ରୂପସା ନୀଳମଣି ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ବର(ସରୋଜ ପଣ୍ଡା): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଶିକ୍ଷା ନୀତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେନ୍ଦ୍ରୀୟ ଯୋଜନା “ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍ ଉଷା)” ଅନ୍ତର୍ଗତ ବାଲେଶ୍ଵର ଜିଳ୍ଲାର ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟକୁ ମିଳିଛି ସ୍ଵତନ୍ତ୍ର ଅନୁଦାନ। ମୋଟ ୩କୋଟି ୩୦ଲକ୍ଷ ଟଙ୍କାର ଏହି ଅନୁଦାନରେ ନିର୍ମିତ ହେବ ନୂତନ ଶ୍ରେଣୀ ଗୃହ ଓ ବିଜ୍ଞାନାଗାର। ଏହି ପରିପ୍ରେକ୍ଷୀରେ ବାଲେଶ୍ବର ସଦର ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟାନ୍ୱିତ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କରାଯାଇଛି । ଏହା ସହିତ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଦତ୍ତ ୫୪ଲକ୍ଷ ୬୨ହଜାର ଟଙ୍କା ଅନୁଦାନରେ ପ୍ରସ୍ତାବିତ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ଶ୍ରେଣୀ ଗୃହ ନିର୍ମାଣ ପ୍ରକଳ୍ପ ନିମନ୍ତେ ଶୁଭ ଦିଆଯାଇଛି। ଏ ନେଇ ନୀଳମଣି ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା, ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ, କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ସଙ୍କଳ୍ପକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସୁରଜ ଏହି ଅବସରରେ କହିଥିଲେ। ଏ ଦିଗରେ କେନ୍ଦ୍ରୀୟ ଅନୁଦାନ ମଞ୍ଜୁରୀ ପାଇଁ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ। ସଦର ବିଧାୟକ ମାନସ କୁମାର ଦତ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀଙ୍କୁ କୃତଜ୍ଞତା ଜଣାଇଥିଲେ। ରୁପସା ନୀଳମଣି ମହାବିଦ୍ୟାଳୟରେ ଭିତ୍ତିଭୂମୀର ବିକାଶ ପାଇଁ ଅନୁଦାନ ପ୍ରଦାନ ନିମନ୍ତେ ଅନୁରୋଧକୁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ରକ୍ଷା କରିଛନ୍ତି। ଉତ୍କୃଷ୍ଟ ଶିକ୍ଷାଦାନ ନେଇ ନୀଳମଣି ମହାବିଦ୍ୟାଳୟର ପ୍ରସିଦ୍ଧି ଥିବା ବେଳେ ଗ୍ରାମଂଚଳର ବହୁ ଦୁର ଦୁରାନ୍ତରୁ ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରନ୍ତି । ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ  ବହୁମୁଖୀ ଗୃହ, ଛାତ୍ରୀମାନଙ୍କ ପାଇଁ କମନ ରୁମ, ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ପ୍ରଭୃତି ପାଇଁ ଅଧିକ ଅନୁଦାନର ଆବଶ୍ୟକତା ରହିଥିବା ବେଳେ ଆଗମୀ ଦିନରେ ସେଥିପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଥିଲେ। ଦିଗପହଣ୍ଡି ବିଧାୟକ ତଥା ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୀଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ବେହେରା ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ