ପଦାର୍ଥ ବିଜ୍ଞାନର ଟପର ସୌମ୍ୟାଂଶୁ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କଲେ ସ୍ୱର୍ଣ୍ଣପଦକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ କପାଳୀକ୍ଷେତ୍ର ନିମାପଡା ଗ୍ରାମର ସୌମ୍ୟାଂଶୁ କରଶର୍ମା ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗରେ ଗତ ୨୦୨୫ ଶିକ୍ଷା ବର୍ଷ ପାଇଁ ଟପର ହୋଇ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେହିପରି ତାଙ୍କୁ ଗତ ୨୦୨୫ ଶିକ୍ଷା ବର୍ଷର ପଦାର୍ଥ ବିଜ୍ଞାନ ମାଷ୍ଟର ଡିଗ୍ରୀରେ ଫାଷ୍ଟ କ୍ଲାସ ଫାଷ୍ଟ ଭାବରେ ଗୋଲ୍ଡ ମେଡାଲ ଇନ୍ ଅନର ଅଫ ‘ଦି ମଦର’ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଦୁଇ ସ୍ୱର୍ଣ୍ଣ ପଦକ ଓ ପ୍ରମାଣପତ୍ର ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠାରୁ ସେ ଗ୍ରହଣ କରି ବନ୍ତ ମାଟିର ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସମଗ୍ର ବ୍ଲକରେ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରକାଶ ଯେ, ସୌମ୍ୟାଂଶୁ ୨୦୧୬ ମସିିହାରେ ଅଢାଳପଙ୍କସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରୁ ୮୭.୫ ପ୍ରତିଶତ ନମ୍ବର ରଖି ମାଟ୍ରିକ ପାସ୍ କରିଥିଲେ । ପରେ ୨୦୧୮ରେ ଭଦ୍ରକ ଜୁନିଅର କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ୬୫ ପ୍ରତିଶତ, ୨୦୨୧ରେ ଆଗରପଡା ଡିଗ୍ରୀ କଲେଜରୁ ଯୁକ୍ତ ୩ ବିଜ୍ଞାନରେ ୮୧.୪୨, ୨୦୨୩ରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ବି.ଏଡ୍‌ରେ ୮୪.୭୦ ପ୍ରତିଶତ ନମ୍ବର ରଖି କୃତ କାର୍ଯ୍ୟ ହୋଇଥିଲେ । ୨୦୨୫ରେ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱ ବିଦ୍ୟାଳୟରୁ ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗରେ ୮୫.୩ ପ୍ରତିଶତ ନମ୍ବର ରଖି ବିଶ୍ୱ ବିଦ୍ୟାଳୟରେ ଟପର ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ନିମାପଡା ଗ୍ରାମର ଆଇନଜୀବି ତଥା ସାମ୍ବାଦିକ ଜ୍ଞାନଦା ପ୍ରସାଦ କରଶର୍ମା ଓ ନିମାପଡାସ୍ଥିତ ବିବେକାନନ୍ଦ ଶିଶୁ ମନ୍ଦିରର ଶିକ୍ଷୟିତ୍ରୀ ଦମୟନ୍ତୀ ପାଣିଗ୍ରାହୀଙ୍କର ଏକମାତ୍ର ପୁତ୍ର ଅଟନ୍ତି । ନିଜର କଠୋର ଅଧ୍ୟବ୍ୟସାୟ ଏବଂ ବିଶ୍ୱ ବିଦ୍ୟାଳୟର କୁଳପତି, ପ୍ରାଧ୍ୟାପକ, ପ୍ରାଧ୍ୟାପିକାଙ୍କ ସମେତ ଆତ୍ମୀୟ ସ୍ୱଜନ ମାନଙ୍କ ଆଶୀର୍ବାଦରୁ ସେ ଏହି ସଫଳତାର ଶୀର୍ଷରେ ପହଞ୍ôଚ ପାରିଛନ୍ତି । ସେ ଜଣେ ଅଧ୍ୟାପକ ହୋଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଆଗକୁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ