କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ନାହିଁ ନାହିଁରେ ଚାଲିଛି ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲାର ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ନାନା ସମସ୍ୟା ଦେଇ ଗତି କରୁଥିବା ବେଳେ ଡାକ୍ତର, ଫାର୍ମାସିଷ୍ଟ ଅଭାବରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି। ଓଡ଼ିଶାରେ ବିଜେପି ସରକାର ଦାୟିତ୍ୱ ନେବାପରେ କେନ୍ଦୁଝର ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧୁରିବ ବୋଲି ଆଶା କରାଯାଉଥିଲା। ମାତ୍ର ସେପରି କିଛି ହେଲାନି। ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ରାଜସ୍ବ ଦେଉଥିବା ଜିଲ୍ଲା ଆଜି ସ୍ୱାସ୍ଥ୍ୟ ସେବାରେ ଅବହେଳିତ । ମାସେ ନୁହଁ କି ଦୁଇ ମାସ ନୁହଁ, ଦୀର୍ଘ ବର୍ଷ ହେଲା ସ୍ୱଳ୍ପ ସଂଖ୍ୟକ ଡାକ୍ତରଙ୍କୁ ନେଇ ଚାଲିଛି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମଗ୍ର ହାଟଡିହି ବ୍ଲକର ଲୋକମାନେ ନିର୍ଭରଶୀଳ ଥିବା ବେଳେ ଶାଳଣିଆଁ, ଡ଼ଅଁର, ଗେଡ଼ମା, ଷଡ଼ଙ୍ଗ, କଳିଗାଁ, ଆଇତିପୁର, ହାବଳେଶ୍ୱର ଆଦି ପଞ୍ଚାୟତର ଲୋକମାନେ ସ୍ୱାସ୍ଥ୍ୟସେବା ଉପରେ ନିର୍ଭର କରିଥାନ୍ତି। ଏଠାରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇବାର ବ୍ୟବସ୍ଥା ଥିବାବେଳେ ଡାକ୍ତର ଓ କର୍ମଚାରୀ ଅଭାବରୁ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଯାଇ ପାରୁନି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୧ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୬ ଜଣ ଡାକ୍ତର ନିଯୁକ୍ତ ଅଛନ୍ତି। ଦୀର୍ଘବର୍ଷ ଧରି ଶିଶୁରୋଗ, ସର୍ଜରୀ ଭଳି ବିଭାଗର ଡାକ୍ତର ନଥିବାରୁ ରୋଗୀ ମାନେ ଦୂର ଦୁରାନ୍ତ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଦାୟିତ୍ୱ ନିର୍ବାହ କରୁଥିବାରୁ ସେ ଅଧିକାଂଶ ସମୟ ଅଫିସ କାମ, ସରକାରୀ ମିଟିଙ୍ଗ, ଟ୍ରେନିଂ ଭଳି କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସ୍ତ୍ରୀ ଓ ପ୍ରସୂତି ରୋଗୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଠାରେ ଜଣେ ଵୟୋବୃଦ୍ଧ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡି.ଏମ.ଏଫ ରୁ ନିଯୁକ୍ତି ଦିଆ ଯାଇଥିବା ବେଳେ ସେ ଠିକ ଭାବେ ରୋଗୀ ସେବା କରିପାରୁ ନଥିବାରୁ ତାଙ୍କ ପାଖକୁ କେହି ରୋଗୀ ଯାଉ ନାହାନ୍ତି। ଅନ୍ୟ ଡାକ୍ତରମାନେ ପାଳିକରି ଆସୁଥିବାରୁ ଦୈନିକ ଜଣେ ଡାକ୍ତରଙ୍କ ଦ୍ୱାରା ରୋଗୀ ସେବା ଚାଲିଛି। ଏପରିକି ପ୍ରତିଦିନ ୨୫୦ରୁ ୩୦୦ ରୋଗୀ ଆସୁଥିବାରୁ ଜଣେ ଡାକ୍ତରଙ୍କ ଦ୍ୱାରା ରୋଗୀସେବା ଯୋଗାଇବା ସମ୍ଭବ ହେଉନି। ଆଜି ଶହ ଶହ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡ଼ିକରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ଏଠାରେ ଚବିଶ ଘଣ୍ଟିଆ ସେବା ପାଇଁ ଦୁଇଜଣ ଫାର୍ମାସିଷ୍ଟଙ୍କ ଆବଶ୍ୟକତା ଥିବାବେଳେ ଜଣେ ମାତ୍ର ଫାର୍ମାସିଷ୍ଟଙ୍କ ଦ୍ୱାରା ଔଷଧ ବିତରଣ ଓ ବଣ୍ଟନ ସମ୍ଭବ ହେଉନି। ସେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଔଷଧ ବିତରଣ କରିବା ସହିତ ରୋଗୀଙ୍କୁ ଔଷଧ ବାଣ୍ଟିବାରେ ନାନା ସମସ୍ୟା ସୃଷ୍ଟି ହେଉଛି। ସେହିପରି ଏଠାରେ ୮ଜଣ ଷ୍ଟାଫ ନର୍ସଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ଦୁଇଜଣ ଷ୍ଟାଫ ନର୍ସ ଥିବାରୁ ଏଠାରେ ରୋଗୀଙ୍କୁ ସେବା ଯୋଗାଇବା ସମ୍ଭବ ହେଉନି। ପ୍ରତିଦିନ ୨୦/୨୫ ଜଣ କୁକୁର କାମୁଡା ରୋଗୀ ଆସୁଥିବା ବେଳେ ସେମାନଙ୍କୁ ଇଞ୍ଜେକେସନ ଦେବା, ପ୍ରସୂତି ମାନଙ୍କୁ ପସବ କରାଇବାରେ ନାନା ଅସୁବିଧା ଉପୁଜୁଛି। ସେହିପରି ୧୦ ବର୍ଷ ହେଲା ଜନସ୍ୱାସ୍ଥ୍ୟ ଅଧିକାରୀ ପଦବୀ ଖାଲି ପଡିଥିବାରୁ ବିଭିନ୍ନ ତୃଣମୂଳ ସ୍ଥରରେ ହେଉଥିବା କାର୍ଯ୍ୟକ୍ରମର ତଦାରଖ ଓ ସମୀକ୍ଷା ଠିକ ଭାବେ ହୋଇ ପାରୁନି। ସେହିପରି ପରିସଂଖ୍ୟାନ ସହାୟକ ପଦବୀ ୭ ବର୍ଷ ହେଲା ଖାଲି ପଡିଥିବାରୁ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ ବିଫଳ ହୋଇଛି। ମହିଳା ପରିଦର୍ଶିକା ପଦବୀ ଖାଲି ପଡିଥିବାରୁ ପିଲାଙ୍କୁ ଟୀକା ପ୍ରଦାନ ଓ ବିଭିନ୍ନ ଡାକ୍ତରଖାନାକୁ ଟୀକା ଯୋଗାଣରେ ମଧ୍ୟ ସମସ୍ୟା ଉପୁଜୁଛି। ସେହିପରି ଦୁଇଜଣ ଏଲ.ଟି ଙ୍କ ସ୍ଥାନରେ ଜଣେ ଏଲ ଟି ଥିବାରୁ ବିଭିନ୍ନ ପ୍ରକାର ରୋଗର ପରୀକ୍ଷା ଠିକ ଭାବେ ହୋଇପାରୁନି। ଫଳରେ ଲୋକମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରୁ ଆସ୍ଥା ହରାଉଛନ୍ତି। ଏଠାରେ ଉନ୍ନତ ସ୍ୱାସ୍ଥ୍ୟ ସେବାପାଇଁ ଆବଶ୍ୟକ ଭିତ୍ତିଭୂମି ଥିଲେ ବି ବିଶେଷଜ୍ଞ ଡାକ୍ତର, ଆବଶ୍ୟକ ଟେକନିସିଆନ ଓ କର୍ମଚାରୀ ଅଭାବରୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳିପାରୁନି। ଏ ସମ୍ପର୍କରେ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଏ ବାବଦରେ ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଉଛୁ, କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର କୌଣସି ପଦକ୍ଷେପ ନିଆଯାଇନି ବୋଲି କହିଛନ୍ତି।


