ଅଭିଭାବକଙ୍କୁ ଭେଟିଲେ ଶିକ୍ଷା ବିଭାଗର ଅଧିକାରୀ: ଧାରଣା ସ୍ଥଗିତ
ହାଟଡିହି (ଓ୍ବାଇଏନଏସ): ଅଧିକ ଶିକ୍ଷକ ନିଯୁକ୍ତି ଓ ନୂତନ ଶ୍ରେଣୀଗୃହ ନିର୍ମାଣ ଦାବିରେ ଗୋଡ଼ମା ସ୍କୁଲରେ ଫାଟକରେ ତାଲା ପକାଇ ଚାଲିଥିବା ଧାରଣା ଦୁଇଦିନ ପରେ ପ୍ରତ୍ୟାହୃତ ହୋଇଛି। ଗେଡ଼ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ପଞ୍ଚମ ପର୍ଯ୍ୟନ୍ତ ୬ଟି ଶ୍ରେଣୀ ଥିବା ବେଳେ ୬୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୬ଟି ଶ୍ରେଣୀ ପାଇଁ ମାତ୍ର ଦୁଇଟି ଶ୍ରେଣୀଗୃହ ଥିବାରୁ ଛାତ୍ରଛାତ୍ରୀ ମାନେ ଉପଯୁକ୍ତ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି । ସେହିପରି ୬ଟି ଶ୍ରେଣୀ ପାଇଁ ମାତ୍ର ଦୁଇଜଣ ଶିକ୍ଷକ ଅଛନ୍ତି । ଜଣେ ଶିକ୍ଷକ ସରକାରୀ କାର୍ଯ୍ୟ ଓ ଅଫିସ୍ କାମ, ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଜଣେ ମାତ୍ର ଶିକ୍ଷକ ଠିକ୍ ଭାବେ ଶିକ୍ଷାଦାନ କରିପାରୁ ନାହାନ୍ତି। ଯଦି କୌଣସି କାରଣରୁ ଜଣେ ଶିକ୍ଷକ ଛୁଟିରେ ରୁହନ୍ତି ସେଦିନ ଶିକ୍ଷାଦାନ ସମ୍ପୂର୍ଣ୍ଣ ଠପ ହୋଇଯାଉଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ତାଲା ପକାଇ ଧାରଣାରେ ବସିଥିଲେ। ଦୁଇଦିନ ପରେ ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ଧାରଣା ସ୍ଥଳରେ ପହଞ୍ଚି ଅଭିଭାବକ ଓ ଏସଏମସି କମିଟି କର୍ମକର୍ତ୍ତା ଙ୍କ ସହ ମାନଙ୍କ ଆଲୋଚନା କରି ଅତିଶୀଘ୍ର ଶିକ୍ଷକ ନିଯୁକ୍ତି ଓ ଶ୍ରେଣୀଗୃହ ନିର୍ମାଣ ଲାଗି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


