୩ହଜାର ୫ ଶହ ଭତ୍ତା ପାଇବା ଦାବୀରେ ଦିବ୍ୟାଙ୍ଗଙ୍କ ଆମରଣ ଅନଶନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବକେୟା ପ୍ରାପ୍ତ୍ୟ ଓ ୩ ହଜାର ୫ ଶହ ଟଙ୍କା ଭତ୍ତା ପାଇବା ଦାବୀରେ ଆଜି ବନ୍ତ ବ୍ଲକ ସିଡିପିଓ ଅଫିସ ଆଗରେ ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଫୁଲଗଢିଆ ଗ୍ରାମର ଦିବ୍ୟାଙ୍ଗ କୈଳାସ ଚନ୍ଦ୍ର ମହାପାତ୍ର ଆମରଣ ଅନଶନରେ ବସିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ତା-୧୩-୧୨-୨୦୧୨ ରିଖରୁ ତା-୧୨-୨-୨୦୧୫ ରିଖ ପର୍ଯ୍ୟନ୍ତ କୈଳାସ ବନ୍ତ ବ୍ଲକ ସିଡିପିଓଙ୍କ ଗାଡି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସମୟରେ ବକେୟା ବାବଦ ୫୨ ହଜାର ୧୬୬ ଟଙ୍କା ସେ ପାଇନଥିଲେ । ସେବେ ଠାରୁ ସେ ବକେୟା ପ୍ରାପ୍ତ୍ୟ ପାଇବା ନେଇ ଅଭିଯୋଗ କରିଆସୁଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ବକେୟା ପ୍ରାପ୍ତ୍ୟ ମିଳି ପାରିନାହିଁ । ଗତ ୨ ବର୍ଷ ହେବ ସେ ପାରାଲିସିସ ରୋଗରେ ଆକ୍ରାନ୍ତ ଟ୍ରାଇ ସାଇକେଲରେ ଯିବା ଆସିବା କରୁଛନ୍ତି । ସେ ୮୦ ଭାଗ ଶାରିରୀକ ଅକ୍ଷମ ହୋଇଥିବା ବେଳେ ତାଙ୍କୁ ୧୨ ଶହ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି । ବକେୟା ପ୍ରାପ୍ତ୍ୟ ନମିଳିବା, ୮୦ ଭାଗ ଦିବ୍ୟାଙ୍ଗଙ୍କ ପାଇଁ ଧାର୍ଯ୍ୟ ଭତ୍ତା ନମିଳିବା ଫଳରେ ସେ ଚିକିତ୍ସିତ ହୋଇନପାରିବା ଏବଂ ପରିବାର ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିନେଇ ସେ ତା-୩୦-୧୨-୨୦୨୪ ଓ ତା-୮-୯-୨୦୨୫ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହଁ । ଫଳରେ ସେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ସିଡିପିଓ ଅଫିସରେ ଚାକିରୀ କରିବା ସମୟର ବକେୟା ପ୍ରାପ୍ତ୍ୟ ଏବଂ ୮୦ ଭାଗ ଶାରିରୀକ ଅକ୍ଷମଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ୩ ହଜାର ୫ ଶହ ଟଙ୍କା ଭତ୍ତା ପାଇବା ଦାବୀରେ ସେ ଆଜି ଦିନ ୧୦ଟା ଠାରୁ ସିଡିପିଓ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ଜଣାଯାଇଛି । ଅନଶନରେ ବସିବା ନେଇ ସେ ଫେବୃଆରୀ ୪ରେ ଜିଲାପାଳ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ବିଡିଓ, ସିଡିପିଓ, ବନ୍ତ ଥାନାଧିକାରୀ ଓ ଆଗରପଡା ଗେଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଲିଖିତ ଅବଗତ କରିଥିଲେ ।


