ରାଧାକୃଷ୍ଣଙ୍କର ପ୍ରେମ ଶାଶ୍ଵତ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ପ୍ରେମ ଏକ ମଧୁ ଶବ୍ଦ ଅନୁଭବୀ ଜାଣେ
ହୃଦେ ଧରି ସେହି ରସ ମଧୁ ମଧୁ ଭଣେ ।
ବ୍ରହ୍ମ ଅଂଶ ଅବିନାଶୀ ଜୀବ ସନାତନ
ନିତ୍ୟ ଆଶ କରିଥାନ୍ତି ହେବାକୁ ମିଳନ ।
ରାଧା କୃଷ୍ଣ ବେନି ମୂର୍ତ୍ତି ପ୍ରକୃତି ପୁରୁଷ
ସଦା ସଙ୍ଗ ଲଭିବାକୁ ଲୋଡ଼ିଥାନ୍ତି ଆଶ ।
ରାଧା ବିନା କୃଷ୍ଣ ଅଧା କୃଷ୍ଣ ବିନା ରାଧା
ପ୍ରେମ ବିନା ବେନି ତତ୍ତ୍ଵ ଲାଗେ ଅଧା ଅଧା ।
ରାଧାକୃଷ୍ଣଙ୍କର ପ୍ରେମ ଶାଶ୍ଵତ ସୁନ୍ଦର
ଲୀଳାମୟ ଲୀଳାତା’ଙ୍କ ଦେବେ ଅଗୋଚର ।
ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି
କୁଞ୍ଜେ ନିତ୍ଯ ରାସ ରଚ ଗୋଲକ ବିହାରୀ ।
ସେହି ଲୀଳା ଦେଖିବାକୁ ବ୍ରହ୍ମାଦି ଶଙ୍କର
ସ୍ତୁତି ସର୍ବେ କରୁଥାନ୍ତି ବେନି ଯୋଡ଼ିକର ।
ଯୁଗ ଅବତାରି ପ୍ରଭୁ ପୂର୍ଣ୍ଣ ପରଂବ୍ରହ୍ମ
ରସରାଜ ରସାନନ୍ଦ ପ୍ରେମ ତୁମ ଧର୍ମ ।
ଗୋପୀଜନ ମନହାରୀ ମୁକୁନ୍ଦ ମୁରାରୀ
ତପିଜନ ମୁକ୍ତିଦାତା ଶଙ୍ଖ ଚକ୍ର ଧାରୀ ।
ପ୍ରେମ ପାଇଁ ଅବତର ମରତ ଭୁବନେ
ପ୍ରୀତିବାରି ଭରିଦିଅ ଶୁଦ୍ଧ ପ୍ରାଣୀ ମନେ ।
ଘୃଣା ହୃଦୁ ନାଶକର ପ୍ରୀତିରଙ୍ଗ ବୋଳି
ପ୍ରେମର ଅବିରେ ଖେଳ ସଙ୍ଗେହୋଇ ମେଳି ।
ପ୍ରେମମୟୀ ରାଧାରାଣୀ ଭକ୍ତି ଶିରୋମଣି
କୃଷ୍ଣପ୍ରେମେ ବନ୍ଧା ସେହି ପ୍ରେମ ପାଗୁଳୁଣୀ ।
ରାଧା କୃଷ୍ଣ ବେନି ତନ ଅଭିନ୍ନ ମୂରତି
ରସପୂର୍ଣ୍ଣ ଗୁଣ ଶୂନ୍ୟ ପ୍ରେମ ତାଙ୍କ ଭକ୍ତି ।
ଖମ୍ବେଶ୍ଵରୀ ପାଟଣା
ଆସିକା , ଗଞ୍ଜାମ ।


