ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଜାତୀୟ ପାଠଚକ୍ର ଉଦଘାଟିତ

ଖଲ୍ଲିକୋଟ(ଓ୍ବାଇଏନଏସ):  ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଦ୍ଵିଦିବସୀୟ ଜାତୀୟ ପାଠଚକ୍ରର ଆୟୋଜନ କରାଯାଇଛି। ପାଠଚକ୍ରର ପ୍ରଥମ ଦିବସରେ ଉଦଘାଟନୀ ପର୍ବକୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ପୂର୍ବକ ଉଦଘାଟନ କରିଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣା ତଥା ମାର୍ଗଦର୍ଶନରେ ଆୟୋଜିତ ଏହି ପାଠଚକ୍ରର ଉଦଘାଟନୀ ପର୍ବ ପ୍ରାରମ୍ଭ ହୋଇଥିଲା ଛାତ୍ର ସୁମନ ଓ ଶକ୍ତିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନରେ। ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ସାମ୍ପ୍ରତିକ ବିଶ୍ଵ ସାହିତ୍ୟ ଓ ଭାରତୀୟ ସାହିତ୍ୟ ଅଦ୍ୟତନ ଧାରା ଉପରେ ଆଲୋକପାତ କରି ସଦ୍ୟତମ ପ୍ରକାଶିତ ଓଡ଼ିଆ ଗଳ୍ପ ସଂକଳନ ଓ ଉପନ୍ୟାସ ସମ୍ପର୍କରେ ଆଲୋଚନା କରିବା ସହ ସେସବୁ ସହିତ ପରିଚିତ ହେବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ। ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଗାଳ୍ପିକ ରବିନାରାୟଣ ପଣ୍ଡା ସାମ୍ପ୍ରତିକ କଥା ସାହିତ୍ୟରେ ଧାରା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ପ୍ରଫେସର କୃଷ୍ଣ ଚନ୍ଦ୍ର ପ୍ରଧାନ ଭିତ୍ତି ପ୍ରବନ୍ଧରେ ଏକବିଂଶ ଶତାବ୍ଦୀରେ ଘଟିଥିବା ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଘଟଣା ଓ ସାହିତ୍ୟରେ ତାର ପ୍ରଭାବ ଓ ପ୍ରତିଫଳନ ସମ୍ପର୍କରେ ଆଲୋଚନା କରିଥିଲେ, ଓ ପରିବର୍ତ୍ତିତ ସମୟର ସ୍ୱରକୁ ଲକ୍ଷ୍ୟ କରିବା ଆମ ସମସ୍ତଙ୍କ ପାଇଁ ଆହ୍ବାନ ବୋଲି କହିଥିଲେ। ବିଭାଗମୁଖ୍ୟ ଡ. ଉଷାରାଣୀ ରଥ ପାଠଚକ୍ରର ଉଦ୍ଦେଶ୍ୟ ଓ ଉପଯୋଗିତା ସମ୍ପର୍କରେ ସୂଚନା ଦେଇ ଏକବିଂଶ ଶତାବ୍ଦୀର କଥା ସାହିତ୍ୟର ନୂତନ ଭାବସ୍ୱର ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଡ. ବନମାଳି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ବୈଷୟିକ ଅଧିବେଶନରେ ସଭାପତିତ୍ବ କରିଥିଲେ ପ୍ରଫେସର୍ କୃଷ୍ଣଚନ୍ଦ୍ର ପ୍ରଧାନ। ଏଥିରେ ପ୍ରବନ୍ଧ ଉପସ୍ଥାପକ ଭାବେ ଯୋଗ ଦେଇଥିଲେ – ଡ. ହୃଷିକେଶ ପଣ୍ଡା. ଡ. କୁଳମଣି ଓଝା, ଡ. ବନମାଳି ପାଣିଗ୍ରାହୀ ଓ ଶ୍ରୀ ଶ୍ରୀମନ୍ତ ବେହେରା। ପାଠଚକ୍ରର ପରିଚାଳନାରେ ସହଯୋଗ କରିଥିଲେ ସୁଶ୍ରୀ ସ୍ଵର୍ଣ୍ଣଲତା ବିଷୋୟୀ। ଏହି ଉପଲକ୍ଷେ ବିଭାଗର ପ୍ରାଚୀର ପତ୍ର ‘ଶାଶ୍ଵତୀ’ର ନବବର୍ଷ ବିଶେଷାଙ୍କଟି ଅତିଥି ମାନଙ୍କ ହସ୍ତରେ ଉନ୍ମୋଚିତ ହୋଇଥିଲା ଓ ଉଲ୍ଲେଖଯୋଗ୍ୟ ଯେ ପାଠଚକ୍ରରେ ଉପସ୍ଥାପିତ ପ୍ରବନ୍ଧ ଗୁଡ଼ିକର ଏକ ସଂକଳନ ‘ଏକବିଂଶ ଶତାବ୍ଦୀର ଓଡ଼ିଆ କଥା ସାହିତ୍ୟ: ବ୍ୟାପ୍ତି ଓ ଦୀପ୍ତି’ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଶତାଧିକ ଛାତ୍ରଛାତ୍ରୀ, ଗବେଷକ ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ବିଭାଗ ପକ୍ଷରୁ ସୁମନ, ରାଜା, ଓଁକାର, ନନ୍ଦନ, ଅଲିସା, କେ. ମନୀଷା, ପୁଷ୍ପାଞ୍ଜଳି, ସ୍ୱାତୀ, ନର୍ମଦା, ସନ୍ଧ୍ୟା, ଡମ୍ବରୁ, ଗୁଲେକଚନ, ଅଜିତ, ବିଶ୍ୱରଂଜନ, ଶକ୍ତିକାପୁର, ସରୋଜ, ଦୀପକ, ରୋଜା, ଲିପିକା, ଲକ୍ଷ୍ମୀପ୍ରିୟା, ବିଭୂପ୍ରିୟା, ଗୀତା, ସୁମିତ୍ରା, ଜ୍ୟୋସ୍ନା, ସୁମିତ୍ରା ପ୍ରମୁଖ ବହୁ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ