ଗାଁ ଭିତରେ ବଢୁଛି ବିଲୁଆଙ୍କ ଉତ୍ପାତ : ୬ଜଣ ରୁ ଉର୍ଦ୍ଧ ଆହତ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ :-ପାଗଳା ବିଲୁଆ ଆତଙ୍କ ଲୋକଙ୍କୁ ଭୟଭୀତ କରିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ମୁଦୁଗଲ ଓ ବିଜିପୁର ଅଂଚଳରେ ବିଲୁଆ ଆକ୍ରମଣ ରେ ୬ ଜଣ ରୁ ଉର୍ଦ୍ଧ ଆହତ ହେବା ସହ ଗୃହପାଳିତ ପଶୁ ମାନେ ଆକ୍ରମଣ ଶିକାର ହୋଇଛନ୍ତି। ଆହତ ବ୍ୟକ୍ତି ଙ୍କ ମଧ୍ୟରେ ମୁଦୁଗଲ ଗ୍ରାମର ସୀତାରାଣୀ ନାୟକ, ବିଜିପୁର ଗ୍ରାମର ପାଣ୍ଡଵ ସ୍ୱାଇଁ, ଶରତ ସ୍ୱାଇଁ, ହରି ସାହୁ, ପ୍ରଫୁଲ୍ଲ ବେହେରା ଙ୍କ ସମେତ ଅନ୍ୟ ମାନେ ବିଲୁଆ ଆକ୍ରମଣ ଶିକାର ହୋଇ ନିକଟସ୍ଥ ଅସ୍ତରଙ୍ଗ, ବାଙ୍ଗୁରିଗାଁ ଓ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଛନ୍ତି। ପାଗଳା ବିଲୁଆ ଙ୍କ ଏଭଳି ଉତ୍ପାତ ଦେଖି ବିଭିନ୍ନ ଗ୍ରାମରେ ତାଟି କବାଟ ପଡି ଯାଉଛି। ଅନେକ ସମୟରେ ଛୋଟ ପିଲା ଆକ୍ରମଣ ଶିକାର ହେବାର ନଜିର ରହିଛି। ବନ ବିଭାଗ ତୁରନ୍ତ ଏହି ବିଲୁଆକୁ କାବୁ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। କିନ୍ତୁ ଜନବସତି ରେ ବୃଦ୍ଧି ପାଉଛି ବିଲୁଆଙ୍କ ଉତ୍ପାତ। ଗାଁ ଭିତରକୁ ପଶୁଛନ୍ତି ବିଲୁଆ ଦଳ। ମଣିଷ ଠାରୁ ଗୋରୁ ଗାଈ ଏମାନଙ୍କ ଆକ୍ରମଣରେ ଗୁରୁତର ହେଉଛନ୍ତି। ଯାହାକୁ ନେଇ ଗାଁରେ ଭୟର ବାତାବରଣ ଦେଖା ଦେଇଛି। ଗାଁ ମୁଣ୍ଡ ରାସ୍ତାରେ ମେଳା ମେଳା ହୋଇ ବିଲୁଆ ବୁଲୁଛନ୍ତି। ଦିନ ଓ ରାତିରେ ମଧ୍ୟ ବୁଲୁଛନ୍ତି। ଏଭଳି ଅବସ୍ଥା କ୍ରମଶଃ ବୃଦ୍ଧି ପାଉଛି। ଯାହାକୁ ନେଇ ପରିବେଶବିତି ମହଲରେ ଆଲୋଚନା ହେଉଛି। ସନ୍ଧ୍ୟା ବେଳେ ଗାଁରେ ଥିବା ଝାଟି ଜଙ୍ଗଲ, ମଝି ବିଲ ଓ କିଆ ବୁଦା ମୂଳେ ବିଲୁଆର ହୁକେ ହୋ.. ଶବ୍ଦ ଶୁଣିବାକୁ ମିଳୁଥିଲା, ରାତି ପାହାନ୍ତିଆ ମଧ୍ୟ ଏମାନେ ଶବ୍ଦରେ ରାତିର ସମୟ ଜାଣିହେଉଥିଲା। ଏବେ ପରିସ୍ଥିତିରେ ଓଲଟ ପାଲଟ ହୋଇଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ବିଭିନ୍ନ ଗ୍ରାମରେ କିଛି ବର୍ଷ ପୂର୍ବେ କିଆ ବୁଦା ଥିବା ସହ ନଦୀକୂଳେ କୂଳେ କୂଳେ ହଜାର ହଜାର ସଂଖ୍ୟାରେ କିଆ ବୁଦା ଥିଲା। କିଆ ବୁଦା ଲୋପ ପାଇବା ଓ ଗ୍ରାମ୍ୟ ଜଙ୍ଗଲର କ୍ରମଶଃ ଉଛେଦ ପରେ ବିଲୁଆ ମାନେ ବାସସ୍ଥଳୀ ଖୋଜିବାରେ ଲାଗିପଡିଛନ୍ତି। ଏମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଆଶ୍ରୟସ୍ଥଳ ନାହିଁ। ବିଶେଷ କରି ଅସ୍ତରଙ୍ଗ ବ୍ଲକର ନଗର, କାଳିଆକଣ, ବାଲିଡିଆ, ନୂଆକାଳିଆକଣ, ପାଟସୁନ୍ଦରପୁର, ବେଳଙ୍ଗ, ଝାଡ଼ଲିଙ୍ଗ, ଛୁରିଆନା, ଶିଶୁଅ ଆଦି ଗାଁ ଗୁଡିକରେ ଲକ୍ଷାଧିକ କିଆ ବୁଦା ଥିଲା। ନଦୀ ପଠାରେ ଏହା ଜଙ୍ଗଲ ଭ୍ରମ ସୃଷ୍ଟି କରୁଥିଲା। କିଆ ବୁଦାରେ କେବଳ ବିଲୁଆ ବସବାସ କରୁଛନ୍ତି ସେ କଥା ନୁହେଁ, କିଆ ବୁଦାର ଉପକାରିତା ମଧ୍ୟ ଯଥେଷ୍ଟ ଅଧିକ ରହିଛି। ଏହା ପରିବେଶ ଦୃଷ୍ଟିକୋଣରୁ ଅତ୍ୟନ୍ତ ଅନୁକୂଳ। ନଦୀରୁ ଉଠି ଆସୁଥିବା ଢେଉ ମାଡ଼ରୁ କିଆ ଗଛ ନଦୀକୂଳକୁ ସୁରକ୍ଷା ଦେଇଥାଏ। ଏହା ବାଦ କିଆ ଚେରରେ ଲୋକ ମାନେ ଘର ଛପର ମଧ୍ୟ କରୁଥିଲେ। କିଆ ଚେରକୁ କାଟି ଶୁଖାଇ ଘର ଛପରରେ ବ୍ୟବହାର ହେଉଥିଲା। ଯାହାର ଚାହିଦା ଖରା ଦିନେ ବହୁତ ବେଶୀ। ତେଣୁ କିଆ ଜଙ୍ଗଲ ସୃଷ୍ଟି ପାଇଁ ଏବେ ପରିବେଶ ପ୍ରେମୀ ଦାବୀ ଉଠାଇ ଲେଣି।ସରକାର ତାଳ ଗଛ ଲଗାଇବା ଭଳି କିଆ ଜଙ୍ଗଲ ସୃଷ୍ଟି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ।


