କଟକ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ : ବିବାହ ବନ୍ଧନରେ ବାନ୍ଧିହେଲେ ୫୫ଯୋଡା ବରବଧୂ

କଟକ, (ଓ୍ବାଇଏନଏସ): ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଙ୍କଳ୍ପ, ଯୋତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ ପଦକ୍ଷେପ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ ଆଜି କଟକ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହା କହିଛନ୍ତି । ଏହି ଯୋଜନା ଅଧିନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟା କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଯେଉଁଥିରୁ ୪୫ ହଜାର ଟଙ୍କା ସିଧାସଳଖ ନଗଦ ହସ୍ତାନ୍ତର ମାଧ୍ୟମରେ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଛି । ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଜିଲ୍ଲା ଓ ବ୍ଲକ୍ ସ୍ତରରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦିତ ହେଉଛି । ଏହି ଯୋଜନା ମାଧ୍ୟମରେ ଆମ ରାଜ୍ୟର ଅନେକ କନ୍ୟା ଲାଭ ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଆର୍ଥିକ ସହାୟତା କନ୍ୟାମାନଙ୍କ ଜୀବନରେ ସୁରକ୍ଷା, ସମ୍ମାନ ଓ ସ୍ୱାବଲମ୍ବନର ମଜବୁତ୍ ଭିତି ପ୍ରସ୍ତୁତ କରିବ । ଆଜି କଟକ ଜିଲ୍ଲାର ବିିଭିନ୍ନ ବ୍ଲକରୁ ୫୫ଯୋଡା ବର ବଧୂ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବର କନ୍ୟା ରହିଥିଲେ । ବିବାହ ଅନୁଷ୍ଠିତ ହେଉଥିବା ସମୟରେ ଉପମୁଖ୍ୟମନ୍ତ୍ରୀ ବିବାହ ମଣ୍ଡପକୁ ଯାଇ ନବଦମ୍ପତିଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରିବା ସହ ଏକ ସୁସ୍ଥ ପାରିବାରିକ ଜୀବନ ଅତିବାହିତ କରିବାକୁ ପରାମର୍ଶ ଦେଇଥିଲେ ।
ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନା ଆର୍ଥିକ ଅନାଟନରେ ଥିବା ପରିବାର ପାଇଁ ଏକ ବରଦାନ ସଦୃଶ ବୋଲି କହିଥିଲେ । ଏହି ଯୋଜନା ଦ୍ୱାରା ଅର୍ଥଭାବ ଯୋଗୁଁ କୌଣସି କନ୍ୟା ବିବାହରୁ ବଂଚିତ ହେବେ ନାହିଁ ସେ ମତବ୍ୟକ୍ତ କରିଥିଳେ ।
କମିଶନର ତଥା ଶାସନ ସଚିବ ମହିଳା ଓ ଶିଶୁ ବିକାଶ ବିଭାଗ ଡ. ମୃଣାଳିନୀ ଦସ୍ୱାର୍ଲ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଏହି ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋକପାତ କରି ଏହାଦ୍ୱାରା ବହୁ କନ୍ୟାମାନଙ୍କ ପିତାମାତା ଆଶ୍ୱସ୍ତ ହୋଇପାରିବେ ବୋଲି କହିଥିଲେ । ସମାଜରେ ସମାନତା ଆଣିବାରେ ଏହି ଯୋଜନା ସହାୟକ ହୋଇପାରିବ । ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ଧନ୍ୟବାଦ ଅର୍ପଣ କରି କଟକ ଜିଲ୍ଳାର ସମସ୍ତ ଯୋଗ୍ୟ କନ୍ୟା ଏହି ଯୋଜନା ଅଧୀନରେ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ପାଇବା ଦିଗରେ ଜିଲ୍ଳା ପ୍ରଶାସନ ଯତ୍ନବାନ ହେବା ସହ ପ୍ରଶାସନିକ ସ୍ତରରେ ତତ୍ପରତାର ସହିତ ଆଗାମୀ ଦିନରେ ଏହି ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ସମୂହ ପ୍ରୟାସ କରାଯିବ ବୋଲି କହିଥିଲେ । ନିର୍ଦ୍ଦେଶିକା ସମନ୍ୱିତ ଶିଶୁ ବିକାଶ ଓ ସମାଜ ମଙ୍ଗଳ ମୋନିଷା ବାନାର୍ଜୀ, କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରନଦୀପ କୌର ସହୋତା କାର୍ଯର୍୍ୟକ୍ରମରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସମସ୍ତ କାର୍ଯ୍ୟର ତଦାରଖ ଓ ସୁପରିଚାଳନା କରିଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ କନ୍ୟା ଓ ବରପକ୍ଷର ପିତା ମାତା, ବନ୍ଧୁ ପରିଜନଙ୍କ ସହ ବହୁ ସଂଖ୍ୟାରେ ମହିଳା ଓ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ