ଡିସିପିଙ୍କ ପ୍ରଶ୍ନରେ ଘାଇଲା ହେଲା ରିମାଣ୍ଡ୍ରେ ଥିବା ବିହାରୀ ଅପରାଧି ମଧୁକାନ୍ତ ରାଣା
କଟକ,(ଓ୍ବାଇଏନଏସ): ରିମାଣ୍ଡ୍ରେ ଥିବା ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣାକୁ ଚତୁର୍ଥ ଦିନରେ ଜେରା କରାଯାଇଛି । ଖୋଦ୍ ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ଚୌଦ୍ୱାର ଥାନାକୁ ଯାଇ ମଧୁକାନ୍ତକୁ ଜେରା କରିଥିଲେ । ତାର ଗ୍ୟାଙ୍ଗ୍ ଅପରେସନ୍ ବା କେଉଁଭଳି ଢଙ୍ଗରେ ତାର ଡକାୟତି ଦଳ ଅନ୍ତଃରାଜ୍ୟ ଡକାୟତି କରିଥାଏ ସେହି ବିଷୟରେ ଡିସିପି ପଚରାଉଚରା କରିଥିବା ସୂଚନା ମିଳିଛି ।ଅନ୍ୟପଟେ ଫେରାର୍ ଥିବା ରାଜା ନେଇ ମଧ୍ୟ ମଧୁକାନ୍ତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସକୁ ଦେଇଛି । ଫେରାର୍ ହେବା ପରଠୁ ରାଜା କିଛି ନିର୍ଦ୍ଦିଷ୍ଟ ଫୋନ୍ରେ ୟୁଟ୍ୟୁବ୍ରେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଦେଖୁଥିବା ବିଷୟ ପୁଲିସକୁ କହିଛି । ପୁଲିସର ଗତିବିଧି କ’ଣ ରହିଛି ଓ ଏନେଇ ଓଡ଼ିଶାର ଗଣମାଧ୍ୟମ କ’ଣ ରିପୋର୍ଟ କରୁଛି ତାହା ରାଜା ୟୁଟ୍ୟୁବ୍ରେ ଦେଖୁଥିଲା । ସେହି ଅନୁସାରେ ସେ ତାର କିଛି ଗତିବିଧି ମଧ୍ୟ ବଦଳାଇଥିଲା । ଚୌଦ୍ୱାର ଜେଲ୍ରେ ରହିବା ବେଳେ ସେ କିଛି ମାତ୍ରାରେ ଓଡ଼ିଆ ଶବ୍ଦ ବୁଝିଯାଉଥିଲା । ତେଣୁ ଓଡ଼ିଆ ନ୍ୟୁଜ୍ ଦେଖି କିଛି ମାତ୍ରାରେ ରାଜା ବୁଝିପାରୁଥିବା ମଧୁକାନ୍ତ କହିଛି । ବର୍ତ୍ତମାନ ସେ ଏଭଳି କରୁଥିବ ବୋଲି ମଧୁକାନ୍ତ କହିଛି । ଅନ୍ୟପଟେ ଏହା ମଧ୍ୟରେ ଜିଲ୍ଲା ବାହାରକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ମଧୁକାନ୍ତକୁ ନେବା ପାଇଁ ପୁଲିସ ଟିମ୍ ଯୋଜନା କରିଛି । ଫେରାର୍ ପରେ ସେହି ସ୍ଥାନରେ କିଛି ସମୟ ପାଇଁ ରାଜା ଓ ମଧୁକାନ୍ତ ରହିଥିଲେ । ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସକୁ ମିଳିବ ବୋଲି ତଦନ୍ତକାରୀ ଟିମ୍ ଆଶା ରଖିଛି । ତେବେ ମଧୁକାନ୍ତ ଏହା ମଧ୍ୟରେ ପୁଲିସକୁ ସଂପୂର୍ଣ୍ଣ ଭାବେ ଜେରା ବେଳେ ସହଯୋଗ କରୁଛି । ରିମାଣ୍ଡ୍ ଆଉ ଦିନ ସମୟ ରହିଛି । ପୂରା ୬ ଦିନ ରିମାଣ୍ଡ୍ ରଖିବା ପରେ ମଧୁକାନ୍ତକୁ କୋର୍ଟରେ ହାଜର କରାଯିବ । ମଧୁକାନ୍ତ ଚୌଦ୍ୱାର ଥାନାରେ ରହିବା ପରଠୁ ସେଠାରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତି ସିଫ୍ଟରେ ଗୋଟିଏ କରି ବନ୍ଧୁକଧାରୀ ପୁଲିସ ଥାନା ବାହାରେ ଡେରା ପକାଉଛନ୍ତି। ଯେଉଁ ରୁମ୍ରେ ତାକୁ ରଖାଯାଇଛି ସେଠାରେ ବନ୍ଧୁକଧାରୀ ପୁଲିସ ୨୪ ଘଣ୍ଟିଆ ନଜର ରଖିଛନ୍ତି ।


