ଆସୁଛି ମହାଶିବରାତ୍ରି: ଦୀପ ଗଢ଼ା ବ୍ୟସ୍ତ କୁମ୍ଭକାର

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଚଳିତ ମାସ ୧୫ତାରିଖ ରବିବାର ଗାଁ ଠାରୁ ସହର ସବୁଠି ମହାଶିବରାତ୍ରି (ଜାଗର )ମହାସମାରୋହରେ ପାଳିତ ହେବ। ଏହି ଅବସରରେ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁ ମାନେ ନିଜ ନିଜର ମନସ୍କାମନା ଉଦେଶ୍ୟରେ ଦୀପ ଜାଳିବା ସହିତ ରାତି ଉଜାଗର ରହି ଶିବରାତ୍ରି ପାଳନ କରିବେ। ଏଥିପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଂଚଳର କୁମ୍ଭକାର ପରିବାର ମାନେ ଦୀପ ଗଢିବା କାର୍ଯ୍ୟ ମାସ ମାସ ଧରି ଚଳାଇଛନ୍ତି। ମାତ୍ର ଏବେ ପରିସ୍ଥିତି ବଦଳି ଯାଇଛି। ଲୋକେ ମାଟି ପାତ୍ର ବଦଳରେ ପ୍ଲାଷ୍ଟିକ କୁ ଆପଣେଇ ନେଇଛନ୍ତି। ଫଳରେ ପାରମ୍ପରିକ କୌଳିକ ବେଉସାକୁ ଜାବୁଡି ଧରିଥିବା କୁମ୍ଭକାର ମାନଙ୍କ ଆର୍ଥିକ ସ୍ଥିତି ଏବେ ବିଗିଡିବାରେ ଲାଗିଛି। ପୁଣି ଦୀପ ତିଆରି ପାଇଁ ଆବଶ୍ୟକ ଥିବା କଞ୍ଚାମାଲ ସ୍ୱରୂପ ଚିକିଟା ମାଟି ଓ ତାକୁ ପୋଡିବାର କାଠର ମୂଲ୍ୟ ବଢ଼ି ଯାଇଛି। ଫଳରେ ସ୍ଥାନୀୟ କାକଟପୁର ବ୍ଲକ ଅଂଚଳର ସୋମନାଥପୁର, ଜଗନ୍ନାଥପୁର, ପାଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଓସ୍ତପୁର, ଗୋସିଙ୍ଗା ସମେତ ଆଖ ପାଖ ଅଂଚଳର କୁମ୍ଭକାର ପରିବାର ଏବେ ଏହି କୌଳିକ ବୃତ୍ତି କୁ ନେଇ ପରିବାର ପ୍ରତିପୋଷଣ କରି ପାରୁନଥିବା ଦେଖିବାକୁ ମିଳିଛି। ଅସ୍ତରଙ୍ଗ ବ୍ଲକ ଅଂଚଳର ୭୦ରୁ ଉର୍ଦ୍ଧ ପରିବାର ଓ କାକଟପୁର ବ୍ଲକ ଅଂଚଳର ଶହେ ରୁ ଉର୍ଦ୍ଧ ପରିବାର ପୁରୁଷ ପୁରୁଷ ଧରି ହାଣ୍ଡି, ମାଠିଆ, ଦୀପ, ସରା, ଫୁଲ କୁଣ୍ଡ, ମାଟି ଘୋଡା, ପଲମ, ସୁରେଇ ଓ ଘଡି ଆଦି ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଯୁଗ ବଦଳିବା ସହ ଲୋକଙ୍କ ଚଳଣି ଆଉ ଚାହିଦା ମଧ୍ୟ ବଦଳି ଗଲା। କେବଳ ପୂଜା, ପାର୍ବଣ, ବିବାହ, ବ୍ରତ କୁ ଛାଡି ଦେଲେ ଏହି ମାଟି ପାତ୍ରର ଆଉ ଆବଶ୍ୟକତା ପଡ଼ୁ ନାହିଁ। ଧୀରେ ଧୀରେ ପ୍ଲାଷ୍ଟିକ ନିର୍ମିତ ସାମଗ୍ରୀର ଚାହିଦା ବୃଦ୍ଧି ସହିତ ଆଧୁନିକତା ଅନ୍ଧ ଗଳିରେ ବାଟବଣା ହେବାକୁ ବସିଛି ମାଟି ପାତ୍ର। ଯଦ୍ୱାରା ମାଟିକୁ ନେଇ ପରିବାର ଚଳାଉଥିବା କୁମ୍ଭକାର ପରିବାରଙ୍କର ଜୀବିକା ଏବେ ବିପନ୍ନ। ମାଟି ସାମଗ୍ରୀ ଗଢିବା ପାଇଁ ଯେଉଁ ମଟାଳ ଓ ଦୋରସା ମାଟି ହଜାରେ କିମ୍ବା ଦେଢ଼ ହଜାର ଟଙ୍କାରେ ମିଳୁଥିଲା ଏବେ ପ୍ରାୟ ୩ହଜାର ଟଙ୍କାରୁ ଅଧିକା ଟଙ୍କା ଦେଇ କିଣିବାକୁ ପଡୁଛି। ଅନ୍ୟ ପକ୍ଷେ ବିଭାଗୀୟ କଟକଣା ଯୋଗୁଁ ପୂର୍ବ ପରି ଆଉ ଜାଳେଣି କାଠ ମିଳୁ ନଥିବା ସହ ଅହେତୁକ ଦରବୃଦ୍ଧି ଅନ୍ୟ ଏକ ସମସ୍ୟା ପାଲଟିଛି। ତେଣୁ ଏବେ ଖାଲି ଅଳ୍ପ ପରିମାଣରେ ମାଟି ସାମଗ୍ରୀ ଗଢି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛୁ ବୋଲି କୁମ୍ଭକାର ଶିବ ମୁଦୁଲି କହିଛନ୍ତି। ପରିସ୍ଥିତି ଏବେ ଏଭଳି ଯେ ପାରିଶ୍ରମିକ ତୁଳନାରେ ରୋଜଗାର କମିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ତେଣୁ ବିଭିନ୍ନ ସମସ୍ୟା ପାଇଁ ଅନେକ ଆମ ଭଳି କୁମ୍ଭକାର ପରିବାର ଏଥିରୁ ବିମୁଖ ହୋଇ ଗାଁ ଛାଡି ବିଭିନ୍ନ ସ୍ଥାନକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା କୁମ୍ଭକାର ସୁଷମା ମୁଦୁଲି ସମେତ ଅନ୍ୟାନ୍ୟ କୁମ୍ଭକାର ପରିବାର କୁହନ୍ତି। କୁମ୍ଭକାର ଙ୍କ ଏହି ପାରମ୍ପରିକ କୌଳିକ ବୃତ୍ତି ପ୍ରତି ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଗଲେ ଆହୁରି ଭିନ୍ନ ଢଙ୍ଗରେ କାର୍ଯ୍ୟ କରିବାରେ ସହାୟକ ହୋଇପାରନ୍ତା ବୋଲି ଅନେକ ଯୁବ କୁମ୍ଭକାର ପ୍ରଶାସନ କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ