡ କରି ମରାମତି ନକରିବା ଅତି ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ବ୍ଲକ୍ ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ