ବାକି ଟଙ୍କା ମାଗିବାରୁ ମରଣାତ୍ମକ ଆକ୍ରମଣ: ଥାନାରେ ଲିଖିତ ଅଭିଯୋଗ
ନାଉଗାଁ, (ଓ୍ବାଇଏନଏସ): ନାଉଗାଁ ଥାନା ଅନ୍ତର୍ଗତ ଡାବର ପଂଚାୟତର ଡାବର ଗ୍ରାମରେ ଜଣେ ପରିବା ଦୋକାନୀ ବାକି ଟଙ୍କା ମାଗିବାରୁ ମରଣାତ୍ମକ ଆକ୍ରମଣ ହୋଇଥିବା ଦୋକାନୀଙ୍କ ପତ୍ନୀ ମାମିନା ସ୍ୱାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାମିନାଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ବିଜୟ କୁମାର ଜେନା ଗାଁରେ ଏକ ପରିବା ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଉକ୍ତ ଗ୍ରାମର କେଦାର ଚରଣ ପରିଡାଙ୍କର ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ନାମଯଜ୍ଞ ପାଇଁ ସେ ଆମ ଦୋକାନରୁ ପରିବା ପତ୍ର ନେଇଥିଲେ। ଟଙ୍କା ନ ଦେଇ ଘରକୁ ଆସି ଟଙ୍କା ନେବା ପାଇଁ କହିଥିଲେ। ବାକି ଟଙ୍କା ପାଇଁ ମୋ ସ୍ୱାମୀ ତାଙ୍କ ଘରକୁ ଯିବା ବେଳେ ବାବୁଲି ଜେନା,କାବୁଲି ଜେନା ମୋ ସ୍ୱାମୀକୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ। ପ୍ରଥମେ ଆମେ ତାଙ୍କୁ ଚିକିତ୍ସା ପାଇଁ ନାଉଗାଁ ଗୋଷ୍ଠିୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲୁ। ଚିକିତ୍ସା ପରେ ଘରକୁ ଆଣି ଆସିବା ପରେ ସେ ପୁନର୍ବାର ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଏକ ମାମଲା ୪୨/୨୬ରେ ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିବା ଥାନାଧିକାରୀ ପ୍ରଦିପ୍ତ କାନୁନଗୋ ପ୍ରକାଶ କରିଛନ୍ତି।


