କାହାର ସ୍ୱାର୍ଥରେ ଶକ୍ତି ବିଭାଗର ସ୍ମାର୍ଟ ମିଟର ?

ଏକ ଜନମଙ୍ଗଳ ରାଷ୍ଟ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଦା ସାଧାରଣ ଜନତାଙ୍କ ହିତ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ସରକାରଙ୍କ ଯେଉଁ ପଦକ୍ଷେପ ଦ୍ୱାରା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା କରି ବିରୋଧ କରନ୍ତି, ସେଥିପ୍ରତି ସରକାର ପୁନଃବିଚାର କରିବାର ଆବଶ୍ୟକତା ଜରୁରୀ ଅଟେ। ବର୍ତ୍ତମାନ ଶକ୍ତି ବିଭାଗ ପକ୍ଷରୁ ସ୍ମାର୍ଟ ମିଟର ବିଷୟ ଏଠାରେ ଉପସ୍ଥାପନ କରାଯାଇଛି। ପର୍ଯ୍ୟାୟ କ୍ରମେ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ବସାଇବା ପାଇଁ ସରକାରଙ୍କ ନିଷ୍ପତ୍ତି କାହା ସ୍ୱାର୍ଥରେ ? ସ୍ମାର୍ଟ ମିଟରକୁ ଉପଭୋକ୍ତାମାନେ ବିରୋଧ କରି ସ୍ମାର୍ଟ ମିଟରକୁ ବାହାର କରି ବିଦ୍ୟୁତ ବିଭାଗ ଅଫିସରେ ଫେପାଡିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଅଭିଯୋଗ ଥିଲା ପୂର୍ବ ଅପେକ୍ଷା ସ୍ମାର୍ଟ ମିଟରରେ ଅଧିକ ବିଲ ଆସୁଛି। ବର୍ତ୍ତମାନ ବିଦ୍ୟୁତ ଶକ୍ତି ପରିଚାଳନା ଦାୟିତ୍ୱ ଟାଟା କମ୍ପାନୀ ଦେଇଥିବା ବେଳେ ସ୍ମାର୍ଟ ମିଟର ଓ ପୂର୍ବର ମିଟରରେ ଏକା ୟୁନିଟ ହେଉଥିବା ପ୍ରଚାର କରିବାରେ ଲାଗିଛନ୍ତି। ଯଦି ଦୁଇଟି ମିଟରରେ ଏକା ପ୍ରକାର ବିଦ୍ୟୁତ ଖର୍ଚ୍ଚ ଦର୍ଶାଉଛି ତେବେ ନୂତନ ସ୍ମାର୍ଟ ମିଟରର ଆବଶ୍ୟକ କାହିଁକି ? ବିଦ୍ୟୁତ ଉପଭୋକ୍ତା ବୃନ୍ଦ ବିଦ୍ୟୁତ ସଂଯୋଗ ଠାରୁ ଆଜି ପର୍ଯ୍ୟନ୍ତ ବର୍ତ୍ତମାନର ସେହି ପୁରୁଣା ମିଟରରେ ବିଦ୍ୟୁତ ଭଡା ଦେଉଥିବା ବେଳେ ହତାତ୍ କାହିଁକି ସ୍ମାର୍ଟ ମିଟରର ଆବଶ୍ୟକତା ପଡିଲା ? ଘରୋଇ କମ୍ପାନୀ ବିଦ୍ୟୁତ ସେବା ପରିଚାଳନା କରୁଥିବା ବେଳେ ଓଡିଶା ସରକାରଙ୍କ ଶକ୍ତି ବିଭାଗ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ମିଟର କଣିବା କାହା ସ୍ୱାର୍ଥରେ ? ସରକାରଙ୍କ ଶକ୍ତି ବିଭାଗ ସ୍ମାର୍ଟ ମିଟର କ୍ରୟ ପାଇଁ ଅତ୍ୟଧିକ ଆଗ୍ରହ ପ୍ରକାଶରେ କିଛି ମନ୍ଦ ଉଦ୍ଦେଶ୍ୟ ନାହିଁତ ? ସ୍ମାର୍ଟ ମିଟର ବସାଇବା ଦ୍ୱାରା ମାସିକ କେତେ ୟୁନିଟ ଖର୍ଚ୍ଚ ହେଉଛି ତାହା ଉପଭୋକ୍ତାଙ୍କ ମୋବାଇଲକୁ ମେସେଜ ମାଧ୍ୟମରେ ଜଣାଇ ଦିଆଯିବ। ମେସେଜ ଯିବାର ଧାର୍ଯ୍ୟ ସମୟ ମଧ୍ୟରେ ବିଦ୍ୟୁତ ବିଲ ପୈଠ ନହେଲେ ସ୍ମାର୍ଟ ମିଟରରୁ ବିଦ୍ୟୁତ ବିଦ୍ୟୁତ ସଂଯୋଗ ଆପେ ଆପେ ବନ୍ଦ ହେବ।ସରକାର ହୃଦୟଙ୍ଗମ କରିବା ଆବଶ୍ୟକତା ଅଛିଯେ କେତେ ପ୍ରତିଶତ ବ୍ୟକ୍ତି ସଠିକ ମୋବାଇଲ ବ୍ୟବହାର ଜାଣିଛନ୍ତି। ସ୍ମାର୍ଟ ମିଟର ସଂଯୋଗ ଦ୍ୱାରା ଆଉ ମିଟର ରିଡିଙ୍ଗ ଓ କଲେକ୍ସନ ପାଇଁ କର୍ମଚାରୀ ଆବଶ୍ୟକ ପଡିବ ନାହିଁ। ଏହାଦ୍ୱାର କମ୍ପାନୀ ଲାଭବାନ ହେବାବେଳେ ନିଯୁକ୍ତି ପାଇଥିବା କର୍ମଚାରୀ ବୃନ୍ଦ ଛଟେଇ ହୋଇ ଜୀବିକା ହରେଇବେ। ଟାଟା କମ୍ପାନୀ ବିଦ୍ୟୁତ ପରିଚାଳନା ଦାୟିତ୍ବ ନେଇଥିବା ବେଳେ ଏବଂ ପୁରୁଣା ମିଟର ସଠିକ ଚାଲିଥିବା ବେଳେ ସରକାରୀ ରାଜକୋଷରୁ ଅର୍ଥ ବ୍ୟୟ କରି ସ୍ମାର୍ଟ ମିଟର କିଣି ଘରୋଇ କମ୍ପାନୀକୁ ଲାଭବାନ କାରାଇ ଓଡ଼ିଆ ପିଲାଙ୍କୁ ବେରୋଜଗାର କରାଇବା କଣ ଏକ ଜନମଙ୍ଗଳ ସରକାରଙ୍କ କର୍ତ୍ତବ୍ୟ ? ସରକାର ଜାଣିବା ଆବଶ୍ୟକ ଏହାଦ୍ୱାରା ବିରୋଧୀ ଦଳ ସହ ସରକାରୀ ଦଳର ବିଦ୍ୟୁତ ଉପଭୋକ୍ତା ଅସନ୍ତୁଷ୍ଟ ପ୍ରକାଶ କରିବେ। ନିଜ ଦଳର ସମର୍ଥକମାନେ ବିରୋଧ ପ୍ରକାଶ କଲେ ସରକାର ଉପରେ କୁପ୍ରଭାବ ପଡ଼ିବ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶକ୍ତି ବିଭାଗର ଦୂରଦୃଷ୍ଟି ଅଭାବ ପଦକ୍ଷେପ ଉପରେ ହସ୍ତକ୍ଷେପ କରିବାର ସମୟ ଆସିଛି। ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରେ ରାଜାତନ୍ତ୍ର ଶାସନ ପ୍ରକାରେ ଜନସାଧାରଣଙ୍କ ଉପରେ ଜୋର ଜବରଦସ୍ତ କ୍ଷମତା ପ୍ରୟୋଗ ଠାରୁ ସରକାର ଦୂରେଇ ରହିବା ଆବଶ୍ୟକ। ବିଦ୍ୟୁତ ଶକ୍ତି ଜନତାଙ୍କ ଏକ ଜରୁରୀ ଆବଶ୍ୟକ ଥିବା ବେଳେ ଆମ ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଏହି ବିଦ୍ୟୁତ ଶକ୍ତି ପାଇଁ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇବା ଦ୍ୱାରା ଏହିପରି ପରିସ୍ଥିତି ସୃଷ୍ଟି ହେଲାଯେ ଦେଶର ରାଷ୍ଟ୍ରପତି ଦେଶ ଛାଡି ଲୁଚି ପଳାଇବାକୁ ବାଧ୍ୟହେଲେ। ସ୍ମାର୍ଟ ମିଟର ପାଇଁ ରାଜ୍ୟର ଜନସାଧାରଣଙ୍କୁ ରାଜରାସ୍ତାକୁ ଆସିବାର ସୁଯୋଗ ନଦେଇ ସ୍ମାର୍ଟ ମିଟର କିଣିବା ପ୍ରସ୍ତାବରୁ ସରକାର ଓହରିଯିବା ମଙ୍ଗଳ ହେବ।


ଅନିଲ କୁମାର ମହାରଣା
ବୁଗୁଡ଼ା, ଗଞ୍ଜାମ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ