ସିଆରସିସିଙ୍କ ମନମାନି: ୫ ସିଆରସିସିଙ୍କୁ କାରଣ ଦର୍ଶାଅ ନୋଟିସ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ରେ ନିଯୁକ୍ତ ଅନେକ ସିଆରସିସିଙ୍କ ମନ ମାନି ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡୁଛି। ସେମାନେ ନିଜକୁ ଜଣେ ଜଣେ ଅଧିକାରୀ ଭାବି ମନ ଇଛା ସ୍କୁଲ ଓ ଅଫିସ କୁ ଯିବା ଆସିବା କରିବା, ଅଫିସ ନଯାଇ ନିଜ ଘର କାମ କରିବା ଦ୍ୱାରା ଉପଯୁକ୍ତ ତଦାରଖ ହୋଇ ପାରୁନି। ଗତ ସୋମବାର ଦିନ ବିଇଓ ଙ୍କ କାର୍ଯ୍ୟାଳୟରେ ଶିଶୁ ସେବିକା ନିଯୁକ୍ତି ଉପରେ ରିଭ୍ୟୁ ମିଟିଙ୍ଗ ଥିବାବେଳେ ୫ଜଣ ସିଆରସିସି ବିନା ସୂଚନାରେ ଅନୁପସ୍ଥିତ ରହିଥିଲେ। ଏହି ରିଭ୍ୟୁ ବୈଠକରେ ମୋଟ ୨୧ ଜଣ ସିଆରସିସିଙ୍କ ମଧ୍ୟରୁ ୧୪ଜଣ ଉପସ୍ଥିତ ଥିବାବେଳେ ୭ ଜଣ ଅନୁପସ୍ଥିତ ରହିଥିବା ବେଳେ ୨ଜଣ ଛୁଟିରେ ଥିଲେ । ଖାଲି ଏହି ରିଭ୍ୟୁ ମିଟିଙ୍ଗ ନୁହେଁ ଅନେକ କାର୍ଯ୍ୟକ୍ରମରେ ବିନା ଅନୁମତିରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଅସନ୍ତୋଷ ପ୍ରକାଶ କରିବା ସହିତ ଆମ୍ବୋ ସିଆରସିସି ଆର୍ତତ୍ରାଣ ଜେନା, ବଞ୍ଚୋ ସିଆରସିସି ନିହାର ରଞ୍ଜନ ସ୍ୱାଇଁ, ସଢା ସିଆରସିସି କୃଷ୍ଣଚନ୍ଦ୍ର ନାହାକ, ବାଙ୍ଗୋର ସିଆରସିସି ଚନ୍ଦନ ଶଙ୍ଖୁଆ, ଗେଡ଼ମା ସିଆରସିସି ସୁଶାନ୍ତ କୁମାର ନାୟକଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୨୮ ତା ୨/୨ ୨୦୨୬ରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।


