ଏସସିବିରେ ନିର୍ଦ୍ଧାରିତ ଦିନ ବ୍ୟତୀତ ଅନ୍ୟ ଦିନମାନଙ୍କରେ ମଧ୍ୟ ମିଳିବ ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ
କଟକ, (ଓ୍ବାଇଏନଏସ): ଏସିସିବି ମେଡିକାଲ ଓ ହସ୍ପିଟାଲରେ ରୋଗୀମାନଙ୍କ ସୁବିଧାକୁ ଲକ୍ଷ୍ୟ କରି ବହିଃର୍ବିଭାଗ (ଓପିଡି) ଚିକିତ୍ସା ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ କରାଯାଇଛି । ଏହି ନୂତନ ବ୍ୟବସ୍ଥା ଫଳରେ ଏବେ ରୋଗୀମାନେ ନିର୍ଦ୍ଧାରିତ ଦିନ ବ୍ୟତୀତ ଅନ୍ୟ କାର୍ଯ୍ୟଦିବସରେ ମଧ୍ୟ ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ ପାଇପାରିବେ । ପୂର୍ବରୁ ଏସସିବିର ବର୍ହିବିଭାଗରେ ବିଭିନ୍ନ ବିଭାଗ ଓ ଡାକ୍ତରମାନଙ୍କ ପରାମର୍ଶ ପାଇଁ ନିର୍ଦ୍ଧାରିତ ଦିନ ସ୍ଥିର କରାଯାଇଛି । ଏଥିପାଇଁ ରୋଗୀମାନେ ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ଟିକଟ ବୁକ୍ିଂ କରି ସେହିଦିନ ଡାକ୍ତରୀ ପରାମର୍ଶ ନେଇଥାଆନ୍ତି । ଡାକ୍ତରୀ ପରାମର୍ଶ ପରେ ଅନେକ ସମୟରେ ବିିଭିନ୍ନ ପରୀକ୍ଷା – ନିରୀକ୍ଷା କରାଇବା ଓ ରିପୋର୍ଟ ପାଇବାକୁ ସମୟ ଲାଗିଥାଏ । ଯଦି ରୋଗୀ ସେହିଦିନ ରିପୋର୍ଟ ପାଇପାରନ୍ତି ନାହିଁ, ତେବେ ସେମାନଙ୍କୁ ଆଗାମୀ ନିର୍ଦ୍ଧାରିତ ପରାମର୍ଶ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସସିବି କର୍ତୃପକ୍ଷ ଲାଗୁ କରିଥିବା ନୂତନ ନିୟମ ଅନୁଯାୟୀ, ଯଦି କୌଣସି ରୋଗୀ ନିର୍ଦ୍ଧାରିତ ଦିନରେ ଡାକ୍ତରଙ୍କୁ ରିପୋର୍ଟ ଦେଖାଇବାରେ ଅସମର୍ଥ ହୁଅନ୍ତି, ତେବେ ସେ ପରବର୍ତୀ ଦିନ କିମ୍ବା ଯେକୌଣସି ସରକାରୀ କାର୍ଯ୍ୟ ଦିବସରେ ସକାଳ ୧୦ ଘଟିକାଠାରୁ ଅପରାହ୍ନ ୫ ଘଟିକା ମଧ୍ୟରେ ସମ୍ପୃକ୍ତ ଡାକ୍ତର ଚିକିତ୍ସା କରୁଥିବା ୱାର୍ଡ କିମ୍ବା ଚାମ୍ବରକୁ ଯାଇ ସେହି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏହି ପଦକ୍ଷେପ ରୋଗୀମାନଙ୍କ ପାଇଁ ଅନେକ ସୁବିଧା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ବିଶେଷକରି ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଏଥିରୁ ଲାଭାନ୍ୱିତ ହେବେ । ରୋଗୀସେବାକୁ ଆହୁରି ସୁଗମ ଓ ପ୍ରଭାବଶାଳୀ କରିବା ପାଇଁ ଆଗାମୀ ଦିନମାନଙ୍କରେ ଏଭଳି ପରିବର୍ତନ ଜାରି ରହିବ ।


