ସରିତା ସାହୁ ହେଲେ ନୂତନ ଜିଲ୍ଲା ବିଜେଡି ମହିଳା ସଭାପତି
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାସ):ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁଙ୍କୁ ଜିଲ୍ଲା ବିଜେଡି ମହିଳା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ରାପଡା ପୈାରପରିଷଦର ଅଧ୍ୟକ୍ଷା ଭାବେ ଶ୍ରୀମତୀ ସାହୁଙ୍କ କାର୍ଯ୍ୟଦକ୍ଷତା ଓ ସାଂଗଠନିକ ଦକ୍ଷତାକୁ ନେଇ ବିଜେଡି ପକ୍ଷରୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀମତୀ ସାହୁ ୨୦୨୨ମସିହାରୁ କେନ୍ଦ୍ରାପଡା ପୈାରପାଳିକାର ଅଧ୍ୟକ୍ଷା ଭାବେ କାର୍ଯ୍ୟକରିଆସୁଛନ୍ତି। ବିଗତ ୪ବର୍ଷ ମଧ୍ୟରେ ସେ କେନ୍ଦ୍ରାପଡା ପୈାରପାଳିକା ଅଞ୍ଚଳରେ ବିଜେଡିର ସାଂଗଠନିକ ଦକ୍ଷତାକୁ ବୃଦ୍ଧି କରିଛନ୍ତି। ସେହିପରି ପୈାରାଞ୍ଚଳରେ ବିକାଶ ମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଦେଇ ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି। ୨୦୨୪ରୁ ବିଜେଡି ହାତରୁ ଶାସନ କ୍ଷମତା ଖସିଯାଇଥିଲେ ମଧ୍ୟ ପୈାରାଞ୍ଚଳରେ ସଂଗଠନ ଦୁର୍ବଳ ହୋଇନାହିଁ। ସଂଗଠନକୁ ମଜଭୁତ କରିବାରେ ସେ ଅହରହ ପରିଶ୍ରମ କରୁଛନ୍ତି। ତାଙ୍କର ଏହି ସାଂଗଠନିକ ଦକ୍ଷତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ପହଞ୍ଚି ଥିବାରୁ ଦଳ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଅର୍ପଣ କରିଛି। ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦଳର ସୁପ୍ରିମୋ ମୋ ଉପରେ ଭରଷା କରି ଯେଉଁ ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି ତାହାକୁ ମୁଁ ସୂଚାରୁ ରୂପେ ପାଳନ କରିବି। କେନ୍ଦ୍ରାପଡା ପୈାରାଞ୍ଚଳବାସୀଙ୍କ ସ୍ୱାର୍ଥକୁ ପୂର୍ବରୁ ଯେପରି ଅଗ୍ରାଧିକାର ଦେଇଆସିଛି ଆଗକୁ ମଧ୍ୟ ତାହା ନିରବଛିନ୍ନ ଭାବେ ଚାଲିବ। ଏଥିପାଇଁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ଏହି ନିଯୁକ୍ତି ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଛି।


