ଏସ୍‌ସିବି ମେଡ଼ିକାଲ ଆଇସିୟୁରେ ରୋଗୀ ଆଟେଣ୍ଡାଣ୍ଟଙ୍କୁ ମୋବାଇଲ୍ ମନା

କଟକ, (ଓ୍ବାଇଏନଏସ): ଏସ୍‌ସିବି ମେଡିସିନ୍ ଆଇସିୟୁ ଭିତରେ ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ ଭିଡିଓ ରେକର୍ଡ କରିବା ପରେ ଅବ୍ୟବସ୍ଥାର ଭୟଙ୍କର ଚିତ୍ର ସାମନାକୁ ଆସିଥିଲା। କିନ୍ତୁ ଏହି ଘଟଣା ପରେ ଦୋଷ, ଦୁର୍ବଳତା ଲୁଚାଇବାକୁ ଆଇସିୟୁ ଭିତରକୁ କୌଣସି ଆଟେଣ୍ଡାଣ୍ଟ ମୋବାଇଲ୍ ଫୋନ୍‌ ନେଇପାରିବେ ନାହିଁ ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ନିୟମ କରିଛନ୍ତି। ବାହାରେ ଖାତାରେ ଦସ୍ତଖତ କରି ସୁରକ୍ଷାକର୍ମୀଙ୍କ ଜିମାରେ ମୋବାଇଲ୍‌ ଫୋନ୍‌ ଦେଇ ଆଟେଣ୍ଡାଣ୍ଟ ଭିତରକୁ ଯିବେ। ଏକ ଘରୋଇ ସୁରକ୍ଷା ସଂସ୍ଥା ପକ୍ଷରୁ ନିୟୋଜିତ ହୋଇଥିବା ୪ ଜଣ ସୁରକ୍ଷାକର୍ମୀଙ୍କୁ ବଡ଼ଡାକ୍ତରଖାନା କର୍ତ୍ତୃପକ୍ଷ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆଇସିୟୁ ଅବ୍ୟବସ୍ଥା ପ୍ରସଙ୍ଗରେ ମେଡିସିନ୍ ବିଭାଗ ପ୍ରଫେସର ତଥା ମେଡିସିନ୍ ଆଇସିୟୁ ଇନ୍‌ଚାର୍ଜ ଜୟନ୍ତ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ ସବୁଆଡୁ ରୋଗୀ ରେଫର୍ ହୋଇ ଏସ୍‌ସିବିକୁ ଆସୁଛନ୍ତି। ଏଠାରେ ଓଭରଲୋଡ୍‌ ବଢ଼ୁଥିବା ବେଳେ ସେହି ହିସାବରେ ଲୋକବଳ ନାହାନ୍ତି। ଆଇସିୟୁରେ ଆବଶ୍ୟକ ଅନୁଯାୟୀ ଡାକ୍ତର ଓ ନର୍ସ ନାହାନ୍ତି। ରୋଗୀଙ୍କୁ ଜଗିବାକୁ ଲୋକ ନାହାନ୍ତି। ବେଡ୍ ବି ପର୍ଯ୍ୟାପ୍ତ ନାହିଁ। ଏ ଘଟଣା ସବୁଦିନିଆ ନୁହେଁ। ରୋଗୀଙ୍କ କ୍ଷତି କରିବା ଉଦ୍ଦେଶ୍ୟରେ କରାଯାଉନାହିଁ। ତଦନ୍ତ କମିଟି କରି ଘଟଣାକୁ ଅନୁଧ୍ୟାନ କରାଯାଉଛି। ଲୋକଙ୍କ ଆସ୍ଥା ଏସ୍‌ସିବି ଉପରୁ ନତୁଟୁ। ଏହି ଦୁର୍ଘଟଣା ଯେଭଳି ପୁନଃ ନଘଟେ ସେଥିପାଇଁ ଏସ୍‌ସିବି ମେଡିକାଲ କଲେଜ ଡିନ୍‌, ଅଧୀକ୍ଷକଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଅନ୍ୟପଟେ ଆଇସିୟୁର ଭିଡିଓ ଭାଇରାଲ୍‌ କରି ଏସ୍‌ସିବିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଥିବା ପ୍ରଫେସର ଡାକ୍ତର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ