ଜିଲ୍ଲାପାଳଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଘଟଣା : ପ୍ରତିକ୍ରିୟା ରଖିଲେ ସାଂସଦ ଭର୍ତ୍ତୃହରି ମହତାବ
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାପାଳଙ୍କ ବିରୋଧରେ ଆସିଛି ସ୍ବାଧୀକାର ଭଙ୍ଗ ନୋଟିସ । ଉପ ରାଷ୍ଟ୍ରପତିଙ୍କ କଟକ ଗସ୍ତ ସମୟରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଅଣଦେଖା କରାଯାଇଥିବାର ଯେଉଁ ଅଭିଯୋଗ ହୋଇଥିଲା, ତା ଉପରେ ହୁଏତ ଜିଲ୍ଲାପାଳଙ୍କୁ କୈଫତ ତଲବ ହୋଇପାରେ। କାରଣ ସଂସଦରେ ସାଂସଦ ଦେବାଶିଷ ଓ ଅନ୍ୟ ୬ଜଣ ସାଂସଦ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ଯଦିଓ ଏବାବଦରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ଶିନ୍ଦେ ପୂର୍ବରୁ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ସେପଟେ ସ୍ୱାଧିକାର ଭଙ୍ଗ ନୋଟିସ୍ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଆମେ ପ୍ରୋଟୋକଲ ବାସ୍ତଵିକ କ’ଣ ରହିଛି ସେ ସମ୍ପର୍କରେ ଅବଗତ ହେବା ଆବଶ୍ୟକ। ଦେବାଶିଷ ଵାଵୁ ଯେହେତୁ ରାଜ୍ୟସଭାର ସାଂସଦ ଅଛନ୍ତି, ତେଣୁ କଟକ ତାଙ୍କ ସଂସଦୀୟ କ୍ଷେତ୍ର ନୁହେଁ ବୋଲି କହିଛନ୍ତି ଭର୍ତ୍ତୃହରି । ଦେବାଶିଷ ରାଜ୍ୟର ସାଂସଦ । ତେଣୁ ସେ କ୍ଷେତ୍ରରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ନିମନ୍ତ୍ରଣର ପ୍ରୋଟୋକଲ କ’ଣ କରିବା କଥା ସେ ନେଇ ଜିଲ୍ଲାପାଳ ତାଙ୍କ ପକ୍ଷ ରଖିବେ ବୋଲି କହିଛନ୍ତି ଭର୍ତ୍ତୃହରି । କିନ୍ତୁ ଏଭଳି କ୍ଷେତ୍ରରେ ପ୍ରୋଟୋକଲର ତର୍ଜମା ହେଵା ଆଵଶ୍ୟକ ବୋଲି ଭର୍ତ୍ତୃହରି ମତ ଦେଇଛନ୍ତି ।


