କେନ୍ଦ୍ରାପଡା ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘୋଷଣାକୁ ପୁରାତନ ଛାତ୍ରସଂସଦର ସ୍ୱାଗତ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଚଳିତବର୍ଷର ବଜେଟ ଉପସ୍ଥାପନା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୪ଟି ନୂତନ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି। ଏହାମଧ୍ୟରୁ ଗୋଟିଏ କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା ହେବ ବୋଲି ସେ ଘୋଷଣା କରିଛନ୍ତି। ଏହି ଘୋଷଣାରେ ଜିଲ୍ଲାବାସୀଙ୍କ ସହ ଜିଲ୍ଲାର ସର୍ବପ୍ରାଚୀନ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍କଣ୍ଠା ପ୍ରକାଶ ପାଇଛି ବୋଲି ସଂସଦର ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡା ଓ ସମ୍ପାଦକ ଡ. ପ୍ରମୋଦ କୁମାର ଦାସ ଜଣାଇଛନ୍ତି। ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନେଇ ଏକ ଏକକ ବିଶ୍ୱବିଦ୍ୟାଳୟ ବା ସ୍ୱତନ୍ତ୍ର ଅନୁବନ୍ଧନକାରୀ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ତାହା ସ୍ପଷ୍ଟ କରିବାକୁ ପୁରାତନ ଛାତ୍ରସଂସଦ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କେନ୍ଦ୍ରାପଡାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡା କଲେଜର ମୁଖ୍ୟ ପ୍ରତିଷ୍ଠାତା ସ୍ୱର୍ଗତ ଦୀନବନ୍ଧୁ ସାହୁ ଓ ପ୍ରଥମ ଅଧ୍ୟକ୍ଷ ଡକ୍ଟର ବେଣୁଧର ପ୍ରଧାନ କେବଳ ସ୍ୱପ୍ନ ଦେଖିନଥିଲେ। ସେଥିପାଇଁ ମଧ୍ୟ ଅତୀତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ଜିଲ୍ଲାର ବିଭିନ୍ନ ଗଣସଂଗଠନ ଓ ପ୍ରମୁଖ ବ୍ୟକ୍ତିମାନେ ବିଭିନ୍ନ ସମୟରେ ଏଥିପାଇଁ ଦାବି କରି ଆସିଛନ୍ତି। ଦୀର୍ଘ ଦିନର ପ୍ରତୀକ୍ଷା କିପରି ସଫଳ ହେବା ସହିତ ତାହାର ସଫଳ ରୂପାୟନ ହୋଇପାରିବ ତାକୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଜିଲ୍ଲାବାସୀ ଅପେକ୍ଷା କରି ରହିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଆଗାମୀ ଶିକ୍ଷା ବର୍ଷ ଠାରୁ କାର୍ଯ୍ୟକ୍ଷମ ହେବା ନିମିତ୍ତ ପୁରାତନ ଛାତ୍ର ସଂସଦର ସମସ୍ତ କର୍ମକର୍ତ୍ତା ସରକାରଙ୍କୁ ନିବେଦନ କରିଛନ୍ତି। ଏଥିନିମିତ୍ତ ଆନୁଷଙ୍ଗିକ କାର୍ଯ୍ୟକ୍ରମକୁ ଜିଲ୍ଲାରେ ସରକାର ତ୍ୱରାନ୍ୱିତ କରିବାକୁ ପୁରାତନ ଛାତ୍ର ସଂସଦର କାର୍ଯ୍ୟନିର୍ବାହୀ କମିଟିର ସମସ୍ତ କର୍ମକର୍ତ୍ତା ଓ ସଭ୍ୟସଭ୍ୟାଙ୍କ ସହିତ ଉପସଭାପତି ଡକ୍ଟର ପ୍ରଦୀପ୍ତ କିଶୋର ଦାଶ, ଚିତ୍ତରଞ୍ଜନ ଦାସ, ବିଶ୍ୱଜିତ ଦାସ, ଶରତ କୁମାର ସିଂ, ପ୍ରତାପ ମହାନ୍ତି ପ୍ରମୁଖ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି।


